କଟକ: ଖୋଲିଲା ବେଲେଶ୍ବର ମର୍ଡର ମିଷ୍ଟ୍ରି । 5 ବର୍ଷର ଲୁଚକାଳି ଖେଳ ଶେଷ । ଧରାପଡିଲେ ବହୁ ଚର୍ଚ୍ଚିତ ବେଲେଶ୍ୱର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ । ବାହାର ଲୋକ ନୁହେଁ ଚାକରାଣୀ ଓ ତା ସ୍ବାମୀ ହିଁ ଘଟାଇଥିଲେ ହତ୍ୟାକାଣ୍ଡ । 5 ବର୍ଷ ପରେ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟାଇବା ସହ ଅଭିଯୁକ୍ତ ଚାକରାଣୀ ବାସନ୍ତୀ ଓ ତା ସ୍ୱାମୀ ସନ୍ତୋଷଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଖୋଲିଲା ବେଲେଶ୍ବର ମର୍ଡର ମିଷ୍ଟ୍ରି:
କଟକ ନୂଆବଜାର ବେଲେଶ୍ବରରେ ଗତ 2019 ମସିହାରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୃତ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କ ଘରେ କାମ କରୁଥିବା ଚାକରାଣୀ ଓ ତା ସ୍ୱାମୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି । ଚାକରାଣୀ ବାସନ୍ତୀ ଓ ତା ସ୍ୱାମୀ ସନ୍ତୋଷ ଉଭୟଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ତେବେ ଦୀର୍ଘ ୫ ବର୍ଷ ପରେ ପୋଲିସ ସେମାନଙ୍କ ନିକଟରେ ପହଁଞ୍ଚିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲା ।
![ବେଲେଶ୍ୱର](https://etvbharatimages.akamaized.net/etvbharat/prod-images/14-02-2025/od-ctc-narayan-beleswor-7204486_14022025182736_1402f_1739537856_1021.jpg)
୪୦ ଘଣ୍ଟା ଫୋନ ବନ୍ଦ କରିବା ଧରା ପକାଇଲା:
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ହତ୍ୟାକାଣ୍ଡ ପୂର୍ବ ଦିନରୁ ହତ୍ୟାକାଣ୍ଡ ପରଦିନ ପର୍ଯ୍ୟନ୍ତ ପ୍ରାୟ ୪୦ ଘଣ୍ଟା ଧରି ଫୋନ ସୁଇଚ ଅଫ ଥିଲା ବୋଲି କଲ ରେକର୍ଡରୁ ଜଣା ପଡିଥିଲା । ଏହାପରେ ସେହିଠାରୁ ହିଁ ପୋଲିସର ସନ୍ଦେହ ବଢିବା ସହ ଉଭୟଙ୍କ ବିରୋଧରେ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା ।
କେମିତି ଧରା ପଡିଲେ ଅଭିଯୁକ୍ତ ?
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ‘ଦୁଇ ପୋଲିସ କର୍ମଚାରୀ ଚାକର ସାଜି ଉଭୟ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କରିଥିଲେ ଏହାପରେ କଟକ ସହରର ବିଭିନ୍ନ ଘରେ ଚୋରି ପାଇଁ ଯୋଜନା କରିଥିଲେ । ତେବେ ଚାକରାଣୀର ସ୍ୱାମୀ ସନ୍ତୋଷ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । କହିଥିଲା ଚୋରି କରିବା ପରେ ଘର ମାଲିକଙ୍କୁ ହତ୍ୟା କରିଦେବା ଏହାପରେ ଚାକର ସାଜିଥିବା ଦୁଇ ପୋଲିସ କର୍ମଚାରୀଙ୍କ ସନ୍ଦେହ ବଢିଥିଲା । ଅଭିଯୁକ୍ତ ସନ୍ତୋଷ କହିଥିଲା ମୁଁ ଏଭଳି ଘଟଣା ପୂର୍ବରୁ କରିଛି ଏବେ ଯାଏ ଧରାପଡିନି । ଏହାପରେ ପୋଲିସ ନିଶ୍ଚିତ ହୋଇଯାଇଥିଲା ସନ୍ତୋଷ ଏବଂ ତା ପତ୍ନୀ ହିଁ ଏହି ହତ୍ୟାକାଣ୍ଡ କରିଛନ୍ତି ।’ ଉଭୟଙ୍କୁ ଡିସିପି ପଚରାଉଚରା ପରେ ସତ ଓଗାଳିଥିଲେ ଚାକରାଣୀ ବାସନ୍ତୀ ଓ ସ୍ୱାମୀ ସନ୍ତୋଷକୁ ଗିରଫ କରିଛି ପୋଲିସ ।
