ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ଅତ୍ୟଧିକ ଉତ୍ତପ୍ତ ସହର ମଧ୍ୟରେ ଜିଲ୍ଲାର ବାରିପଦା ସହର - ରାଇରଙ୍ଗପୁର ସହରରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ
🎬 Watch Now: Feature Video
ରାଇରଙ୍ଗପୁର: ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ମୁଣ୍ଡ ଫଟା ଖରା ଦିନକୁ ଦିନ ବଢିବାରେ ଲାଗିଛି। ଦିନ ଦ୍ବିପହର ସମୟରେ ଲୋକେ ଘରୁ ନ ବାହାରିବା ଯୋଗୁଁ ରାସ୍ତାଘାଟ ମଧ୍ୟ ଶୁନଶାନ୍ ହୋଇ ପଡୁଛି । ଖରା ରୁ ତ୍ରାହି ପାଇବା ପାଇଁ ପଥଚାରୀ ମାନେ ମୁଣ୍ଡରେ ଗାମୁଛା ଘୋଡେଇ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ସେହିପରି ଏହି ଟାଣ ଖରାରେ ଲୋକେ ମୃଦୁ ପାନୀୟ ଜଳ, ଆଖୁରସ, ପଇଡ ପାଣି, ଆଇସକ୍ରିମ, ଦହିବରା, ତରଭୁଜ ଖାଇ ଶୋଷ ମେଣ୍ଟାଉଛନ୍ତି । ଟାଣ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ର ସବୁ ଖୋଲାଯାଇଛି ।
ଅଂଶୁଘାତ ଜନିତ ମୃତ୍ୟୁକୁ ରୋକିବା ନେଇ ପ୍ରଶାସନ ପକ୍ଷରୁ ଦିନ ୧୧.୦୦ ସମୟରୁ ଦିନ ୩.୦୦ ସମୟ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରେ ନବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଗତକାଲି ସମଗ୍ର ଭାରତର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ରହିଥିବାର ସୂଚନା ରହିଛି । ପୁଣି ତାତିକୁ ନେଇ ଗତକାଲି ଭାରତର ଟପ୍ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ୨ ନମ୍ବର ସ୍ଥାନରେ ରହି ରେକର୍ଡ କରିଥିଲା ବାରିପଦା ସହର । ପ୍ରଥମ ସ୍ଥାନରେ ପ୍ରୟାଗରାଜ ରହିଥିବା ବେଳେ ୪୪.୨ ଡିଗ୍ରୀ ତାପମାତ୍ରା ସହ ଭାରତର ଦ୍ୱିତୀୟ ଉତ୍ତପ୍ତ ସହର ଭାବେ ବାରିପଦା ସହର ଥିବା ସୂଚନା ରହିଥିଲା । ଯାହାକୁ ନେଇ ସହରରେ ଅଘୋଷିତ କର୍ଫ୍ୟୁ ଲାଗିଥିବା ଭଳି ଦୃଶ୍ୟ ହେଉଛି । ଆଜି ମଧ୍ୟ ବାରିପଦା ସହରରେ ୪୪ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରହିଥିବା ବେଳେ ରାଇରଙ୍ଗପୁର ସହରରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆଗକୁ ଦିନ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଇଟିଭି ଭାରତ, ରାଇରଙ୍ଗପୁର