ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି । ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସୁତ୍ର ଅନୁଯାୟୀ, ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆଜି (ଗୁରୁବାର) ଜଣାପଡିଛି । ଆଉ ମଧ୍ୟ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।
ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି:
କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି । ତେବେ ସେ କେଉଁଦିନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ । ସୁତ୍ର ଅନୁଯାୟୀ,ତାଙ୍କୁ ଗୁରୁବାର ସକାଳେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ ତାଙ୍କର ଯାଞ୍ଚ ଜାରି ରଖିଛନ୍ତି । ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରାଯାଇପାରେ ।
ସୋନିଆ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର:
ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ । ଲୋକସଭାକୁ 6ଥର ନିର୍ବାଚିତ ହୋଇଥିବା ସୋନିଆ ଚଳିତଥର ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । 1999 ମସିହାରୁ ସୋନିଆ କ୍ରମାଗତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ଲାଭ କରିଛନ୍ତି । 1999ରେ ସୋନିଆ ଉତ୍ତରପ୍ରଦେଶର ଆମେଠୀ ଆସନରୁ ଜିତି ଲୋକସଭାରେ ପହଞ୍ଚିଥିଲେ । ଏହା ପରେ 2004ରେ ତାଙ୍କ ପୁଅ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ ।
ରାହୁଲ ଆମେଠୀ ଆସନରୁ ଏବଂ ସୋନିଆ ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ପ୍ରକାଶଥାଉକି, ରାୟବରେଲିରୁ ସୋନିଆଙ୍କ ଶାଶୁ ଇନ୍ଦିରା ଗାନ୍ଧୀ ଏକଦା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସୋନିଆ 2004, 2009, 2014 ଏବଂ 2019 ରେ କ୍ରମାଗତ ଚାରିଥର ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ । 2024 ଲୋକସଭା ନିର୍ବାଚନ ପୂର୍ବରୁ ସୋନିଆ ରାଜ୍ୟସଭାକୁ ଯାଇଛନ୍ତି । 57 ବର୍ଷ ପରେ ନେହେରୁ-ଗାନ୍ଧୀ ପରିବାରର ଜଣେ ସଦସ୍ୟ ରାଜ୍ୟସଭା ଯାଇଛନ୍ତି ।