ଭୁବନେଶ୍ବର: ମାଟି ହାଣ୍ଡି ଆଉ ସଢେଇ ଡଙ୍କାର ଯୁଗଳବନ୍ଦୀ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣା ।ଏବେ କିନ୍ତୁ ରୋଷେଇ ଘରୁ ଗାଏବ ସଢେଇ ଡଙ୍କା । ଯୁଗ ବଦଳିବା ସହ ଲୋପ ପାଇଯାଇଥିବା ଏହି ସଢେଇ ଡଙ୍କା ପୁଣି ଥରେ ଜୀବନ୍ତ ହୋଇଉଠିଛି । ସେହି ସମାନ ବସ୍ତୁ ନ ହେଉ ପଛେ କିନ୍ତୁ ସଢେଇରୁ ପ୍ରସ୍ତୁତ କପ ପ୍ଲେଟ, ଥାଳିଆ, ଗିନା, ଚାମୁଚର ଚାହିଦା ବଢିଛି । ସଢେଇରୁ ତିଆରି ହୋଇପାରୁଛି ସୁନ୍ଦର ସୁନ୍ଦର କଳାକୃତି । ସେ ଗହଣା ହେଉ କି ବାସନ କୁସନ । ବଡ ବଡ ମୟୂର ଠୁ ବଡ ମାଛ ପର୍ଯ୍ୟନ୍ତ । ଏସବୁ ଦିଶିବ ଦେବୀ ପ୍ରସାଦଙ୍କ ସଢେଇ କଳା କାରଖାନାରେ । ସଢେଇରୁ ଯେ ଏତେ ସୁନ୍ଦର କଳାକୃତି ପ୍ରସ୍ତୁତ ହୋଇପାରେ ଆଖିରେ ନ ଦେଖିଲେ ବିଶ୍ବାସ ହେବନି । ସଢେଇରେ ପୁଣି ଏତେ ସୂକ୍ଷ୍ମ କଳାକୃତି । ଏତେ ଛୋଟ ବସ୍ତୁରେ କଳାକୃତି କରିବା ପାଇଁ ଯେମିତି ସବୁ ଧୈର୍ଯ୍ୟକୁ ଏକାଠି ସାଉଣ୍ଟିଛନ୍ତି କଳାକାର । ଆଖି ନିରିଖେଇ ନିଷ୍ଠାର ସହ ସଢେଇକୁ କାଟି କାଟି ବିଭିନ୍ନ କଳାକୃତି ପ୍ରସ୍ତୁତ କରୁଛନ୍ତି । ଯେଉଁଥିପାଇଁ ମାନ ସମ୍ମାନ ସାଙ୍ଗକୁ ରୋଜଗାର ଦେଇଛି ସଢେଇ ।
- ବଡ କମ୍ପାନୀର ଏଚଆରରୁ ସଢେଇ ଆର୍ଟ
ଯେଉଁ ଜିନିଷକୁ ଆମେ ଅଦରକାରୀ ଭାବି ଫିଙ୍ଗି ଦେଉଛେ, ପରବର୍ତ୍ତୀ ମୁହୂର୍ତ୍ତରେ ସେସବୁକୁ ବ୍ୟବହାରଯୋଗ୍ୟ କରିପାରିଛନ୍ତି ଦେବୀ । ଏକଦା ଲିଙ୍ଗରାଜ ମନ୍ଦିର ରାସ୍ତାରେ ଯାଉଥିବାବେଳେ ନଡିଆ ସଢେଇ ଉପରେ ଦେବୀ ପ୍ରସାଦଙ୍କ ନଜର ପଡିଥିଲା । ସାଧାରଣତଃ ମନ୍ଦିର ମାଳିନୀ ଅଞ୍ଚଳରେ ପ୍ରତିଦିନ ନଡିଆ ବ୍ୟବହାର ହେବା ସାଧାରଣ କଥା । ନଡିଆ ବ୍ୟବହାର ପରେ କୁଢକୁଢ ସଢେଇ ରାସ୍ତାକଡରେ ଦେଖିବାକୁ ପାଇଥିଲେ ଦେବୀ । ଯାହାକି ରାସ୍ତାକଡରେ ବର୍ଜ୍ୟ ଥିଲା । ଏହି ବର୍ଜ୍ୟବସ୍ତୁକୁ ଏକ ସୁଯୋଗ ଭାବିଥିଲେ ଦେବୀ । ଆଉ ଏହି ବର୍ଜ୍ୟବସ୍ତୁର ସୁଦୂପଯୋଗ କରି ନିଜ ଜୀବନ ବଦଳାଇବା ସହ ଅନ୍ୟମାନଙ୍କ ଜୀବନ ବଦଳାଇ ଦେଇଥିଲେ ।
