ହାଇଦ୍ରାବାଦ: କୁହାଯାଏ, ସ୍ବାସ୍ଥ୍ୟ ହିଁ ସମ୍ପଦ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଯଦି ସୁସ୍ଥ ରହିବାକୁ ଚାହାନ୍ତି, ତାହେଲେ ଠିକ୍ ଖାଦ୍ୟ ଖାଇବା ସହ କିଛି ବଦଭ୍ୟାସରୁ ଦୂରେଇ ରହିବା ଜରୁରୀ । ମାତ୍ର ଆଜିକାଲିର ଧାଁ ଦୌଡ ଜୀବନରେ ଆମେ ପେଟ ପୁରା ଖାଦ୍ୟ ତ ଖାଉ, ହେଲେ ଅନେକ ଛୋଟ ଛୋଟ ଭୁଲ୍ କରି ବସୁ, ଯାହା ପରବର୍ତ୍ତୀ ସମୟରେ ବଡ଼ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଶରୀରକୁ ହାନି ପହଞ୍ଚାଏ । ଖାସ୍ କରି ଖାଇବା ପରେ ଜଣାତରେ ଅଜଣାତରେ ଏହି ଭୁଲ୍ ଖାଲି ଆମର ପାଚନ କ୍ରିୟା ପ୍ରଭାବିତ କରେନି ବରଂ ଜଟିଳ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୁଏ । ଆଜି ଆମେ ଆପଣଙ୍କୁ କହିବୁ, ଖାଦ୍ୟ ଖାଇବାର ତୁରନ୍ତ ପରେ କ'ଣ ନ କରିବା ଉଚିତ୍
ଶୁଅନ୍ତୁ ନାହିଁ: ଅନେକ ଲୋକ ଖାଇ ସାରିବା ମାତ୍ରେ ଶୋଇବାକୁ ଯାଆନ୍ତି । ଏହା ଆଦୌ ଭଲ ଅଭ୍ୟାସ ନୁହେଁ । ବିଶେଷଜ୍ଞଙ୍କ କହିବା କଥା, ଏପରି କରିବା ଦ୍ବାରା ଶରୀରରେ ଚର୍ବି ଜମା ହୁଏ ଓ ଓଜନ ବଢେ । ହଜମରେ ମଧ୍ୟ ସମସ୍ୟା ହୁଏ ।
ଗାଧାନ୍ତୁ ନାହିଁ: ଖାଇବା ପରେ ଗାଧୋଇବା ଅନେକ ଲୋକଙ୍କ ଅଭ୍ୟାସ । ଏନେଇ ବିଶେଷଜ୍ଞ କୁହନ୍ତି, ଏହି ଅଭ୍ୟାସ ବଦଳାଇବା ଉଚିତ୍ । କାରଣ ଖାଦ୍ୟ ହଜମ ପାଇଁ ପେଟରେ ଠିକ୍ ମାତ୍ରାରେ ରକ୍ତସଞ୍ଚାଳନ ଓ ଶକ୍ତିର ଆବଶ୍ୟକ ଥାଏ । ଯଦି ଆମେ ଖାଇବା ପରେ ଗାଧୋଉ, ରକ୍ତସଞ୍ଚାର ତ୍ବଚା ଆଡକୁ ଯାଏ ଓ ତାପମାତ୍ରା ନିୟନ୍ତ୍ରିତ କରିଥାଏ । ଏହାଫଳରେ ଖାଦ୍ୟ ହଜମ ହେବାକୁ ଅଧିକ ସମୟ ଲାଗେ ଏବଂ ବଦହଜମୀ ହୁଏ । ତେଣୁ ଖାଦ୍ୟ ଖାଇବାର 30ରୁ 35 ମିନିଟ୍ ପରେ ଗାଧୋଇବାକୁ ପରାମର୍ଶ ଦିଆଯାଏ ।
ଏହା କରନ୍ତୁନି: ଖାଇବା ପରେ କ'ଣ ଆପଣ ଚା' କିମ୍ବା କଫି ପିଅନ୍ତି କି ? ଏହା ଅତି ଖରାପ ଅଭ୍ୟାସ । ଖାଦ୍ୟ ଗ୍ରହଣ ପରେ ଚା' କି କଫି ପିଇଲେ, ଏଥିରେ ଥିବା ଟାନିନ ଓ ଆଉ କିଛି ଏସିଡ୍ ଖାଦ୍ୟରୁ ପୋଷକ ତତ୍ତ୍ବ ଅବଶୋଷିତ କରିପାରେ । ଏହାଦ୍ବାରା ପାଚନ ସମସ୍ୟା ହୁଏ । ତେଣୁ ଖାଇବାର ତୁରନ୍ତ ପରେ ଏହି ପାନୀୟ ପିଅନ୍ତୁ ନାହିଁ । ଘଣ୍ଟାଏ ଦୁଇ ଘଣ୍ଟା ପରେ ଚା' କିମ୍ବା କଫି ପିଇପାରିବେ ।
2000 ମସିହାରେ ଜର୍ନାଲ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଥିଲା ଯେ, ଯେଉଁ ଲୋକ ଖାଇବା ସହ କଫି ପିଅନ୍ତି, ସେମାନଙ୍କଠାରେ ଅଧିକ ପାଚନ ସମସ୍ୟା ଦେଖାଯାଏ । ଏହି ଗବେଷଣାରେ ଇଟାଲୀର ପ୍ରସିଦ୍ଧ ପୋଷଣ ବୈଜ୍ଞାନିକ ଡ. ଏମ୍. ମାରାଗୋ ଭାଗ ନେଇଥିଲେ ।
ଅଧିକ ପାଣି ପିଅନ୍ତୁନି: ଅଧିକାଂଶ ଲୋକେ ଖାଦ୍ୟ ଖାଇସାରିବା ମାତ୍ରେ ପାଣି ପିଇ ଦିଅନ୍ତି । ହେଲେ ଏପରି ନ କରିବାକୁ ପରାମର୍ଶ ଦିଆଯାଏ । ବିଶେଷଜ୍ଞଙ୍କ କହିବା କଥା, ସଙ୍ଗେ ସଙ୍ଗେ ପାଣି ପିଇଲେ ପାଚନ ଶକ୍ତି ପ୍ରଭାବିତ ହୁଏ । ପେଟରେ ଖାଦ୍ୟ ହଜମ କରୁଥିବା ଏନଜାଇମ ଓ କମ୍ ପାଚକ ରସ ରିଲିଜ୍ ହୁଏ । ଫଳରେ ଖାଦ୍ୟ ଠିକରେ ହଜମ ହୁଏନି ଓ ଶରୀରରେ ବିଷାକ୍ତ ପଦାର୍ଥ ଜମେ ।
ଫଳ ଖାଆନ୍ତୁନି: ଫଳ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ହେଲେ ଖାଦ୍ୟ ଖାଇବା ପରେ ଫଳ ନ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । କାରଣ ଫଳ ପେଟରେ ଅନ୍ୟ ଉପାଦାନ ସହ ମିଶିଯିବ ଏବଂ ଏଥିରେ ଥିବା ପୋଷକ ତତ୍ତ୍ବର ଫାଇଦା ମିଳିବ ନାହିଁ ।
Disclaimer- ଏଠାରେ ଦିଆଯାଇଥିବା ବିବରଣୀ କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।