ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ପାଇଁ ଦକ୍ଷିଣ ଓଡ଼ିଶା ମଡେଲ ପାଲଟିଛି ଉଦାହରଣ । ବୁଡିଯାଉଥିବା କଂଗ୍ରେସକୁ ଏବେ ଦକ୍ଷିଣ ଓଡି଼ଶା ସାହା । ଦକ୍ଷିଣ ଓଡ଼ିଶାର ୧୦ ବିଧାନସଭା ଆସନ ଜିତିଛି କଂଗ୍ରେସ । ତେବେ ଦକ୍ଷିଣ ଓଡିଶା ଭଳି ଷ୍ଟ୍ରାଟେଜୀ ନେଇ ଆଗକୁ ବଢିବାକୁ ରଣନୀତି କରୁଛି ଦଳ ।
କଂଗ୍ରେସର ଭରସା ଦକ୍ଷିଣ ଓଡ଼ିଶା ମଡେଲ:
ଦକ୍ଷିଣ ଓଡ଼ିଶା ମଡେଲ ଏବେ କଂଗ୍ରେସ ପାଇଁ ଉଦାହରଣ ପାଲଟିବାକୁ ଯାଉଛି । ସାରା ରାଜ୍ୟରେ ଦକ୍ଷିଣ ଓଡ଼ିଶା ମଡେଲ ଆପଣାଇପାରେ ପ୍ରଦେଶ କଂଗ୍ରେସ । ରାଜ୍ୟବ୍ୟାପୀ ଏବେ କାର୍ଯ୍ୟକାରୀ କରାଯିବ ଏହି ମଡେଲ । ଆଜି କଂଗ୍ରେସ ଭବନରେ ନବନିଯୁକ୍ତ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଛି । ଓଡି଼ଶାରୁ ଲୋକସଭାକୁ ପ୍ରତିନିଧିତ୍ବ କରୁଛନ୍ତି ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ଯିଏକି କୋରାପୁଟ ବା ଦକ୍ଷିଣ ଓଡ଼ିଶାରୁ । ତେବେ ଗତ ୨୦୨୪ ନିର୍ବାଚନରେ ଦକ୍ଷିଣ ଓଡ଼ିଶାର ୧୦ ବିଧାନସଭା ଆସନ ଜିତିଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ବିଧାୟକ ଦଳ ନେତା ନେତା ରାମଚନ୍ଦ୍ର କାଡାମ, ବହୁ ବିଧାୟକ ଏବଂ ଜିଲ୍ଲା ସଭାପତିମାନଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ।
ଚଳିତ ମାସ ୨୧ ତାରିଖରେ ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ଭକ୍ତ ଦାସ ଗତକାଲି(ଶନିବାର) ଦଳର ସମସ୍ତ ବିଧାୟକମାନ ଯୋଗ ଦେଇ ଆଲୋଚନା କରିଥିଲେ । ନବନିଯୁକ୍ତ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ଉପସ୍ଥିତିରେ 14 ଜଣ ବିଧାୟକ, ନୂଆ ମୁଖିଆଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦଳକୁ ଅଧିକ କ୍ରିୟାଶୀଳ କରି ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜି (ରବିବାର) ପ୍ରଭାରୀଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ମାନଙ୍କୁ ଭେଟି ଆଲୋଚନା କରିଛନ୍ତି । କିଭଳି କଂଗ୍ରେସ ଓଡିଶାବାସୀଙ୍କ ଆସ୍ଥା ଭାଜନ ହୋଇପାରିବ ସେନେଇ ଆଲୋଚନା ହୋଇଛି । ଦକ୍ଷିଣ ଓଡ଼ିଶାରେ କଂଗ୍ରେସର ପ୍ରଭାବ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । କାରଣ ଦକ୍ଷିଣ ଓଡିଶାର ଏକାଧିକ ବିଧାନସଭା ସିଟ ଜିତିଛି କଂଗ୍ରେସ । ୨୦୧୯, ୨୦୨୪ ରେ ସପ୍ତଗିରି ଉଲାକା କ୍ରମାଗତ ଭାବେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଜିତି ଆସୁଛନ୍ତି । ତାରା ବାହିନୀପତି ମଧ୍ୟ ୨୦୧୯ ଓ ୨୦୨୪ରେ ଲଗାତାର ଜିତି ଆସୁଛନ୍ତି । ପୂର୍ବରୁ ମଧ୍ୟ ଦକ୍ଷିଣ ଓଡ଼ିଶାର ଏକାଧିକ ଆସନରେରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି ।
କଂଗ୍ରେସର ଷ୍ଟ୍ରାଟେଜୀ କ'ଣ?
କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, "ଆମର ଗୋଟିଏ ଷ୍ଟ୍ରାଟେଜୀ ଥିଲା ଜନ ସମ୍ପର୍କ । ଲୋକଙ୍କ ସୁଖ ଦୁଃଖରେ ଛିଡା ହୋଇଥିବାରୁ ସେମାନେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସାରା ଓଡ଼ିଶାରେ ଆମେ ଏକ ହୋଇ ଦଳକୁ ମଜବୁତ କରିବୁ ।" ସେପଟେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ନବ ନିଯୁକ୍ତ ପ୍ରଭାରୀ । "ପୂର୍ବ , ପଶ୍ଚିମ,ଉତ୍ତର ଓ ଦକ୍ଷିଣ କେଉଁଠି ଦଳର ସ୍ଥିତି କିଭଳି ରହିଛି ତାହାକୁ ଅନୁଧ୍ଯାନ କରାଯାଇ କାର୍ଯ୍ୟ ହେବ" ବୋଲି କହିଛନ୍ତି ପ୍ରଭାରୀ ଅଜୟ କୁମାର ଲଲ୍ଲୁ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, "ବିଧାନସଭା ଭିତରେ ଓ ବିଧାନସଭା ବାହାରେ କଂଗ୍ରେସ ଓଡ଼ିଶାର ସ୍ୱର ହେବ। ଆଗାମୀ ବର୍ଷରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ବିଧାନସଭାରେ ପ୍ରମୁଖ ବିରୋଧୀ ଦଳର ଭୂମିକା ନେବ ।"
ବୈଠକରେ ତାରା ଅନୁପସ୍ଥିତ:
ଆଜି ପ୍ରଭାରୀ ଅଜୟ କୁମାରଙ୍କ ସହ ଦକ୍ଷିଣ ଓଡ଼ିଶାର ନେତାମାନଙ୍କ ବୈଠକରେ ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡ଼ାମ, ଦାସରଥୀ ଗମାଙ୍ଗ, ମଙ୍ଗୁ ଖିଲ, ଆପଲା ସ୍ୱାମୀ, ନୀଳମାଧଵ ହିକକା, ପବିତ୍ର ସାଉଁତା, ସତ୍ୟଜିତ ଗମାଙ୍ଗ ଉପସ୍ଥିତ ଥିଲେ । ହେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଦେଖିବାକୁ ମିଳିନଥିଲା। ବୈଠକ ଶେଷରେ ତାରା କଂଗ୍ରେସ ଭବନରେ ପହଞ୍ଚିଥିଲେ । ସେତେବେଳେ ଦକ୍ଷିଣ ଓଡ଼ିଶାର ପ୍ରାୟ ସବୁ ନିର୍ବାଚିତ ପ୍ରତିନିଧି କଂଗ୍ରେସ ଭବନ ଛାଡି ସାରିଥିଲେ ।
ଏହା ବି ପଢନ୍ତୁ...Exclusive: ସଡ଼କରୁ ସଂସଦ ଲୋକଙ୍କ ସ୍ବର ହେବୁ: ରାଜ୍ଯ କଂଗ୍ରେସ ପ୍ରଭାରୀ ଅଜୟ
ଏହା ବି ପଢନ୍ତୁ...ଓଡ଼ିଶାବାସୀଙ୍କ ଅସ୍ମିତା ସହ ଖେଳୁଛି ବିଜେପି: ରାଜ୍ୟ କଂଗ୍ରେସ ପ୍ରଭାରୀ
କେଉଁ ଆସନରେ କଂଗ୍ରେସ ପାଇଛି ବହୁମତ:
ସୂଚନା ଥାଉ କି, ଜାତୀୟ କଂଗ୍ରେସର ୧୪ ଜଣ ବିଧାୟକ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ 9ଟି ସିଟ, ଭବାନୀପାଟଣାରେ ଗୋଟିଏ ସିଟ ଜିତିଛି କଂଗ୍ରେସ । ଉପକୂଳ ଏବଂ ଫୁଲବାଣୀରୁ 4 ଟି ସିଟ ଜିତିଛି । କୋରାପୁଟ ଜିଲ୍ଲାର ଜୟପୁର ବିଧାନସଭାରେ ତାରା ପ୍ରସାଦ ବାହିନୀପତି, ପଟାଙ୍ଗୀରେ ଆଦିବାସୀ ନେତା ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁରରେ ପବିତ୍ର ସାଉଁତା , ରାୟଗଡାରେ ଆପଲା ସ୍ୱାମୀ, ଗୁଣୁପୁରରେ ସତ୍ୟଜିତ ଗମାଙ୍ଗ, ବିଷମକଟକରେ ନୀଳମାଧବ ହିକକା, ଚିତ୍ରକୋଣ୍ଡାରେ ମଙ୍ଗୁ ଖିଲ, ଦକ୍ଷିଣାଞ୍ଚଳ RDC ଜୋନରେ ଗଜପତି ଦାସରଥୀ ଗମାଙ୍ଗ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଭବାନୀପାଟଣାରେ ସାଗର ଦାଶଙ୍କୁ ମିଶାଇ ମୋଟ 10 ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏହା ବ୍ୟତୀତ କନ୍ଧମାଳରୁ ପ୍ରଫୁଲ ପ୍ରଧାନ, କଟକ ବାରବାଟୀରୁ ସୋଫିଆ ଫିର୍ଦୋସ, ବାସୁଦେବପୁରରୁ ଅଶୋକ ଦାଶ ଏବଂ ରାଜଗାଙ୍ଗପୁରରୁ ଡକ୍ଟର ରାଜେନ ଏକକା ନିର୍ବାଚିତ ହୋଇଛନ୍ତି । କୋରାପୁଟରୁ ଏକମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସପ୍ତଗିରି ଉଲାକା ।
ଇଟିଭି ଭାରତ, ଭୁବନେଶ୍ବର