thumbnail

By ETV Bharat Odisha Team

Published : Dec 13, 2023, 3:16 PM IST

ETV Bharat / Videos

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କଲା ପ୍ରଶାସନ

ଖୋର୍ଦ୍ଧା: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହିତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଟାଙ୍ଗୀ ତହସିଲ ଅନ୍ତର୍ଗତ ଭୂଷଣ୍ଡପୁର, ବାଲିପାଟପୁର ଓ ମଙ୍ଗଳାଯୋଡ଼ି ଇତ୍ୟାଦି ଅଞ୍ଚଳରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏଥିରେ ଟାଙ୍ଗୀ ତହସିଲଦାର ମିତାଲି ପାତ୍ର, ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ବେହେରା, ଭୂଷଣ୍ଡପୁର ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ଦଳେଇ ପ୍ରମୁଖ ସାମିଲ ହୋଇଛନ୍ତି । ଚିଲିକାରେ ଦିନକୁ ଦିନ ପ୍ରଭାବଶାଳୀ ଅଣମତ୍ସ୍ୟଜୀବୀ ମାଛ ମାଫିଆ ବେଆଇନ ଘେରି ନିର୍ମାଣ କରି ଖୁବ କମ ସମୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଫଳରେ ଚିଲିକାରେ ନୂଆ ଜାଆଁଳ ସୃଷ୍ଟି ନହେବା ଯୋଗୁଁ ଦିନକୁ ଦିନ ମତ୍ସ୍ୟ ସମ୍ପଦ ହ୍ରାସ ପାଇବାରେ ଲାଗିଛି । ଘେରି ଉଚ୍ଛେଦ ଫଳରେ ଚିଲିକାରୁ ଜିରୋ ନେଟ ସହିତ ଅନ୍ୟାନ୍ୟ ଜାଲଗୁଡିକ ହଟିବ । ଏହାଦ୍ବାରା ଚିଲିକାର ସୁରକ୍ଷା ଓ ମତ୍ସ୍ୟ ସମ୍ପଦର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେପଟେ ଘେରି ଉଚ୍ଛେଦ ଯୋଗୁଁ ଏହି ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ସେହି ବେଆଇନ ଘେରି ମାଲିକମାନଙ୍କୁ ସ୍ଥାୟୀ ଭାବରେ ଏଥିରୁ ନିବୃତ୍ତ କରିବା ପାଇଁ ବିଧିବଦ୍ଧ ଆଇନ ପ୍ରଣୟନ କରାନଗଲେ କୌଣସି ସୁଫଳ ମିଳିବାର ସମ୍ଭାବନା ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.