ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା, ପ୍ରଶ୍ନପତ୍ର ଭାଇରାଲ ରୋକିବ AI - ODISHA MATRIC EXAM 2025
🎬 Watch Now: Feature Video


Published : Feb 19, 2025, 12:34 PM IST
ODISHA MATRIC EXAM 2025: କଟକ: ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୧ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ତେବେ ଏଥର ପ୍ରଶ୍ନପତ୍ର ଭାଇରାଲକୁ ରୋକିବ AI । ଏବଂ କପି ଧରିବା ପାଇଁ ସିସିଟିଭି ସହ ଗଠନ ହୋଇଛି ଚାରିସ୍ତରୀୟ ସ୍କ୍ବାଡ଼ ଟିମ୍ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଇଟିଭି ଭାରତକୁ ଅଧିକ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ।
ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି," ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ହୋଇଛି । କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ତରରେ ୭୦ଟି, ସ୍ବତନ୍ତ୍ର ସ୍କ୍ବାଡ଼ ୪୨ଟି ଏବଂ ଜିଲ୍ଲା ପ୍ରଶାସନ ଅତି କମରେ ଗୋଟିଏ କରିପାରନ୍ତି । ପ୍ରତି ନୋଡ଼ାଲ ସେଣ୍ଟର ଏବଂ ପରୀକ୍ଷା କେନ୍ଦ୍ରରେ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ନୋଡ଼ାଲ ସେଣ୍ଟର ଯେଉଁମାନେ ନିଯୁକ୍ତି ହୋଇଛନ୍ତି, ସେମାନେ ନୋଡ଼ାଲ ସେଣ୍ଟରେ ପ୍ରଶ୍ନପତ୍ର ପହଞ୍ଚିଲା ପରେ ସିଲ ଯାଞ୍ଚ କରିବେ । ଏବଂ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହୋଇଥିବା ଅଧିକାରୀ ମାନେ ପୁରା ପରୀକ୍ଷାକୁ ପରିଚାଳନା କରିବେ । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିଛି । ସବୁଠାରୁ ବଡ଼ କଥା ହେଲା ସବୁ ପ୍ରଶ୍ନପତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି କୋଡିଂ କରିଛୁ । ଯଦି କୌଣସି ସ୍ଥାନରୁ କିଛି ପ୍ରଶ୍ନପତ୍ର ଭାଇରାଲ ହେଲା, ତାହାଲେ ଆମେ ଜାଣିପାରିବୁ ।"
ଇଟିଭି ଭାରତ, କଟକ