ଭୁବନେଶ୍ବର: ଯୋଡ଼ା-ବଡ଼ବିଲ, ବଡ଼ବିଲ-ବରଷୁଆଁ ରେଳ ଲାଇନ ସମ୍ପର୍କରେ ବଡ଼ ସୂଚନା । ରାଜ୍ୟର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲାଇନ ନିର୍ମାଣ ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ଆଲୋଚନା ପରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି । ୨୫୦ କିଲୋମିଟର ଦୀର୍ଘ ଗୋପାଳପୁର-ରାୟଗଡା ନୂଆ ରେଳ ଲାଇନ ଓ ନୂଆପଡା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ ପାଇଁ ଫାଇନାଲ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି । ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶା, ବିଶେଷକରି ଦକ୍ଷିଣ ଓଡିଶାରେ ରେଳ ଭିତ୍ତିଭୂମି ସହିତ ଅର୍ଥନୈତିକ ବିକାଶ ଆହୁରି ବ୍ୟାପକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଫୋକସ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ବିକାଶର ଯେଉଁ ଲକ୍ଷ୍ୟ ରଖିଛି ତାହା ନିଶ୍ଚୟ ହାସଲ କରିବ । ଦିଲ୍ଲୀ ଗସ୍ତରେ ସମୟରେ କେନ୍ଦ୍ର ରେଳ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୋର ଆଲୋଚନା ହୋଇଛି । ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ ନୂଆ ପ୍ରକଳ୍ପ ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଛି । ''
ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ, ସରିଲା ନୟାଗଡର T3 ଟନେଲ କାର୍ଯ୍ୟ
ଯୋଡ଼ା-ବଡ଼ବିଲ ଓ ଯୋଡ଼ା-ବରଷୁଆଁ ରେଳ ଲାଇନ ନିର୍ମାଣ:
ମୁଖ୍ୟମନ୍ତ୍ରୀ ଯୋଡ଼ା-ବଡ଼ବିଲ ଓ ଯୋଡ଼ା-ବରଷୁଆଁ ରେଳ ଲାଇନ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ଦ୍ୱାରା ବଡ଼ବିଲ, ଯୋଡ଼ା ଓ କେନ୍ଦୁଝରକୁ ନେଇ ଏକ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଏହା ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ଦୁଇଟି ରେଳ ଲାଇନ ନିର୍ମାଣ ସମ୍ଭାବନା ମଧ୍ୟ ଉଜ୍ୱଳ ହୋଇଛି । ଏହା ସହିତ ରାଜ୍ୟର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଦକ୍ଷିଣ ଓଡ଼ିଶାର ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିରେ ରେଳ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ଏହା ଦ୍ୱାରା ବିକାଶର ଗତି ବହୁଗୁଣିତ ହେବ ଓ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ।
ଓଡ଼ିଶାରେ ରେଳ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯାଉଛି:
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଏହି ଦୁଇଟି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସକରାତ୍ମକ ଦୃଷ୍ଟି ରଖି ପଦକ୍ଷେପ ନେଉଛନ୍ତି । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଫୋକସ ରହିଛି । ଆଗାମୀ ୨୫ ବର୍ଷର ଅମୃତ କାଳରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡ଼ିଶାକୁ ଦେଶର ଅର୍ଥନୀତିର ଇଞ୍ଜିନ ଭାବେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ରେଳ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯାଉଛି । ଓଡ଼ିଶାରେ ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ୨୦୧୪ ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୦୪୬ କି.ମି. ନୂଆ ରେଳ ଲାଇନ ନିର୍ମାଣ ହୋଇଛି । ଯାହା ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ଠାରୁ ଅଧିକ । ''
ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାର ଜନଜାତି ବହୁଳ ଓ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ରେଳ ଭିତ୍ତିଭୂମିର ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଫୋକସ ରହିଛି । ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର କୋଟି ଟଙ୍କାର ୮ ଟି ନୂଆ ରେଳ ଲାଇନ ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି । ୫୯ ଟି ରେଳ ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯାଉଛି । ଏଥିରୁ ୧୬ ଟି ଷ୍ଟେସନ ଆକାଂକ୍ଷୀ ଜିଲ୍ଲାରେ ରହିଛି । ପ୍ରଧାନମନ୍ତ୍ରୀ ନିକଟରେ ରାୟଗଡ଼ା ଡିଭିଜନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ଆଗାମୀ ଦିନରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାରେ ଆହୁରି ବ୍ୟାପକ ପଦକ୍ଷେପ ନିଆଯିବ ।
ଇଟିଭି ଭାରତ, ଭୁବନେଶ୍ବର