୧୩ରୁ ସର୍ବଭାରତୀୟ କବାଡି ପ୍ରତିଯୋଗିତା, ଏଥର ଭାଗ ନେବେ ୩୩ ଦଳ - ସର୍ବଭାରତୀୟ ଦିବାରାତ୍ର କବାଡି ପ୍ରତିଯୋଗିତା
🎬 Watch Now: Feature Video
ଯାଜପୁର: ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତର ଠାରେ ଅନୁଷ୍ଠିତ ହେବ ସର୍ବଭାରତୀୟ ଦିବାରାତ୍ର କବାଡି ପ୍ରତିଯୋଗିତା । ଚଳିତବର୍ଷ ଏହି ପ୍ରତିଯୋଗିତା ୬୮ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଚଳିତ ଥର ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ ୩୩ଟି ପୁରୁଷ ଓ ମହିଳା ଦଳ ଭାଗନେବେ । ଏନେଇ ଯାଜପୁର କବାଡି ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦିଆଯାଇଛି ।
ପ୍ରତିବର୍ଷ ରଜ ପର୍ବ ଅବସରରେ ଏହି ଖଣ୍ଡିତର ଠାରେ ଯାଜପୁର କବାଡି ଆସୋସିଏସନ୍ ପକ୍ଷରୁ ସର୍ବଭାରତୀୟ ଦିବାରାତ୍ର କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ଜୁନ୍ ୧୩ ତାରିଖ ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୩୩ଟି ପୁରୁଷ ଓ ମହିଳା ଦଳ ଭାଗ ନେବେ । ପୁରୁଷ ବର୍ଗରେ ବିଜୟୀ ଦଳକୁ ଏକ ଲକ୍ଷ ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୬୦ ହଜାର ଏବଂ ତୃତୀୟ ସ୍ଥାନରେ ଥିବା ଦଳକୁ ୩୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।
ସେହିପରି ମହିଳା ବର୍ଗରେ ବିଜୟୀ ଦଳକୁ ୨୦ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ହାସଲ କରିଥିବା ଦଳକୁ ୧୨ ହଜାର ଓ ତୃତୀୟ ସ୍ଥାନରେ ରହିଥିବା ଦଳକୁ ୮ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ । ପୂର୍ବବର୍ଷ ଗୁଡ଼ିକ ପରି ଚଳିତବର୍ଷ ମଧ୍ୟ ଏହି ପ୍ରତିଯୋଗିତାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ସାମିଲ ହେବେ ବୋଲି ଆୟୋଜକ ଆଶା ରଖିଛନ୍ତି । ଯାଜପୁର କବାଡି ଆସୋସିଏସନ୍ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବେଳେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥାଏ । ତେବେ ଚଳିତବର୍ଷ ଉଦ୍ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଯାଜପୁର