ପୁରୀ: କୁହାଯାଏ ‘‘ଷାଠିଏ ଶଗଡ ଫୁଲ ପିନ୍ଧିଥିବ ଚନ୍ଦନ ଲାଗି ସେ ହୋଇ’’। ଅର୍ଥାତ୍ ପ୍ରତିଦିନ ଶଗଡ ଶଗଡ ଫୁଲ ପରିଧାନ କରିଥାନ୍ତି ମହାପ୍ରଭୁ । ଅଧରମାଳ, ହୃଦପଦକ, ନାକଚଣା, ନାକଗୁଣା, କୁଣ୍ଡଳ, ତଡାଗି ଆଦି ପୁଷ୍ପ ଅଳଙ୍କାର ମହାପ୍ରଭୁଙ୍କ ଠାରେ ପ୍ରତିଦିନ ଲାଗି ହୋଇଥାଏ । ଆଉ ଏସବୁ ପୁଣି ଅଗାଣ୍ଠିଆ ମାଳ । କେଉଁଥିରେ ଗଣ୍ଠି ପଡେ ନାହିଁ । କେବଳ ଫୁଲ କାହିଁକି ଶ୍ରୀଅଙ୍ଗରେ ଲାଗି ହୋଇଥାଏ ତୁଳସୀ । ଗଭାରେ ତୁଳସୀ ମାଳ ଆଉ ବାମ ଭୂଜରୁ ଦକ୍ଷିଣ ଭୂଜ ହୋଇ ପାଦତଳେ ଲୋଟି ହୁଏ ରୁହେ ପୁଷ୍ପମାଲ୍ୟ । କାଳିଆର ପୁଷ୍ପ ଭାରି ପ୍ରିୟ । ଖାସ ଏଥିପାଇଁ ତ ଶୟନ ପୂର୍ବରୁ ପ୍ରତିଦିନ ବଡସିଂହାର ବେଶରେ ସଜେଇ ହୁଅନ୍ତି କଳା ଠାକୁର । ଏହି ବଡସିଂହାର ବେଶରେ ମହାପ୍ରଭୁ ଶୟନ କରିଥାନ୍ତି । କିନ୍ତୁ ସେଇ ଜଗତର ନାଥ ଜଗା ପାଇଁ ଏବେ ଫୁଲ ଅଭାବ । ଜଗତ ଯାକର କଥା ବୁଝୁଥିବା ଜଗନ୍ନାଥଙ୍କ ପାଇଁ ଶ୍ରୀମନ୍ଦିରରେ ଏବେ ଆଉ ଫୁଟୁନି ଫୁଲ ।
ମହାପ୍ରଭୁଙ୍କ ସେବା ପୂଜା ପାଇଁ ଆବଶ୍ୟକ ଫୁଲ ଓ ତୁଳସୀ ନିମନ୍ତେ ଶ୍ରୀମନ୍ଦିର ପରିସରରେ ନୀଳାଚଳ ଉପବନ ଓ କୋଇଲି ବେକୁଣ୍ଠ ରହିଛି । ହେଲେ ଏବେ ନା କୈବଲ ବୈକୁଣ୍ଠରେ ମିଳୁଛି ଫୁଲ ନା ନୀଳାଚଳ ଉପବନରେ ଅଛି ଫୁଲ ସମ୍ଭାର । କାରଣ ମନ୍ଦିର ଉନ୍ନତିକରଣ କାମ ପାଇଁ ପଥର କାମ ଚାଲିଥିବାରୁ ଏବେ ଆଉ ସେଠାରେ ଫୁଲ ଗଛ ଦେଖିବାକୁ ମିଳୁନାହିଁ । ଫୁଲ ସଙ୍କଟ ଦୂର କରିବା ପାଇଁ ଅଧିକ ପୁଷ୍ପ ଉଦ୍ୟାନ ତିଆରି କରିବାକୁ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

- ଉଦ୍ୟାନ ପାଇଁ ପ୍ରଶାସନ ଜାଗା ଦେଉନି
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ‘‘ଶ୍ରୀମନ୍ଦିର ପାଇଁ ଥିବା ପୁଷ୍ପ ଉଦ୍ୟାନରୁ ପର୍ଯ୍ୟାପ୍ତ ଫୁଲ ମିଳୁନାହିଁ । ତେବେ କିଛି ଭକ୍ତ ପ୍ରତିଦିନ ଶ୍ରୀମନ୍ଦିରକୁ ଫୁଲ ଯୋଗାଉଛନ୍ତି । ମହାପ୍ରଭୁଙ୍କ ପାଇଁ ଫୁଲ ଯୋଗାଇ ଦେବାକୁ ନେଇ ଏକ ଉଦ୍ୟାନ ପ୍ରତିଷ୍ଠା ନିମନ୍ତେ କିଛି ସ୍ଥାନ ଯୋଗାଇ ଦେବାକୁ ଛାମୁ ଖୁଣ୍ଟିଆ ନିଯୋଗ ପକ୍ଷରୁ ଅନେକ ଥର ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଯାଇଛି । ହେଲେ ଦୁଃଖର ବିଷୟ ମହାପ୍ରଭୁଙ୍କ ଜମି ଅନେକ ଲୋକ ଜବରଦଖଲ କରିଥିବା ବେଳେ ମହାପ୍ରଭୁଙ୍କ ପାଈଁ ଆବଶ୍ୟକ ଥିବା ଉଦ୍ୟାନ ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆମକୁ ଜାଗା ଦେଉନାହିଁ । ଯେତେବେଳେ ଫୁଲ ସଙ୍କଟ ନେଇ ଅଭିଯୋଗ ଆସେ ସେତେବେଳେ ଅଧିକାରୀ ମାନେ କିଛି ଦିନ ତତ୍ପର ହେବା ପରେ ପୂର୍ବ ଭଳି ନିଘୋଡ ନିଦରେ ଶୋଇପଡୁଛନ୍ତି । ମହାପ୍ରଭୁଙ୍କ ପାଇଁ ଫୁଲ ସବୁବେଳେ ଅଭାବ ରହିଛି । ନୁଆ ଫୁଲ ଉଦ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଜମାବି ଆନ୍ତରିକତା ନାହିଁ’’ ।

- ବଜାରରୁ କିଣା ଫୁଲ ପିନ୍ଧନ୍ତି ନାହିଁ ମହାପ୍ରଭୁ
ଶ୍ରୀମନ୍ଦିର ଚୁନରା ସେବାୟତ ଶରତ ମହାନ୍ତି କହିଛନ୍ତି ‘‘ଗୋଲାପ, ପଦ୍ମ , ଗୁରୁଦଲାଙ୍ଗ, ମାଳତି, ଜୁଇ, ଯାଇ , ଚମ୍ପା, ଟଗର, ରଙ୍ଗଣି ଫୁଲ ଆଦି ସୁଗନ୍ଧିତ ପୁଷ୍ପ ମହାପ୍ରଭୁଙ୍କ ଅତି ପ୍ରିୟ ଫୁଲ । ପଣସ ପତ୍ର ଓ କଦଳୀ ପଟୁକାରେ ପୁଷ୍ପ ମାଲ୍ୟ ଗୁଡିକ ପ୍ରସ୍ତୁତ ହୋଇଥାଏ । ତେବେ ଅରଖ, ଦୁଦୁରା ,କେତକୀ ଶଙ୍କର ଭଗବାନଙ୍କ ପ୍ରିୟ ହୋଇଥିବାରୁ ଏହା ମହାପ୍ରଭୁଙ୍କ ଠାରେ ଲାଗି ହୋଇନଥାଏ । ଯେତେ ସୁଗନ୍ଧିତ ପୁଷ୍ପ ରହିଛି ତାହା ମହାପ୍ରଭୁ ପରିଧାନ କରିଥାନ୍ତି । ତୁଲସୀ ମହାପ୍ରଭୁଙ୍କ ଅତି ପ୍ରିୟ । ଏଣୁ ତୁଲସୀ ସବୁବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇଥାଏ । ବୃନ୍ଦାବତୀଙ୍କୁ ମହାପ୍ରଭୁ ବର ଦେଇଛନ୍ତି ତୁଳସୀ ସବୁବେଳେ ମହାପ୍ରଭୁଙ୍କ ମସ୍ତକରେ ରହିବ । ତୁଳସୀର ଗଭା, ଚୁଳ, ଦୟଣା ମାଳ ସହ ମହାପ୍ରଭୁଙ୍କ ସମଗ୍ର ଶ୍ରୀଅଙ୍ଗରେ ତୁଳସୀ ଲାଗି ହୋଇଥାଏ । ମହାପ୍ରଭୁଙ୍କର ତୁଳସୀ ଅତି ପ୍ରିୟ ହୋଇଥିବାରୁ ରାତିରେ ଯଦି କେହି ମହାପ୍ରଭୁଙ୍କୁ ତୁଲସୀ ର ମାଳ ଲାଗି କରିଥାନ୍ତି ତାହା ହେଲେ ସବୁ ମନସ୍କାମନା ପୁରଣ ହୋଇଥାଏ ବୋଲି ଅନେକ ଶାସ୍ତ୍ର ପୁରାଣରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିର ଭିତରେ ଥିବା ଉଦ୍ୟାନ ତୁଳସି ସଂଗ୍ରହ କରାଯାଉଥିବା ବେଳେ ଭକ୍ତ ମାନେ ମଧ୍ୟ ପ୍ରତ୍ୟେକ ଦିନ ଅନେକ ତୁଳସୀ ପ୍ରଦାନ କରିଥାନ୍ତି । ପାରିଜାତ, ବ୍ରହ୍ମ କମଳ ଭଳି ବିରଳ ପୁଷ୍ପକୁ ଭକ୍ତ ମାନେ ପ୍ରଦାନ କରୁଛନ୍ତି । ତେବେ ବଜାରରୁ ଅବା ବାହାର ରାଜ୍ୟରୁ ମହାପ୍ରଭୁଙ୍କ ପାଇଁ ଫୁଲ କିଣାଯାଏ ନାହିଁ । ଟ୍ରେନରେ ଅନ୍ୟ ସ୍ଥାନରୁ ଫୁଲ ଆସିଲେ ତାହା ମାରା ହୋଇଥାଏ । କାରଣ ଏହା ଉପଯୁକ୍ତ ପରିବେଶରେ ଆସି ନଥାଏ । ଏଣୁ ଏହାକୁ ଶ୍ରୀମନ୍ଦିରରେ ଗ୍ରହଣ କରାଯାଏ ନାହିଁ । କେବଳ ମନ୍ଦିରକୁ ଭକ୍ତ ଅଣିଥିବା ଫୁଲକୁ ଗ୍ରହଣ କରାଯାଇଥାଏ’’ ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଶ୍ରୀମନ୍ଦିର ଆଭ୍ୟନ୍ତରଣରେ ଥିବା କୋଇଲି ବୈକୁଣ୍ଠ ଓ ନିଳାଚଳ ଉପବନ ମହାପ୍ରଭୁଙ୍କ ସମସ୍ତ ଫୁଲ ଆବଶ୍ୟକତା ପୁରଣ କରୁଥିଲା । ତେବେ ଏହା ଆଉ ସମ୍ଭବ ହେଉନାହିଁ । ଏଣୁ ଫୁଲର ଆବଶ୍ୟକତା ପାଇଁ ଭକ୍ତଙ୍କ ମାଧ୍ୟମ ରେ ଫୁଲ ସଂଗ୍ରହ କରାଯାଉଛି । ମହିଳା ଭକ୍ତ ମାନେ ସେବା ମନୋଭାବ ନେଇ ମହାପ୍ରଭୁଙ୍କର ବିଭିନ୍ନ ପୁଷ୍ପ ମାଲ୍ୟ ପ୍ରତିଦିନ ଗୁନ୍ଥିଥାନ୍ତି । ତେବେ ଅତୀତରେ କାଳିଆ ସାଆନ୍ତଙ୍କ ନିକଟରେ ଯେତିକି ଫୁଲ ଲାଗି ହେଉଥିଲା ତାହା ଏବେ ବହୁତ କମିଗଲାଣି । ଏଣୁ ଫୁଲ ସଙ୍କଟ ସାମାଧାନ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଉଚିତ । ବହୁ ଭୁସମ୍ପତି ମହାପ୍ରଭୁଙ୍କ ନାମରେ ରହିଛି । ସେହି ଜାଗା ଗୁଡିକରେ ଯଦି ଉଦ୍ୟାନ କରାଯାଇପାରନ୍ତା ତାହା ହେଲେ ଫୁଲ ସଙ୍କଟ ସମାଧାନ ହୋଇ ପାରନ୍ତା ’’।

- ମନ୍ଦିର ପ୍ରଶାସନ କହୁଛି ଫୁଲର ଅଭାବ ନାହିଁ
ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ କହିଛନ୍ତି , ‘‘ଯେହେତୁ ଭକ୍ତ ମାନେ ପର୍ଯ୍ୟାପ୍ତ ଫୁଲ ପ୍ରତିଦିନ ଦେଉଛନ୍ତି ମହାପ୍ରଭୁଙ୍କ ପାଇଁ ଫୁଲର ଅଭାବ ନାହିଁ । ଯଦି ଅଧିକ ଫୁଲର ଆବଶ୍ୟକତା ଥାଏ ତେବେ ଶ୍ରୀମନ୍ଦିରରେ ଥିବା ମାଳି ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅର୍ଥ ଦିଆଯାଇ ଫୁଲ ବରାଦ ଦିଆଯାଇଥାଏ । ମାଳି ସେବକ ଫୁଲ ଆଣି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଥାନ୍ତି । ଆଗାମୀ ଦିନରେ ମହାପ୍ରଭୁଙ୍କ ପାଇଁ ଯେଭଳି ଫୁଲ ସଙ୍କଟ ସୃଷ୍ଟି ନ ହୁଏ ସେଥିପାଇଁ ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠରେ ଥିବା ପୁଷ୍ପ ଉଦ୍ୟାନକୁ ପୁନରୁଦ୍ଧାର କରାଯାଉଛି । ଏହି କାର୍ଯ୍ୟ ଶେଷ ପରେ ପୁରୀ ସହର ଭିତରେ ମଧ୍ୟ ଆହୁରି ଫୁଲ ଉଦ୍ୟାନ ତିଆରି କରାଯିବ । ଆଶା କରୁଛୁ ଆଗାମୀ ଦିନରେ ଆଉ ଫୁଲ ସମସ୍ୟା ରହିବ ନାହିଁ’’ ।

- ଯେତେଥର ନୂଆ ବେଶ ସେତେଥର ନୂଆ ପୁଷ୍ପ ଅଳଙ୍କାର
ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି , ‘‘ମହାପ୍ରଭୁ ଦୈନିକ ନିତୀରେ ଅନେକ ପୁଷ୍ପ ଅଳଙ୍କାର ପରିଧାନ କରିଥାନ୍ତି । ଅନେକ ପୁଷ୍ପ ଅଳଙ୍କାର ଭିତରେ ରହିଛି ଅଧରମାଳ । ଏହା ମହାପ୍ରଭୁଙ୍କ ଅଧର ଚୁମ୍ବିତ ମାଳ । ଏହା ଏକ ବଡ ଲମ୍ବା ମାଳ । ଏହା ମହାପ୍ରଭୁଙ୍କ ଦୁଇ ହସ୍ତରେ ଲାଗିଥାଏ । ଏଥି ସହିତ ଝୁମ୍ପା, ଗୁଣା , ନାକଚଣା , ହୃଦୟ ପଦକ, ଧାରଣ କରିଥାନ୍ତି ମହାପ୍ରଭୁ । ମହାପ୍ରଭୁ ଦୈନିକ ନିତୀରେ ଯେତେଥର ବେଶ ହୋଇଥାନ୍ତି ସେତେଥର ନୁଆ ପୁଷ୍ପ ଅଳଙ୍କାର ଧାରଣ କରିଥାନ୍ତି । ପ୍ରତ୍ୟେକ ଧୂପ ପୁର୍ବରୁ ମହାପ୍ରଭୁ ବେଶ ହୋଇଥାନ୍ତି । ଏହି ବେଶରେ ମହାପ୍ରଭୁ ନୂଆ କରି ପୁଷ୍ପ ଧାରଣ କରିଥାନ୍ତି । ବିଶେଷ କରି ମହାପ୍ରଭୁ ଯେତେବେଳେ ବଡ଼ସିଂହାର ବେଶ ହୋଇଥାନ୍ତି ସେତେବେଳେ ମହାପ୍ରଭୁଙ୍କୁ ଗୀତ ଗୋବିନ୍ଦ ଖଣ୍ଡୁଆରେ ବିଭୁଷିତ କରାଯାଇଥାଏ ।

ବଡ଼ସିଂହାର ବେଶରେ ମହାପ୍ରଭୁ କେବଳ ପୁଷ୍ପ ଅଳଙ୍କାରରେ ମହାପ୍ରଭୁ ବିଭୁଷିତ ହୋଇଥାନ୍ତି । ତାଙ୍କର ଅଧରମାଳ ,ହୁଦୟ ପଦକ , କର ପଲ୍ଲଭ ଆଦି ପୁଷ୍ପ ଅଳଙ୍କାର ଲାଗି ହୋଇଥାଏ । ଏହି ସବୁ ପୁଷ୍ପ ଅଳଙ୍କାର ରେ ପଣସ ପତ୍ର, କଦଳୀ ପତ୍ର , ବିଭିନ୍ନ ପ୍ରକାର ସୁଗନ୍ଧିତ ଫୁଲ ତରାଟ , ଚମ୍ପା ,ଗୋଲାପ ,ସୁଗନ୍ଧରାଜ ଜୁଇ, ଜାଇ,ରେ ବିଭିନ୍ନ ପୁଷ୍ପ ଅଳଙ୍କାର ତିଆରି କରାଯାଇଥାଏ । ଏଗୁଡିକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହୋଇଥାଏ । ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରେ ଥିବା ପୁଷ୍ପ ଗୁନ୍ଥା ସ୍ଥାନରେ ପୁଷ୍ପ ଅଳଙ୍କାର ପ୍ରସ୍ତୁତ କରାଯାଇଥାଏ । ଅନେକ ଭକ୍ତ ସେବା ମନୋଭାବରେ ସ୍ୱତଃ ପ୍ରବୃତ ଭାବରେ ଆସି ଫୁଲ ଗୁନ୍ଥି ପୁଷ୍ପ ଅଳଙ୍କାର ପ୍ରସ୍ତୁତ କରିଥାନ୍ତି । ଅନେକ ଦେବାଦେବୀ ମନ୍ଦିରରେ ପୁଷ୍ପ ଅଳଙ୍କାର ପ୍ରସ୍ତୁତ ହେଉଛି । ତେବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପ ଅଳଙ୍କାର ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅନନ୍ୟ । ତେବେ ପଦ୍ମ ଫୁଲ, ଗୋଲାପ, ରଙ୍ଗଣୀ ଫୁଲ ମହାପ୍ରଭୁଙ୍କ ଅତି ପ୍ରିୟ ଫୁଲ ’’।

- ଜଗନ୍ନାଥ ପିନ୍ଧନ୍ତି 18 ପ୍ରକାର ପୁଷ୍ପ ଅଳଙ୍କାର ଓ ମାଳ
ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅଳଙ୍କାର ଏବଂ ପୁଷ୍ପ ପ୍ରିୟ । ମହାପ୍ରଭୁ ପ୍ରତିଦିନ ବିଭିନ୍ନ ପୁଷ୍ପ ଅଳଙ୍କାରରେ ବିଭୁଷିତ ହୋଇଥାନ୍ତି । ସେଥି ପାଇଁ ପ୍ରତିଦିନ ମହାପ୍ରଭୁଙ୍କ ଠାରେ ନୁତନ ପୁଷ୍ପ ଅଳଙ୍କାର ଲାଗି ହୋଇଥାଏ । ଏଥି ପାଇଁ ବଡ ଦେଉଳ ଭିତରେ ଥିବା ଫୁଲ ବଗିଚାରୁ ପ୍ରତିଦିନ ଫୁଲ ସଂଗ୍ରହ ହୋଇଥାଏ । ଫୁଲ ସଂଗ୍ରହ ହେବା ପରେ ଶ୍ରୀମନ୍ଦିର ଭିତରେ ଥିବା ଫୁଲ ଗୁନ୍ଥା ଘରେ ଫୁଲ ଗୁନ୍ଥା ହୁଏ । ପ୍ରତିଦିନ ବିଭିନ୍ନ ପୁଷ୍ପ ,ତୁଳସୀ, ପଣସପତ୍ର, କଦଳୀପତ୍ର ପଟୁକା, ସୂତା ଇତ୍ୟାଦିରେ ପ୍ରତିଦିନ ଅଳଙ୍କାର ଓ ମାଳ ପ୍ରସ୍ତୁତ ହୋଇଥାଏ । ମହାପ୍ରଭୂ ଅଠର ପ୍ରକାରର ପୁଷ୍ପ ଅଳଙ୍କାର ଓ ମାଳ ପରିଧାନ କରିଥାନ୍ତି । ଏଥିମଧ୍ୟରେ ରହିଛି

- କରପଲ୍ଲଭ
- କୁଣ୍ଡଳ
- ତଡ଼ଗି
- ଚନ୍ଦ୍ରିକା
- ଗଭା
- ଅଳକା
- ତିଳକ
- ଝୁମ୍ପା
- ନାକୁଆସି
- ଦୟଣା
- ଅଧରମାଳ
- ମକର କୁଣ୍ଡଳ
- ଶ୍ରୀପୟରମାଳା
- ହୃଦୟ ପଦକ
- କଳି ପଦକ
- କୌସ୍ତୁଭ ପଦକ
- ଚଉସରା ମାଳ ଓ ଗୁଣା
70ରୁ ଅଧିକ ପୁଷ୍ପମାଲ୍ୟ ତିଆରିରେ ନିୟୋଜିତ
ଫୁଲ ଗୁନ୍ଥିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୧ ଜଣଙ୍କୁ ସରକାରୀ ଭାବେ ନିଯୁକ୍ତି ଦିଆଯାଇଛି । ମହାପ୍ରଭୁଙ୍କ ପୁଷ୍ପ ଅଳଙ୍କାର ଗୁନ୍ଥିବାରେ ଏମାନଙ୍କୁ ୬୦ ଜଣ ସହଯୋଗ ମଧ୍ୟ କରୁଛନ୍ତି । କିଛି ମହିଳା ଭକ୍ତ ମାନେ ସ୍ୱତଃ ପ୍ରବୃତ ଭାବେ ସେବା ମନୋଭାବ ନେଇ ବିନା ପାରିଶ୍ରମିକରେ ଫୁଲ ଗୁନ୍ଥା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଫୁଲ ସଙ୍କଟ ଦେଖାଦେବାରୁ ମହାପ୍ରଭୁଙ୍କ ପାଇଁ ପୁରୀର କିଛି ବାସିନ୍ଦା, କଟକ ଓ ଭୁବନେଶ୍ୱରରୁ କିଛି ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରକୁ ଫୁଲ ଦେଉଛନ୍ତି । ଶ୍ରୀମନ୍ଦିର ଭିତରେ ଦୁଇଟି ଉଦ୍ୟାନ ଥିବା ବେଳେ ପୁରୀ ସହରରେ ଥିବା ମାଟିତୋଟା, ନରେନ୍ଦ୍ର ପୁଷ୍କରିଣୀ, କିଛି ଭକ୍ତ ନିବାସରେ ଥିବା ପୁଷ୍ପ ଉଦ୍ୟାନରୁ ପ୍ରତିଦିନ ଫୁଲ ସଂଗ୍ରହ କରାଯାଉଛି ।
- ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ
ଶ୍ରୀମନ୍ଦିରର ସ୍ୱତ୍ବଲିପି ମୁତାବକ ଶ୍ରୀବିଗ୍ରହମାନଙ୍କ ବଡ଼ ସିଂହାର ବେଶ ହୋଇଥାଏ । ଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର, ଦ୍ୱିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ ଶୃଙ୍ଗାରରେ ଭୂଷିତ ହୋଇଥାନ୍ତି । ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ । ନାନାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ ଶ୍ରୀଜୀଉମାନଙ୍କ ଏହି ଆକର୍ଷଣୀୟ ବେଶ ମନଲୋଭା । ଉକ୍ତ ବେଶରେ ଠାକୁରମାନେ ଲାଗି ହେଇଥିବା ବିଭିନ୍ନ ପୁଷ୍ପ ଅଳଙ୍କାର ମଧ୍ୟରେ ମୁଖ୍ୟତଃ ଗଭା, ଚନ୍ଦ୍ରିକା, ଅଳକା, ତିଳକ, ଝୁମ୍ଫା, ନାକୁଆସି, ଦଅଣା, ଅଧରମାଳ, ମକରକୁଣ୍ଡଳ, ଶ୍ରୀପୟର ମାଳା, ହୃଦୟପଦକ, କୌସ୍ତୁଭ ପଦକ, କରପଲ୍ଲବ ଆଦି ପ୍ରଧାନ ।

- ବଡ଼ସିଂହାର ବେଶରେ ଫୁଲ ଚନ୍ଦ୍ରିକା ଯୋଗାଏ ଏମାର ମଠ
ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରୁ ଏହି ମନୋରମ ପୁଷ୍ପ ଶୃଙ୍ଗାର ବା ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଏ । ଏହି ପବିତ୍ର ପୁଷ୍ପ ବେଶ ପ୍ରତ୍ୟେହ ରାତ୍ରରେ ଶ୍ରୀଜୀଉମାନଙ୍କ ଚନ୍ଦନଲାଗି ନୀତି ପରେ ହୋଇଥାଏ । ଶ୍ରୀମନ୍ଦିର ସ୍ୱତ୍ବଲିପି ଅନୁସାରେ ରାତ୍ର ୧୦ଟା ୩୦ ମିନିଟ ସମୟରେ ବଡ଼ସିଂହାର ବେଶ ହେବାର ନିୟମ ରହିଛି । ଏହି ବେଶ ପାଇଁ ଶ୍ରୀରାମ ଦାସ ମଠ ପୁଷ୍ପରେ ନିର୍ମିତ କରପଲ୍ଲବ, କୁଣ୍ଡଳ ଓ ତଡ଼ଗି ଯୋଗାଏ । ଏମାର ମଠ ଫୁଲର ଚନ୍ଦ୍ରିକା ଯୋଗାଏ । ଏହି ପୁଷ୍ପ ଅଳଙ୍କାର ଯୋଗାଇବା ସକାଶେ ଉକ୍ତ ଦୁଇ ମଠ ଖଞ୍ଜା ଜମି ଭୋଗ କରନ୍ତି । ଚାଙ୍ଗଡ଼ା ଘରୁ ଚାଙ୍ଗଡ଼ା ମେକାପ ବାରଲାଗି ପାଟ ଯୋଗାଏ । ଏହି ପାଟରେ ଗୀତ ଗୋବିନ୍ଦ ଶ୍ଲୋକ ବୁଣାଯାଇଥାଏ । କବି ଜୟଦେବଙ୍କ ସମୟରେ ଗୀତଗୋବିନ୍ଦର ପ୍ରଚଳନ ହୋଇ ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦ ଖଣ୍ଡୁଆ ବଡ଼ସିଂହାର ବେଶରେ ଠାକୁରଙ୍କୁ ଲାଗିହେଲା ।

୨୦୨୩ ମସିହାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରସାସକ ରଞ୍ଜନ କୁମାର ଦାଶ ଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂଜାରେ ଫୁଲ ସଙ୍କଟ ନହେବା ପାଈଁ ଓଡିଶା କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟ ସହ ଏକ ବୈଠକ କରିଥିଲେ । ଉନ୍ନତ ଜ୍ଞାନ କୌଶଳରେ ଏକ ବଡ ପୁଷ୍ପ ଉଦ୍ୟାନ ତିଆରି ପାଇଁ ନିଷ୍ପତି ହୋଇଥିଲା । ହେଲେ ଏହି ଉଦ୍ୟ।।ନ ପ୍ରକଳ୍ପ ଆଗେଇ ପାରିନାହିଁ । ଏହି ପ୍ରକଳ୍ପକୁ ଆଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନ କେତେ କାର୍ଯ୍ୟକାରୀ କରୁଛି ତାହା ସମୟ କହିବ ।