କାମ କରିବାକୁ ଯାଇ କୁଆଡ଼େ ହଜିଗଲେ ବାପା, ଖୋଜି ଆଣିବାକୁ କୁନି ପୁଅର ନିବେଦନ - ଖୋଜି ଆଣିବାକୁ କୁନି ପୁଅର ନିବେଦନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 3, 2023, 8:48 PM IST

ବାଲେଶ୍ବର: ବାପା ଯାଇଥିଲେ କାମ ପାଇଲେ କୁନି ପୁଅ ମୁହଁରେ ହସ ଫୁଟିବ । ହେଲେ କଣ ହେଲା କେଜାଣି, ବାପା ଆଉ ଫେରିଲେନି । ଏପଟେ ପ୍ରତି ମୁହୂର୍ତ୍ତରେ ନିଖୋଜ ବାପାଙ୍କୁ ଝୁରି ହେଉଛି କୁନି ପୁଅଟି । ପରିବାର ମୁହଁରେ ଦାନା ଦେବାପାଇଁ ଟ୍ରକରେ ହେଲ୍ପର ଭାବେ କାମ କରିବାକୁ ଯାଇଥିଲେ । ହେଲେ ଆଉ ଫେରିଲେ ନାହିଁ । ଯାହାଙ୍କ ବାଟ ଚାହିଁ ବସିଛି ପୁରା ପରିବାର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିମୂଳିଆ ବ୍ଲକ ଅଡା ଗ୍ରାମରେ ।

ଏହା ମଧ୍ୟ ପଢ଼ନ୍ତୁ...ସାତପଡ଼ା ଚିଲିକା ଜଳ ରାଶିରେ ଅଘଟଣ, ଡଙ୍ଗା ଚାଳକ ନିଖୋଜ

ଗ୍ରାମର ସେକ୍‌ ଖୋରବାନ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରୁଥିଲେ । 1 ମାସ ତଳେ ହଠାତ ତାଙ୍କ ଗ୍ରାମର 2 ଜଣ ଯୁବକ ଆସି ଟ୍ରକରେ ହେଲଫର ଭାବରେ କାମ କରିବା ପାଇଁ ଖୋରବାନଙ୍କୁ ତାଙ୍କ ଘରୁ ଡାକି ନେଇଥିଲେ । ଖୋରବାନ ଘରୁ ଯାଇଛନ୍ତି ଯେ ଯାଇଛନ୍ତି, ଏପର୍ଯ୍ୟନ୍ତ ଘରକୁ ଫୋନ ମଧ୍ୟ କରିନାହାନ୍ତି । ବହୁ ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି ସ୍ତ୍ରୀ । ବଞ୍ଚିବା ପାଇଁ ଛୋଟ ପୁଅ କୁଚିଆ ଫଳକୁ ଆଣି ସେହି ଫଳକୁ ବଜାରରେ ବିକ୍ରି କରି ସେଥିରୁ ଯାହା ଦୁଇ ପଇସା ମିଳୁଛି ସେଥିରେ ପରିବାର ଚଳୁଛି । ବେଳେବେଳେ ସେମାନଙ୍କୁ ଗାଁରେ ଭିକ୍ଷା ମଧ୍ୟ ମାଗିବାକୁ ପଡ଼ୁଛି । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । କେତେବେଳେ ବିସ୍କୁଟ ତ ଆଉ କେତେବେଳେ ପାଣି ପିଇ ଭୋକ ମେଣ୍ଟାଇବାକୁ ପଡ଼ୁଛି । ଆଶ୍ଚର୍ଯ୍ୟର କଥା, ଯେଉଁ ଯୁବକ ଖୋରବାନଙ୍କୁ ତାଙ୍କ ଘରୁ ଡାକିନେଇଥିଲେ, ସେମାନେ ମଧ୍ୟ ତାଙ୍କର କୌଣସି ପତ୍ତା ପାଉନାହାନ୍ତି । ଖୋରବାନଙ୍କ ପରିବାର ଲୋକ ସେହି ଯୁବକଙ୍କୁ ତାଙ୍କ ବିଷୟରେ ପଚାରିଲେ ମଧ୍ୟ ସେମାନଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । ଖୋରବାନ କେଉଁଠି ଚାଲିଯାଇଛନ୍ତି ନା ତାଙ୍କ ସହ କୌଣସି ଅଘଟଣ ଘଟିଗଲା କିଛି ଜଣାପଡ଼ୁନାହିଁ । ଅନ୍ୟପଟେ କୌଣସି ପତ୍ତା ନମିଳିବା ଯୋଗୁଁ ସିମୂଳିଆ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.