![ମୃତ ଦମ୍ପତିଙ୍କ ପରିବାରଲୋକେ](https://etvbharatimages.akamaized.net/etvbharat/prod-images/14-02-2025/od-ctc-narayan-beleswarmurder-7204486_14022025171143_1402f_1739533303_619.jpg)
ମାଲିକ ଭଲ ବ୍ୟବହାର କରୁନଥିଲେ, ସେଥିପାଇଁ ହତ୍ୟା:
ଚାକରାଣୀଙ୍କ ସହ ବୃଦ୍ଧ ଦମ୍ପତି ଭଲ ବ୍ୟବହାର କରୁନଥିବା ଯୋଗୁଁ ଏହି ହତ୍ୟାକାଣ୍ଡ ଚାକରାଣୀ ବାସନ୍ତୀ ଓ ତାଙ୍କ ସ୍ଵାମୀ ଘଟାଇଛନ୍ତି ବୋଲି କଟକରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିଶନର । ଅନ୍ୟପଟେ ଏହାକୁ ଅସ୍ବୀକାର କରିଛନ୍ତି ମୃତ ଦମ୍ପତ୍ତିଙ୍କ ପରିବାର ଲୋକ । ରାଗରୁଷା ନୁହେଁ ଅନ୍ୟ କିଛି କାରଣ ପାଇଁ ବାପା ମାଆଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଆହୁରି ଲୋକେ ସାମିଲ ଥିବା ଅଭିଯୋଗ ଆଣିଲା ପରିବାର:
ମୃତକଙ୍କ ଝିଅ ଇତିସ୍ମିତା ରାଉତ ଅଭିଯୋଗ ଆଣି କହିଛନ୍ତି, ‘ଏଥିରେ କେବଳ ଏହି ଦୁଇ ଦମ୍ପତି ନୁହଁନ୍ତି ବରଂ ଆହୁରି ଅଭିଯୁକ୍ତ ସାମିଲ ଅଛନ୍ତି ।’ଦୀର୍ଘ ୫ ବର୍ଷ ପରେ ଏହି କେସ ଉପରୁ ପରଦା ଉଠିଥିବା ଯୋଗୁଁ କମିସନରେଟ ପୋଲିସକୁ କାନ୍ଦି କାନ୍ଦି କୃତଜ୍ଞତା ଜଣାଇଛନ୍ତି । ସେହିପରି ଏଥିରେ ଆହୁରି ଅଭିଯୁକ୍ତ ଅଛନ୍ତି ଆଉ ସେମାନଙ୍କୁ ଗିରଫ କରାଯାଇ ପ୍ରକୃତ ସତ୍ୟ ସାମନାକୁ ଅଣାଯାଉ ବୋଲି ମୃତକଙ୍କ ପରିବାର ବର୍ଗ ଦାବି କରିଛନ୍ତି ।
![ମୃତ ଦମ୍ପତିଙ୍କ ପରିବାରଲୋକେ](https://etvbharatimages.akamaized.net/etvbharat/prod-images/14-02-2025/od-ctc-narayan-beleswarmurder-7204486_14022025171143_1402f_1739533303_757.jpg)
କେବେ ଘଟିଥିଲା ଏହି ହତ୍ୟାକାଣ୍ଡ ?
2019 ମସିହା ଡିସେମ୍ବର 12 ତାରିଖରେ କଟକ ନୂଆବଜାର ବେଲେଶ୍ବର ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା । ରାତି ଅଧରେ ଘଟିଥିଲା ଡବଲ ମର୍ଡର । ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁ ସାମଲଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାକୁ ନେଇ ଭାଇଚାରା ସହରରେ ଆତଙ୍କ ଖେଳି ଯାଇଥିଲା । ଦୀର୍ଘ ବର୍ଷ ଧରି ଅଭିଯୁକ୍ତ ଧରାପଡୁନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ଇଟିଭି ଭାରତ, କଟକ