କେନ୍ଦ୍ରାପଡ଼ା: ସମ୍ପର୍କରେ ଲାଗିଲା ରକ୍ତ ଦାଗ । ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ । ରାଗର ବଶବର୍ତ୍ତି ହୋଇ ଆକ୍ରମଣ କରି ଭାଇର ଜୀବନ ନେଲା ଭାଇ । ଏଭଳି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ । ଯେଉଁଠି ଜଣେ ସାନଭାଇର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ ଘଟିଛି । ସେପଟେ ସାନଭାଇ ମଧ୍ୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛି । ଏହି ମାମଲାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
- ଉଗ୍ରରୂପ ନେଲା ଜମିବାଡ଼ି ବିବାଦ:
ପୋଲିସ ସୂଚନା ଅନୁସାରେ, କେନ୍ଦ୍ରାପଡା ସଦର ଥାନା ଅଧିନ କପାଳେଶ୍ବର ପଞ୍ଚାୟତ ଗରାପୁର ମଳିକ ସାହିର ୨ ଭାଇ ରାମଚନ୍ଦ୍ର ମଲ୍ଲିକ (ବଡ଼ଭାଇ) ଓ ବାଉଁ ମଳିକ (ସାନଭାଇ)ଙ୍କ ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଗତ ଶୁକ୍ରବାର ଦିନ ନିଶାସକ୍ତ ଅଵସ୍ଥାରେ ରାମଚନ୍ଦ୍ର ଜମିବାଡ଼ିକୁ ନେଇ ସାନଭାଇକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲା । ସେହିପରି ଶନିବାର ରାତିରେ ମଧ୍ଯ ନିଶାସକ୍ତ ଅବସ୍ଥାରେ ରାମଚନ୍ଦ୍ର ଗାଳିଗୁଲଜ କରିବା ସହ ଗଣ୍ଡଗୋଳ କରିବାରୁ ବିବାଦ ଆହୁରି ଉଗ୍ରରୂପ ଧାରଣ କରିଥିଲା । ୨ ଭାଇଙ୍କ ମଧ୍ୟରେ ଠେଲାପେଲାରୁ ମାରପିଟ ଆରମ୍ଭ ହୋଇଥିଲା । ଏହି ସମୟରେ ରାମଚନ୍ଦ୍ର ସାନଭାଇ ବାଉଁକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା ।
- ୮ ଜଣଙ୍କ ସମ୍ପୃକ୍ତି !:
ସେପଟେ ରାମଚନ୍ଦ୍ରର ଏଭଳି ଜଘନ୍ୟ କାଣ୍ଡରେ ଅତିଷ୍ଠ ହୋଇ ତାକୁ ଘର ପାଖରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା ବାଉଁ । ଏହି ମାଡ଼ରେ ରାମଚନ୍ଦ୍ରର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ରାମଚନ୍ଦ୍ରର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାନଭାଇ ବାଉଁକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ଵାସ୍ଥ୍ୟ ଅଵସ୍ଥା ସଙ୍ଗୀନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାମଚନ୍ଦ୍ରଙ୍କ ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ୮ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସେହିପରି ଅନ୍ୟ ୬ ଜଣ ଫେରାର ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଫଟୋ ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା, ମିଳିଲା ରକ୍ତାକ୍ତ ମୃତଦେହ ଟଙ୍କା ଲୋଭରେ ଆଚାର୍ଯ୍ୟ ବିହାର ଡବଲ ମର୍ଡର, ୪ ଜଣଙ୍କୁ ଆଜୀବନ କାରାଦଣ୍ଡ |
- ତଦନ୍ତ କରୁଛି ପୋଲିସ:
ଏନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଏସପି ଦେବେଶ କୁମାର ସାହୁ କହଛନ୍ତି, "ଗରାପୁର ମଳିକ ସାହିରେ ୨ ଭାଇ ରାମଚନ୍ଦ୍ର ମଳିକ (ବଡ଼ଭାଇ) ଓ ବାଉଁ ମଳିକ (ସାନଭାଇ)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାମଚନ୍ଦ୍ର ପ୍ରଥମେ ବାଉଁକୁ ଏକ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସାନଭାଇ ବାଉଁ ପ୍ରତିଆକ୍ରମଣ କରି ବଡ଼ଭାଇ ରାମଚନ୍ଦ୍ରଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ପାରିବାରିକ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଛି । ଖବର ପାଇଁ ଆମେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିଛନ୍ତି । ବର୍ତ୍ତମାନ ଏହାର ତଦନ୍ତ ଜାରି ରଖିଛୁ ।"
ଇଟିଭି ଭାରତ, କେନ୍ଦ୍ରାପଡ଼ା