ଭୁବନେଶ୍ବର: ପବିତ୍ର ମହାଶିବରାତ୍ରୀକୁ ଅପେକ୍ଷା କରିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।ଏହି ଅବସରରେ ବର୍ଷକରେ ଥରେ ଦେବ ଦେବ ମହାଦେବଙ୍କ ଉପାସନା କରି ଆଶିଷ ଲାଭ କରିବାର ସୁଯୋଗ ମିଳିଥାଏ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପବିତ୍ର ଜାଗର ଯାତ୍ରା ଅବସରରେ ଲିଙ୍ଗରାଜଙ୍କ ପୀଠରେ ବର୍ଷକରେ ଥରେ ମିଳେ ଏହି ଅପୂର୍ବ ସୁଯୋଗ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜଙ୍କ ମନ୍ଦିର ଉପରେ ମଧ୍ୟ ଏକ ଉଡ଼େ ଧ୍ଵଜା । ଯାହାକୁ ସ୍ପର୍ଶ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବା ପାଇଁ ପଡ଼େ । ତେବେ ଆପଣମାନେ ଜାଣିଛନ୍ତି କି ? ଏହି ଧ୍ବଜାକୁ କ'ଣ କୁହାଯାଏ ?
- ଲିଙ୍ଗରାଜଙ୍କ ଧ୍ବଜାର ନାଁ କ'ଣ :
ପ୍ରଭୁ ଲିଙ୍ଗରାଜ ମନ୍ଦିରର ଧ୍ବଜାର ନାମ 'ଆର୍ତ୍ତତ୍ରାଣ ଧ୍ଵଜା' । ଯାହାକୁ ଛୁଇଁବା ପାଇଁ ବର୍ଷକରେ ଥରେ ସୁଯୋଗ ମିଳିଥାଏ । ପବିତ୍ର ଜାଗର ଯାତ୍ରାରେ ଏହି ବାନାକୁ ଛୁଇଁ ମାନସିକ କରିଥାନ୍ତି ଅନେକ ଶ୍ରଦ୍ଧାଳୁ । ଏପରିକି ଏହି ଧ୍ଵଜା ଛୁଇଁବା ଅର୍ଥାତ୍ ଲିଙ୍ଗରଜ ମନ୍ଦିରର ଅଗ୍ରଭାଗକୁ ଛୁଇଁବା ସହ ସମାନ । ଯେହେତୁ ଏହି ଧ୍ବଜା ମନ୍ଦିର ଉପରେ ଉଡ଼େ । ସର୍ବସାଧାରଣ ପାଇଁ ମନ୍ଦିର ଉପରକୁ ଯିବା ପାଇଁ ଅନୁମତି ନଥାଏ । ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ଗୋଟିଏ ବାନା ଓ ସମର୍ଥା ସେବାୟତ ପକ୍ଷରୁ ଏକ ବାନା ସଂଯୋଗ କରଯାଇଥାଏ । ଯାହାର ଲମ୍ବା ୧୦୮ ହାତ ଥାଏ । ସେହି ବାନାଟି ମନ୍ଦିର ଦକ୍ଷିଣ ଦ୍ବାର ଗଣେଷଙ୍କ ପାଖରେ ଏକ ଚକ୍ର ସହ ସଂଯୋଗ କରାଯାଇଥାଏ । ଏହି ଧ୍ଵଜାକୁ ଛୁଇଁ ଅନେକ ଲୋକ ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ଲାଭ କରନ୍ତି ।
- ସମର୍ଥା ସେବାୟତ କାହାକୁ କୁହାଯାଏ ?
ଯେଉଁମାନେ ମନ୍ଦିର ଉପରେ ଚଢ଼ି ମହାଦୀପ ଉଠାଇବା ସହ ଧ୍ଵଜା ବାନ୍ଧିବା ଭଳି ମନ୍ଦିର ଅନେକ ସେବା କରିଥାନ୍ତି ତାଙ୍କୁ 'ସମର୍ଥା ସେବାୟତ' କୁହାଯାଏ । ସମର୍ଥା ସେବାୟତମାନେ ଏଠାରେ ବସି ଧ୍ଵଜା ଛୁଇଁବା ପାଇଁ ଭକ୍ତଙ୍କୁ ସୁଯୋଗ ଦିଅନ୍ତି ।ଏହି ଅବସରରେ ସମର୍ଥା ସେବାୟତ ରାକେଶ ସମର୍ଥା କହିଛନ୍ତି," ଏଥିପାଇଁ ଏକ ବୟସ ସୀମା ଥାଏ । ୨୨ ବର୍ଷ ବୟସ ହେଲେ ଏହି ସେବା ପାଇଁ ସୁଯୋଗ ଦିଆଯାଏ । ସେମାନଙ୍କୁ ମନ୍ଦିର ଉପରକୁ ଚଢିବା ଶିଖାଯାଏ । ପରେ ଧିରେ ଧିରେ ସେମାନେ ଉପରକୁ ଚଢନ୍ତି । କେବଳ ସେତିକି ନୁହେଁ ବିଷ୍ଣୁଙ୍କ ମୁଣ୍ଡ ଉପରେ ଗୋଡ଼ ରଖି ମଧ୍ୟ ସେମାନେ ମନ୍ଦିର ଚଢନ୍ତି । ଏଥିପାଇଁ ପ୍ରଭୁଙ୍କୁ କ୍ଷମା ଓ ଆଶୀର୍ବାଦ ଭିକ୍ଷା କରନ୍ତି । ସେମାନଙ୍କୁ ମନ୍ଦିର ଉପରେ ମହାଦୀପ ଧରି ବୁଲିବାକୁ ହୁଏ । ନିର୍ଦ୍ଦିଷ୍ଟ ପଥର ଅଛି ତାର ଉପରେ ଗୋଡ଼ ରଖି ଯିବାକୁ ପଡ଼େ । ଭୟ ଥାଏ ତଥାପି ପ୍ରଭୁଙ୍କ ଭରସାରେ ଏହି ସେବା କରିବାରେ ଡର ନଥାଏ । "
- ଆର୍ତ୍ତତ୍ରାଣ ଧ୍ଵଜାକୁ ଛୁଇଁଲେ ସବୁ ମନସ୍କାମନା ପୁରଣ ହୁଏ:
ସେହିପରି ଆଉ ଜଣେ ସମର୍ଥା ସେବାୟତ ତଥା ମହାଦୀପ ଉଠାଉଥିବା ଯୋଗେଦ୍ର ସମର୍ଥା କହିଛନ୍ତି," ବର୍ଷକୁ ଥରେ ଲୋକଙ୍କ ଅପେକ୍ଷା କରନ୍ତି, ପ୍ରଭୁଙ୍କ ଏହି ଧ୍ବଜା ଛୁଇଁ ଆଶୀର୍ବାଦ ନେବାକୁ । ବହୁ କାଳରୁ ଏହି ପରମ୍ପରା ରହିଆସିଛି । ଯେପରି ଜଗନ୍ନାଥଙ୍କ ପତିତପାବନ ବାନା ସେହିପରି ଏହି ଆର୍ତ୍ତତ୍ରାଣ ବାନା । ଯାହାକୁ ଛୁଇଁଲେ ସବୁ ମନସ୍କାମନା ପୁରଣ ହୁଏ ।"
ଇଟିଭି ଭାରତ, ଭୁବନେଶ୍ବର