2011ରେ ନଡିଆ ସଢେଇରେ କାମ ଆରମ୍ଭ କରିଥିଲେ ଦେବୀ ପ୍ରସାଦ । ଘରୋଇ ଉପକରଣ, ଜୁଏଲରୀ ଓ ଡେକୋରେଟିଭ ଆଇଟମ ତିଆରି କରିଥିଲେ ଦେବୀ । 2017ରେ ‘ଏ ଜର୍ଣ୍ଣି ଫ୍ରମ ୱେଷ୍ଟ ଟୁ ୱେଲ୍ଥ’ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ତାଙ୍କ କାମ ଲୋକଲୋଚନକୁ ଆସିଥିଲା ।

ଚାକିରି ଛାଡ଼ିବା ପରେ ସଢେଇ କଳା ଯୋଗାଇଛି ବଞ୍ଚିବାର ରାହା। ସେ ଘରସଜ୍ଜା ସାମଗ୍ରୀ ହେଉ ଅବା ଖେଳନା ଅବା ନିତ୍ୟ ବ୍ୟବହାର୍ଯ୍ୟ ସମଗ୍ରୀ। ସେ ହେଉଛନ୍ତି ଦେବୀପ୍ରସାଦ ଦାଶ। ରାଜଧାନୀର ପୁରୁଣା ଭୁବନେଶ୍ୱରରେ ପୂନାମା ଗେଟ୍ ନିକଟରେ ଦେବୀପ୍ରସାଦଙ୍କ ଘର। ବୟସ ମାତ୍ର ୩୯ ବର୍ଷ। 2004ରେ ଏମବିଏ ସାରି ନୂଆଦିଲ୍ଲୀରେ ଏଚଆର ଭାବେ ଚାକିରି କରିଥିଲେ । ଓଡିଶାରେ ବର୍ଜ୍ୟବସ୍ତୁ ବ୍ୟବସାୟର ଭରପୁର ସୁଯୋଗ ଥିବା ଜାଣିବାକୁ ପାଇଥିଲେ ଦେବୀ । ପୂର୍ବରୁ ସଢେଇରେ ରଙ୍ଗ ଦିଆଯାଇ ବିଭିନ୍ନ କଳାକୃତି କରିବାର ଦେଖିବାକୁ ମିଳିଥିଲା। କିନ୍ତୁ ଦେବୀ ପ୍ରସାଦ ସଢ଼େଇକୁ କାଟି ଟେକ୍ନୋଲୋଜି ମାଧ୍ୟମରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଏଥିପାଇଁ ସେ କାହାଠାରୁ ପ୍ରଶିକ୍ଷଣ ନେଇଛନ୍ତି ନା ସେମିତି କିଛି କୋର୍ସ କରିଛନ୍ତି। କେବଳ ଦୃଢ଼ ମନୋବଳ ଯୋଗୁଁ ସେ ଏସବୁ କରିବା ପାଇଁ ସକ୍ଷମ ହୋଇଛନ୍ତି। ଓଡ଼ିଶାରେ କ୍ରାଫ୍ଟକୁ ନେଇ ବହୁ କାରୁକାର୍ଯ୍ୟ କରାଯାଏ, କିନ୍ତୁ ବର୍ଜ୍ୟବସ୍ତୁରୁ ବ୍ୟବସାୟ ଉପଯୋଗୀ ସାମଗ୍ରୀ କରିବା ନିହାତି ଭାବେ ବିରଳ ।

