ଭୁବନେଶ୍ବର: ସରିଲା ଦୀର୍ଘ ସମୟର ପ୍ରତୀକ୍ଷା । ରାତି 10ଟା 45 ମିନିଟ ସମୟରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । 'ହର ହର ମହାଦେବ' ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିସର । ଦୀର୍ଘ ସମୟ ଧରି ଭକ୍ତମାନେ ଲିଙ୍ଗରାଜ ମନ୍ଦିର ପରିସରରେ ଦୀପ ଜାଳି ବସି ମହାଦେବଙ୍କ ଆରଧନା କରିଥିଲେ । ଲିଙ୍ଗରାଜ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
ଉଠିଲା ମହାଦୀପ:
ଆଜି(ବୁଧବାର) ରାତି 10ଟା 45 ମିନିଟ ସମୟରେ ମହାଦୀପ ଉଠିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ମହାଦୀପ ଦର୍ଶନ କରିଛନ୍ତି । ପରମ୍ପରା ଅନୁସାରେ, ଉପବାସ ବ୍ରତ କରିଥିବା ଭକ୍ତମାନେ ମହାଦୀପ ଉଠିବା ପରେ ବ୍ରତ ଭଙ୍ଗ କରିଥାନ୍ତି । ପୂର୍ବରୁ 10ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ପାଖାପାଖି 45 ମିନିଟ୍ ବିଳମ୍ବ ହୋଇଛି । ଦିନ ତମାମ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାଦେବଙ୍କୁ ଶ୍ରଦ୍ଧାର ସହ ଆରଧନା ଓ ପୂଜାର୍ଚ୍ଚନା କରିଛନ୍ତି ଭକ୍ତ । ଆଜିର ଦିନରେ ଦୀପ ଜାଳି ଉଜାଗର ରହି ଦେବ ଦେବ ମହାଦେବଙ୍କୁ ଆରଧନା କରିଥାନ୍ତି ଶ୍ରଦ୍ଧାଳୁ । ଦିନ ତମାମ ଉପବାସ ବ୍ରତ ରଖିଥିବାବେଳେ ମହାଦୀପ ଉଠିଲା ପରେ ସେମାନେ ଉପବାସ ଭାଙ୍ଗିଥାନ୍ତି ।
ଉପବାସ ଭଙ୍ଗ କଲେ ଶ୍ରଦ୍ଧାଳୁ:
ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରହିଛି ଏକାମ୍ର କ୍ଷେତ୍ର । ପବିତ୍ର ମହାଶିବରାତ୍ରିକୁ ନେଇ ରଙ୍ଗୋଲିରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣ । ଦିନ 11ଟା ପର୍ଯ୍ୟନ୍ତ ଗର୍ଭଗୃହରେ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଏହା ପରେ ଗର୍ଭଗୃହ ଶୁଦ୍ଧ କରାଯିବା ସହ ଠାକୁରଙ୍କ ପୂଜା ନୀତି ଆରମ୍ଭ ହୋଇଥିଲା । ତେବେ 11ଟା ପରଠାରୁ ଶ୍ରଦ୍ଧାଳୁ ଆଡ଼କାଠି ଠାରେ ଦିନ ତମାମ ଦର୍ଶନ କରିଛନ୍ତି । ସନ୍ଧ୍ୟା ଧୂପ ପରେ ପ୍ରଭୁଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା । ରାତି 10ଟା 45 ମିନିଟ ସମୟରେ ମହାଦୀପ ଉଠିବା ପରେ ଭକ୍ତମାନେ ଦର୍ଶନ କରିବା ସହ ଉପବାସ ଭଙ୍ଗ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର