ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ଆଉ ଜଣେ ଓଡ଼ିଆ ପୁଅ । ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ ଦାୟିତ୍ୱ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ପି କେ ମିଶ୍ର ମଧ୍ୟ ଓଡ଼ିଆ ପୁଅ ।
ଶକ୍ତିକାନ୍ତ ଦାସଙ୍କୁ ନୂଆ ଦାୟିତ୍ୱ:
ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ସରକାର ତାଙ୍କୁ ନିଯୁକ୍ତି ପାଇଛନ୍ତି । ଗୁଜରାଟ କ୍ୟାଡରର ଅବସରପ୍ରାପ୍ତ IAS ପିକେ ମିଶ୍ର ବର୍ତ୍ତମାନ ଏହି ଦାୟିତ୍ୱରେ ଅଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଜାରି ରହିବ । କ୍ୟାବିନେଟ ଚୟନ କମିଟି ଶକ୍ତିକାନ୍ତ ଦାସଙ୍କୁ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି ।
ପ୍ରମୋଦ କୁମାର ମିଶ୍ର କିଏ ?
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଦାୟିତ୍ୱରେ ଅଛନ୍ତି ପ୍ରମୋଦ କୁମାର ମିଶ୍ର । ସେ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ୧୯୪୮ ଅଗଷ୍ଟ ୧୧ରେ ଜନ୍ମଗ୍ରହଣ କରିଥିଲେ । ୧୯୭୨ ମସିହାର ଗୁଜରାଟ କ୍ୟାଡରର ଅବସରପ୍ରାପ୍ତ IAS ପିକେ ମିଶ୍ର, ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ପିକେ ମିଶ୍ର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ ।
Former RBI Governor Shaktikanta Das, appointed as Principal Secretary-2 to Prime Minister Narendra Modi. pic.twitter.com/uUWt7SfLjj
— ANI (@ANI) February 22, 2025
ଶକ୍ତିକାନ୍ତ ଦାସଙ୍କ କ୍ୟାରିୟର:
ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଫିସର ଶକ୍ତିକାନ୍ତ ଦାସ ଦୀର୍ଘ ୪୨ ବର୍ଷ ଧରି ଅର୍ଥ, କର, ନିବେଶ ଓ ଭିତ୍ତିଭୂମୀ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଛନ୍ତି । ଶକ୍ତିକାନ୍ତ ଦାସ ୨୦୧୮ ମସିହା ଡିସେମ୍ବର ୧୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିଲେ । ଏହି ପଦ ହାସଲ କରିବାରେ ସେ ପ୍ରଥମ ଓଡ଼ିଆ ପୁଅ ଅଟନ୍ତି । ୨୦୨୧ ଅକ୍ଟୋବର ୨୯ରେ ପୁନର୍ବାର ଏହି ଦାୟିତ୍ବ ଗ୍ରହଣ କରିଥିଲେ । ଭାରତ ସରକାରଙ୍କ ବିମୁଦ୍ରୀକରଣ-୨୦୧୬ ତଥା ଜିଏସଟି-୨୦୧୭ ଲାଗୁ କରାଇବାରେ ଶକ୍ତିକାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଦେଶର ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ମୁଦ୍ରା ସ୍ଥିରତା, ସୁଧହାର ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ରହିଛି । ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର ଥିବା ବେଳେ ୨ ଥର ଶ୍ରେଷ୍ଠ ସେଣ୍ଟ୍ରାଲ ବ୍ୟାଙ୍କର ହେବାର ସମ୍ମାନ ହାସଲ କରିଛନ୍ତି । ଅର୍ଥନୀତି ପରିଚାଳନାରେ ଉଚ୍ଚକୋଟ୍ଟୀର ନେତୃତ୍ବ ପାଇଁ ଆମେରିକା ଭିତ୍ତିକ "ଗ୍ଲୋବାଲ ଫାଇନାନ୍ସ" ପତ୍ରିକା ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା ।