ସାଇକେଲରେ ଓଡ଼ିଶା ଭ୍ରମଣ, ପରିବେଶ ସୁରକ୍ଷା ବାର୍ତ୍ତା ଦେଉଛନ୍ତି ଶୁଭମ - SAVE ENVAROMENT AWARENESS
🎬 Watch Now: Feature Video

Published : Feb 20, 2025, 6:42 PM IST
ମାଲକାନଗିରି: ମୁଣ୍ଡରେ ହେଲମେଟ, ପାଖରେ ଅଛି ସାଇକେଲ । ସାଇକେଲରେ ଫର ଫର ହୋଇ ଉଡୁଛି ଜାତୀୟ ପତାକା । ଏକ ବୋର୍ଡରେ ଲେଖା ହୋଇଛି 'ଅଲ ଓଡ଼ିଶା ସାଇକେଲ ରାଇଡ' ଓ 'ସାଇକେଲ ଚଳାନ୍ତୁ ପରିବେଶ ବଞ୍ଚାନ୍ତୁ'ର ବାର୍ତ୍ତା । ଦୁଇ ମାସ ହେବ ସାଇକେଲ ଚଳାଇ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯାଇ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟୁଛନ୍ତି 21 ବର୍ଷିୟ ଶୁଭମ ବାରିକ । ଆଜିର ଯୁବପିଢିଙ୍କୁ ‘ପରିବେଶ ସୁରକ୍ଷା ଓ ଲୋକ ଟିଏକୁ ଗଛ ଟିଏ’ ବାର୍ତ୍ତା ନେଇ ସାରା ଓଡିଶା ସାଇକେଲରେ ଘୁରି ବୁଲୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ 17 ଜିଲ୍ଲା ସାଇକେଲରେ ବୁଲି ସାରିଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି । ପ୍ରଥମେ ମାଥିଲି ଠାରେ ଥାନା ଅଧିକାରୀ ଓ ପରେ ମାଲକାନଗିରି ଜିଲ୍ଲା ସଦରରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇ ସହାୟତା ଯୋଗାଇ ଦିଆଯାଇଛି ।
ସାଇକେଲରେ ଓଡ଼ିଶା ଭ୍ରମଣ ଓ ପରିବେଶ ସୁରକ୍ଷା ବାର୍ତ୍ତା:
ଶୁଭମଙ୍କ ଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡାରେ । ଶୁଭମ ପିଲାଟି ଦିନରୁ ପରିବେଶକୁ ଜୀବ ଜଗତର ମୁଖ୍ୟ ସମ୍ପଦ ରୂପେ ଗ୍ରହଣ କରି ପରିବେଶ ସୁରକ୍ଷା ପାଇଁ ନିଜେ କୌଣସି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ସହ ବର୍ତ୍ତମାନ ସ୍ଥିତିରେ ବଢୁଥିବା ପ୍ରଦୂଷଣ ଓ ତାପମାତ୍ରାକୁ ରୋକି ଜୀବ ଜଗତର ସୁରକ୍ଷା ପାଇଁ ସାଇକେଲ ଯାତ୍ରା ମାଧ୍ଯମରେ ସାରା ଓଡିଶା ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ପରିବେଶ ବଞ୍ଚେଇବା ଲାଗି ବାର୍ତ୍ତା ଦେବା ପାଇଁ ସେ ଡିସେମ୍ବର ୨୭ ତାରିଖରୁ ସାଇକେଲରେ ଓଡ଼ିଶା ଯାତ୍ରାରେ ଝାରସୁଗୁଡାରୁ ଯାତ୍ରା ଆରମ୍ଭ କରିଥିଲେ । ପରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଯାଇ ୫୩ଦିନ ପରେ ଏବେ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି ।
ଇଟିଭି ଭାରତ, ମାଲକାନଗିରି