ଗତ 2023ରେ ଓଡ଼ିଶା ସରକାରଙ୍କ ରାଜ୍ୟ ହସ୍ତଶିଳ୍ପ ବିଭାଗ MCM ଏମ୍ପାନେଲଡ୍ ମାଷ୍ଟର ନଡ଼ିଆ ସେଲ୍ କ୍ରାଫ୍ଟସ୍ ପର୍ସନ ଭାବେ ଦେବୀଙ୍କ ପ୍ରୟାସକୁ ସ୍ୱୀକୃତି ଦେଇଥିଲା । ଏହା ପରେ ସାମାଜିକ ସଂଗଠନ ଗୁଡ଼ିକ ତାଙ୍କୁ ନଡ଼ିଆ ସଢେଇ କଳାକୃତି ଉପରେ ତାଲିମ ଦେବା ପାଇଁ ମାଷ୍ଟର ଟ୍ରେନର ଭାବରେ ନିଯୁକ୍ତ କରିଥିଲେ।
- 100 ରୁ 3 ଲକ୍ଷ ଟଙ୍କାରେ ମିଳୁଛି ସଢେଇ କଳାକୃତି
ସଢ଼େଇରୁ ବଡ଼ ବଡ଼ ମୟୂର, କପ୍ ପ୍ଲେଟ୍, ଥାଳିଆ, ସଲାଡ୍ ବାଉଲ, ପ୍ଲାୱାର ପଟ୍ ଆଦି ତିଆରି କରୁଛନ୍ତି। କେବଳ ସେତିକି ନୁହେଁ ସଢ଼େଲରେ ସେ ପ୍ରସ୍ତୁତ କରୁଛନ୍ତି ବ୍ରେସ୍ଲେଟ୍, ଇୟରିଙ୍ଗସ, ଜୁଏଲାରୀ ବକ୍ସ, ନେକଲେସ୍ ଆଦି ତିଆରି କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ନଡ଼ିଆ ଶଡ଼େଇରେ ତିଆରି ହୋଇଛି ‘ୱାଲ୍ ଟାଇଲ୍’ । ଯାହାକି ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବ୍ୟବହାର ଉପଯୋଗୀ ହୋଇପାରିବ। ଏସବୁ ଜିନିଷର ମୂଲ୍ୟ ୩ଶହ ଟଙ୍କାରୁ ଆରମ୍ଭ ହୋଇ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। କେବଳ ସେତିକି ନୁହେଁ ସଢ଼େଇକୁ କାଟି ୨୦-୩୦ ପ୍ରକାରର ଚଢ଼େଇ, ସାଇକେଲ, ସ୍କୁଟର, ଗୋଲାପ ଫୁଲ, ସାର୍ଟ ବଟମ୍ ଆଦି ତିଆରି କରୁଛନ୍ତି ।

ସଢ଼େଇକୁ ଗୁଣ୍ଡ କରି ହୁକା ବାର୍ ବ୍ୟବହାର ପାଇଁ ଏବଂ ଧୂପକାଠି ବ୍ୟବହାର ପାଇଁ ଯୋଗାଉଛନ୍ତି। ଏହି ସବୁ ଜିନିଷକୁ ସେ ବଡ଼ ବଡ଼ ହୋଟେଲର ସାଜସଜ୍ଜା ପାଇଁ ବିକ୍ରି କରିବାକୁ ଯୋଜନା ମଧ୍ୟ ରଖିଛନ୍ତି। ଦେବୀଙ୍କ ପାଖରେ 100 ଟଙ୍କାରୁ ଆରମ୍ଭ କରି 10 ହଜାର ଟଙ୍କା ପର୍ଯ୍ୟନ୍ତ ଜୁଏଲରୀ ଆଇଟମ ରହିଛି । ତେବେ ଏଯାଏଁ ଓଡିଶା ବଜାରରେ ପ୍ରବେଶ କରିପାରିନି ଦେବୀଙ୍କ ସଢେଇ କଳା । ଅର୍ଡର ମୁତାବକ ଗ୍ରାହକଙ୍କୁ ଜିନିଷ ଯୋଗାଇଥାନ୍ତି ଦେବୀ । ବେଳେବେଳେ ବିଭିନ୍ନ ମେଳା ଓ ପ୍ରଦର୍ଶନୀରୁ ରୋଜଗାର କରିଥାନ୍ତି । ସଢେଇରୁ ପ୍ରସ୍ତୁତ ଜୁଏଲରୀର ଦାମ 100 ଟଙ୍କା ରହିଥିବାବେଳେ ମୟୂରର ସର୍ବାଧିକ ମୂଲ୍ୟ 3 ଲକ୍ଷ ଟଙ୍କା ରହିଛି ।
- ମୟୂର ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ
2020 ମସିହାରେ କୋଭିଡ 19 ସମୟରେ ସଢେଇରେ ମୟୂର ତିଆରି କରି ରେକର୍ଡ କରିଥିଲେ ଦେବୀ । ମାତ୍ର 35 ଦିନରେ ପାଞ୍ଚ ଫୁଟ ଲମ୍ବ ଓ ତିନି ଫୁଟ ଉଚ୍ଚତାର ମୟୂର ସେ ସଢେଇରୁ ପ୍ରସ୍ତୁତ କରିଥିଲେ । ଯେଉଁଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଦେବୀ । 2021ରେ ସେ ଭୁବନେଶ୍ବରରେ ଆୟୋଜିତ ଏମଏସଏମଇ ଟ୍ରେଡ ଫେୟାରରେ ଯୋଗ ଦେଇଥିଲେ । ଯେଉଁଥିରେ ସମଗ୍ର ଓଡିଶାରୁ ଯୋଗ ଦେଇଥିବା ଲୋକେ ସଢେଇରୁ ପ୍ରସ୍ତୁତ ଘରୋଇ ଉପକରଣ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହା ତାଙ୍କ ପାଇଁ ଗର୍ବ ଆଣିଦେଇଥିଲା ବୋଲି କହିଛନ୍ତି ଦେବୀ ।

- ପୁରୀ-ଫିଲିପାଇନ୍ସରୁ ମଗାନ୍ତି ନଡିଆ
ଓଡିଶାରେ ପାଖାପାଖି 650 କିଲୋମିଟର ସମୁଦ୍ର ତଟ ଅଞ୍ଚଳ ଥିବାରୁ ନଡିଆ ସଢେଇରେ କ୍ୟାରିଅର ଗଢିବାକୁ ମନସ୍ଥ କରିଥିଲେ ଦେବୀ । କେବଳ ସମୁଦ୍ର ତଟ ଅଞ୍ଚଳ ସାକ୍ଷୀଗୋପାଳ, ନିମାପଡା, ପୁରୀ କି କୋଣାର୍କ ନୁହେଁ ଛୋଟ ଛୋଟ ଜଳଖିଆ ଦୋକାନୀଙ୍କ ଉପରେ ନିର୍ଭର କରିଥାନ୍ତି ଦେବୀ ପ୍ରସାଦ । ବେଳେବେଳେ ସାମଗ୍ରୀର ଡିମାଣ୍ଡକୁ ଦେଖି କର୍ଣ୍ଣାଟକ, ଥାଇଲାଣ୍ଡ, ଭିଏତନାମ, ତାମିଲନାଡୁ, ଶ୍ରୀଲଙ୍କା ଓ ଫିଲିପାଇନ୍ସର ନଡିଆ ବ୍ୟବହାର କରିଥାନ୍ତି । ଛୋଟରୁ ବଡ ସବୁ ନଡିଆ ବ୍ୟବହାର କରିଥାନ୍ତି ଦେବୀ । ମନ୍ଦିର ମାଳିନୀ ଅଞ୍ଚଳ ଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରରୁ ବେଳେବେଳେ ସେ ନଡିଆ ସଂଗ୍ରହ କରିଥାନ୍ତି । ମାଳିଟେ ତିଆରି ପାଇଁ ଟିକେ ମୋଟା ନଡିଆ ଦରକାର ହୋଇଥାଏ । ଏଣୁ ଚାହିଦା ଅନୁସାରେ ସେ ବାଛି ବାଛି ନଡିଆ ବ୍ୟବହାର କରିଥାନ୍ତି । 100 ରୁ ଅଧିକ ପ୍ରକାର ନଡିଆ ସଢେଇ ବ୍ୟବହାର କରନ୍ତି ଦେବୀ ।
ଏହା ମଧ୍ୟ ପଢନ୍ତୁ ବାଉଁଶୁଣୀ ଲୋକ ମହୋତ୍ସବ: ମନ ମୋହିଲା ପାରମ୍ପରିକ ଲୋକକଳା
ଏହା ମଧ୍ୟ ପଢନ୍ତୁ ମାର୍କେଟରେ ଏବେ ମାଳମାଳ ନକଲି ସମ୍ବଲପୁରୀ ଶାଢୀ, ଜିଏସଟି ମାଡରେ ଘାଇଲା ଅସଲି ବୁଣାକାର
- ପଡୋଶୀ ଯୋଗାଇ ଦିଅନ୍ତି 50 ରୁ 60 ସଢେଇ
ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବାସୁଦେବ ମନ୍ଦିରରେ ଦିନକୁ ଶହ ଶହ ଶଡ଼େଇ ପଡ଼ି ନଷ୍ଟ ହେଉଥିବାର ସେ ଦେଖି ଏହାକୁ ନେଇ କିଛି କରିବାର ଆଶା ତାଙ୍କୁ ଏତେ ବାଟ ପର୍ଯ୍ୟନ୍ତ ପହଞ୍ଚାଇଛି। ସେ ପ୍ରତିଦିନ ସେଠାକୁ ଯାଇ ସଢ଼େଇ ସଂଗ୍ରହ କରନ୍ତି। ଏମିତିକି ଦେବୀଙ୍କ ଏଭଳି ସୃଜନଶୀଳତା ଦେଖି ପାଖ ପଡ଼ିଶା ‘ନଡ଼ିଆ ବ୍ୟବହାର ହୋଇସାରିଲା ପରେ କୋକୋ ବିନ୍’ରେ ଶଡ଼େଇକୁ ଆଣି ପକାନ୍ତି। ଏବେ ପ୍ରାୟ ୫୦-୬୦ ଘର ତାଙ୍କୁ ଶଡ଼େଇ ଦେଉଛନ୍ତି। ଏହି ଶଡ଼େଇ କଳା ପାଇଁ ଦେବୀ ସେଥିପାଇଁ ବ୍ୟବହାର କରାଯାଉଥିବା ଯନ୍ତ୍ରପାତି ସବୁକୁ ମଧ୍ୟ ଶଡ଼େଇରେ ନିଜେ ତିଆରି କରିଛନ୍ତି। ଏହିସବୁ ସାମଗ୍ରୀକୁ ଏକ ଘରେ ରଖି ତାହାର ନାମ ରଖିଛନ୍ତି ‘କାର୍ଟବୁଲ୍ ଲାଫ୍ଟ ଗ୍ୟାଲେରୀ’। ଏହି କାମ ଦେବୀ ପ୍ରସାଦ ୨୦୧୮ ମସିହାରୁ ଆରମ୍ଭ କଲେଣି। ଏଥିରେ ନିଜେ ରୋଜଗାରକ୍ଷମ ହେବା ସହ ମହିଳା ଓ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ୧୦ ରୁ ଅଧିକ ମହିଳା ଓ ଯୁବପିଢ଼ିଙ୍କୁ ମାଗଣାରେ ଏହି ଶିକ୍ଷା ଦେଉଛନ୍ତି।

