ବ୍ରହ୍ମପୁର: ଅନେକ ସମୟରେ ପୋଖରୀରେ କଡରେ ଅଳିଆ ଆବର୍ଜନା ପଡ଼ିବା ଯୋଗୁଁ ଜଳ ପ୍ରଦୂଷିତ ହୋଇଥାଏ । ବ୍ରହ୍ମପୁରରେ ପୋଖରୀକୁ ସଫେଇ କରିବାକୁ ପ୍ରଶାସନ ଅନେକ ଯୋଜନା କରିଛି । ସହରର କେତେକ ଯୁବବର୍ଗ ପୋଖରୀରେ ପଡୁଥିବା ପ୍ଲାଷ୍ଟିକ ଏବଂ ଆବର୍ଜନା ଗୁଡିକୁ ଖୁବ୍ ସହଜରେ ନିୟମିତ ବ୍ୟବଧାନରେ ସଫେଇ କରିବା ପାଇଁ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ସମୁଦ୍ର ଘୋଡା (Sea Horse) । ଯାହାର ପରୀକ୍ଷାମୂଳକ କାର୍ଯ୍ୟ ହୋଇସାରିଥିବାବେଳେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ଯୁବବର୍ଗଙ୍କ ଏହାକୁ ଏକ ନୂଆ ପ୍ରକଳ୍ପ 'ସମୁଦ୍ର ଘୋଡ଼ା' ଅର୍ଥାତ୍ 'ୱାଟର ସାଇକେଲ' ପ୍ରସ୍ତୁତ କରିଛନ୍ତି । ଏହି ସମୁଦ୍ର ଘୋଡ଼ା (Water Cycle) ପୋଖରୀ ଜଳ ମଧ୍ୟରେ ରହିଥିବା ଆବର୍ଜନାଗୁଡିକୁ ସଫେଇ କରିପାରିବ ବୋଲି କୁହାଯାଇଛି ।
ଖୁବଶୀଘ୍ର ଯୁବ ବର୍ଗଙ୍କୁ ନେଇ ବିଭିନ୍ନ ପୋଖରୀରରେ ସଫେଇ ଅଭିଯାନ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ସ୍ବେଚ୍ଛାସେବୀ । ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ଭାରତ ଗୌରବ ଦାଶଙ୍କ କହିଛନ୍ତି, "ଅବ୍ୟବହୃତ କେତେକ ସାମଗ୍ରୀ ସହିତ ଏକ ପୁରାତନ ସାଇକେଲକୁ ନେଇ ବ୍ରହ୍ମପୁରର ଏହି ଯୁବବର୍ଗମାନେ ନିଜସ୍ୱ ଜ୍ଞାନ କୌଶଳରେ ସମୁଦ୍ର ଘୋଡା (SEA HORSE)କୁ ପ୍ରସ୍ତୁତ କରିଛନ୍ତି । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ମଧ୍ୟ ସ୍ଥାନାନ୍ତରିତ କରାଯାଇପାରିବ । ଏହି ପ୍ରକଳ୍ପରେ ଲାଗିଥିବା ନେଟ୍ ମାଧ୍ୟମରେ ପ୍ରତେକ ପୋଖରୀ ପରିସରରେ ରହିଥିବା ଅଳିଆ ଆବର୍ଜନା ଏବଂ ପ୍ଳାଷ୍ଟିକକୁ ବାହାର କରାଯାଇପାରିବ ।" ସେପଟେ ଏହି କାର୍ଯ୍ୟରେ ଯୁବବର୍ଗ ଅଧିକରୁ ଅଧିକ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି ।