ବଲାଙ୍ଗୀର: ପ୍ରେମ ସପ୍ତାହରେ ବଲାଙ୍ଗୀରରୁ ଆସିଲା ଚାଞ୍ଚଲ୍ୟକର ଖବର । ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ । ଗତକାଲି(ରବିବାର) ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା କେଓମାଳ ଗ୍ରାମର ଜଙ୍ଗଲରୁ ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ । ଉଭୟେ ଚରମ ନିଷ୍ପତ୍ତି ନେଇଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ତାହାର ତଦନ୍ତ କରୁଛି ସଇଁତଳା ପୋଲିସ ।
ଘର ଛାଡି ବାହାରେ ରହୁଥିଲେ ପ୍ରେମୀଯୁଗଳ:
ମୃତ ଯୁବକ ଓ ଯୁବତୀଙ୍କ ବୟସ ଯଥାକ୍ରମେ 23 ଓ 21 ବର୍ଷ । ଉଭୟେ ପରସ୍ପରକୁ ପ୍ରେମ କରି ଗତ ଦୁଇ ମାସ ତଳେ ଘର ଛାଡି ପଳାଇଥିଲେ । ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରିଥିଲେ । ଜଣାପଡିଥିଲା ଉଭୟେ କେଓମାଳ ଗାଁରେ ରହୁଛନ୍ତି । ମୃତ ଯୁବକଙ୍କ ବାପା ଓ ମାଆ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ଉଭୟେ ରହିଆସୁଥିଲେ ।
ଜଙ୍ଗଲରୁ ମିଳିଲା ସନ୍ଦେହଜନକ ମୃତଦେହ:
ଗତକାଲି କେଓମାଳ ଗ୍ରାମର ଜଙ୍ଗଲରୁ ଉଭୟଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ମୃତଦେହ ତଳେ ପଡିଥିବା ବେଳେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ପଠାଇଛି ।
ପରିବାରଲୋକେ ବିବାହ କରିବାକୁ ଥିଲେ ରାଜି:
ଉଭୟେ ଘର ଛାଡି ବାହାରେ ଏକତ୍ର ରହୁଥିବାରୁ ଦୁଇ ପରିବାର ଉଭୟଙ୍କ ବିବାହ କରିବାକୁ ରାଜି ହୋଇଥିଲେ । ଏଥିପାଇଁ ଉଭୟ ପରିବାର ଆଲୋଚନା କରି ରାଜି ହୋଇଥିଲେ । ହେଲେ ଉଭୟଙ୍କ ମୃତଦେହ ମିଳିବା ପରେ ପରିବାରଲୋକେ ଭାଙ୍ଗି ପଡିଛନ୍ତି । କେଉଁ ଅବସ୍ଥାର ଉଭୟଙ୍କ ମୃତ୍ୟୁ ହେଲା ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।
କେମିତି ହେଲା ମୃତ୍ୟୁ ସନ୍ଦେହରେ ପରିବାର:
ତେବେ ମୃତ ଯୁବକଙ୍କ ଅଜା ବାଞ୍ଛା ଧରୁଆ କହିଛନ୍ତି, ‘ତାଙ୍କ ନାତି ଓ ଏହି ଯୁବତୀର ପ୍ରେମ ସମ୍ପର୍କ ଥିଲା । ଏମାନେ ଘରୁ ଅନ୍ୟତ୍ର ପଳାଇ ଥିଲେ । ସେପଟେ ଆମେ ଖୋଜା ଖୋଜି କରି ଉଭୟଙ୍କ ବାହା କରିଦେବାକୁ ମନସ୍ଥ କରିଥିଲୁ । ତେବେ ମୃତ ମୋ ନାତିଙ୍କ ବାପା ମା’ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିବାରୁ ଏଥିରେ ବିଳମ୍ବ ହୋଇଥିଲା । ସେପଟେ ଆମେ ନାତି ଓ ତାର ପ୍ରେମିକାର ମୃତଦେହ ଜଙ୍ଗଲରେ ପଡିଥିବାର ଖବର ପାଇଥିଲୁ । ତେବେ ଆମେ ସମସ୍ତେ ତାଙ୍କ ସମ୍ପର୍କରେ ରାଜି ଥିବା ବେଳେ କାହିଁକି ଏମାନେ ଏଭଳି ମୃତ୍ୟୁ ବାଟ ବାଛିଲେ ନା ଆଉ କିଛି ଅଛି ପୋଲିସ୍ ତାର ତଦନ୍ତ କରୁ ।’
ଏହା ମଧ୍ୟ ପଢନ୍ତୁ: ଫଟୋ ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା, ମିଳିଲା ରକ୍ତାକ୍ତ ମୃତଦେହ ରାତିରେ ଶୋଇଲେ, ସକାଳୁ ମିଳିଲା ଦୁଇ ଶ୍ରମିକଙ୍କ ମୃତଦେହ ଦାଦନ ଖଟିବାକୁ ଯାଇଥିଲେ ଚେନ୍ନାଇ, ରେଳଲାଇନରୁ ମିଳିଲା 2 ଓଡ଼ିଆଙ୍କ ମୃତଦେହ |
ତଦନ୍ତ ଦାବି କଲେ ପରିବାର:
ସେହିପରି ମୃତ ଯୁବତୀଙ୍କ ବାପା ଶିବ ଧରୁଆ କହିଛନ୍ତି, ‘ମୋ ଝିଅ ଓ ଏହି ପୁଅ ପରସ୍ପରକୁ ପ୍ରେମ କରି ଘରୁ ପଳାଇ ଥିଲେ । ପୁଅ ନିଜ ଘରେ ଝିଅକୁ ନେଇ ରଖିଥିଲେ । ସେପଟେ ଆମେ ଉଭୟଙ୍କର ବିବାହ କରିବା ପାଇଁ ସ୍ଥିର କରିଥିଲୁ । ଏପରିକି ପୁଅର ମା’ ବାପା ଘରେ ନ ଥିବାରୁ ଆମେ ତାଙ୍କୁ ଆମ ଘରେ ରହିବାକୁ ମଧ୍ୟ କହିଥିଲୁ । ହେଲେ ଗତକାଲି ଉଭୟଙ୍କର ମୃତଦେହ ଜଙ୍ଗଲରେ ଥିବାର ଆମକୁ ଖବର ଆସିଥିଲା । ତେବେ ସେମାନଙ୍କ ମୃତ୍ୟୁ କେମିତି ହେଲା ତାହାର ତଦନ୍ତ ହେଉ ।’
ଇଟିଭି ଭାରତ, ବଲାଙ୍ଗୀର