ଦେବୀ ପ୍ରସାଦ କହିଛନ୍ତି ‘‘ନଡିଆର ଉତ୍ପାଦ ବଢୁଛି କିନ୍ତୁ ଆମେ ସଢେଇକୁ ନଷ୍ଟ କରୁଛେ । ଏହା ଏକ ଉତ୍ତମ କୃଷି ବର୍ଜ୍ୟବସ୍ତୁ । ଇଉରୋପିଆନ, ଆରବିଆନ ବଜାର ନଡିଆ ସଢେଇକୁ ବାସନ କୁସନ ଭାବେ ବ୍ୟବହାର କରନ୍ତି । କାରଣ ନିଜ ପରିବେଶକୁ ସଫା ସୁତୁରା ରଖିବା ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସେମାନେ ଏହାର ବ୍ୟବହାର କରିଥାନ୍ତି । ସେହିପରି ଏହି ପ୍ରଡକ୍ଟର ଜୁଏଲରୀ ପିନ୍ଧିବା ପାଇଁ ପସନ୍ଦ କରନ୍ତି । ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ସେମାନେ ଏହି ଜୈବିକ ପ୍ରଡକ୍ଟର ବ୍ୟବହାର କରନ୍ତି । ମୁଁ ନଡିଆ ସଢେଇରୁ ୟୁଟିଲିଟି, ଜୁଏଲରୀ ଓ ଡେକୋରେଟିଭ ଆଇଟମ ତିଆରି କରୁଛି । ସେ ସାର୍ଟର ବୋତାମ ହେଉ କି ଆଇସକ୍ରିମ ଚାମଚ ଏସବୁ ପ୍ଲାଷ୍ଟିକ ପରିବର୍ତ୍ତେ ଏସବୁରେ ନଡିଆ ସଢେଇ ବ୍ୟବହାର କରନ୍ତୁ । ପ୍ଲାଷ୍ଟିକର ବିକଳ୍ପ ଯଦି ଏବେ ନ ବାହାରିବ ଏହା ଆଗାମୀ ଭବିଷ୍ୟତ ପାଇଁ ନିଶ୍ଚିତ ହାନିକାରକ ହେବ । ମାର୍କେଟରେ ନଡିଆ ସଢେଇରୁ ପ୍ରସ୍ତୁତ ସାମଗ୍ରୀ କମ ଥିବାରୁ ଏହାର ବଜାର ଦର ଭଲ ରହିଛି । ଓଡିଶାରେ ସରକାରଙ୍କ ସହାୟତା ବା ସମର୍ଥନ ମିଳିଲେ ଓଡିଶା ବଜାରରେ ବୃଦ୍ଧି ପାଆନ୍ତା ସଢେଇ କଳାର ବଜାର’’ ।
ପ୍ରଶିକ୍ଷଣ ନେଉଥିବା ସର୍ଜନୀ ବେଗମ କହିଛନ୍ତି ଯେ, ‘‘ପିଲାଟି ଦିନରୁ ଆର୍ଟ ପ୍ରତି ରୁଚି ଥିଲା କିନ୍ତୁ ସମର୍ଥନ ମିଳି ନଥିଲା। ମୋ ସାଙ୍ଗ ଠାରୁ ମୁଁ ଏହି ସଢେଇ କଳାକୃତି ବିଷୟରେ ଜାଣିବାକୁ ପାଇଲି । ଏଠାରେ ଟ୍ରେନିଂ ନେଇ ମୁଁ ଜୁଏଲରୀ ଠୁ ନେଇ ଅନ୍ୟାନ୍ୟ କ୍ରାଫ୍ଟ କରୁଛି । ପ୍ରାୟ ଏକ ଘଣ୍ଟାରେ ମୁଁ 10ଟି ଇଅରିଂ କରିପାରୁଛି । ସେହିପରି ଦିନକୁ ପ୍ରାୟ ୫ ଟି କଳାକୃତି କରୁଛି’’ ।