thumbnail

By

Published : May 1, 2023, 4:13 PM IST

ETV Bharat / Videos

ଶ୍ରମ ଦିବସ ପାଳିଲା ଜିଲ୍ଲା ପ୍ରଶାସନ, ଶ୍ରମିକଙ୍କୁ ମିଳିଲା ଆର୍ଥିକ ସହାୟତା

ଭବାନୀପାଟଣା: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ । ଶ୍ରମିକ ମାନଙ୍କ ଅଧିକାରୀ ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିବା ସହ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶ୍ରମିକ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ସମ୍ମାନିତ ଅତିଥି ଭାବରେ ପୌରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଶ୍ରମ ବିଭାଗ କମିଶନର ନରେନ୍ଦ୍ର ରାଇକା ପ୍ରମୁଖ ଯୋଗ ଦେଇଥିଲେ । ପରେ ଜିଲ୍ଲାର ୬୮ ଜଣ ପଞ୍ଜିକୃତ ଶ୍ରମିକଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ରାଶି ବାବଦକୁ ୧ କୋଟି ୩୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସହିଭଳି ବିବାହ ସହାୟତା ବାବଦକୁ ୩୪୬ ଜଣ ଶ୍ରମିକଙ୍କୁ ୧ କୋଟି ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମାତୃତ୍ବ ସହାୟତା ବାବଦକୁ ୧୭ ଜଣ ଶ୍ରମିକଙ୍କୁ ୧ ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନ କରାଯିବା ସହ ୧୮୦ ଜଣ ଶ୍ରମିକଙ୍କୁ ୮ ଲକ୍ଷ ୬୬ ହଜାର ଟଙ୍କା ଶିକ୍ଷା ସହାୟତା ବାବଦକୁ ପ୍ରଦାନ କରାଯାଇଛି । ଏହାସହ ଅନ୍ତିମ ସଂସ୍କାର ସହାୟତା ବାବଦକୁ ୫୭ ଜଣ ଶ୍ରମିକଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରିବା ସହ ୮୦ ଜଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

ଶ୍ରମିକମାନେ କିଭଳି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣି ପାରିବେ ଏବଂ ସମସ୍ତ ସୁବିଧା ସୁଯୋଗର ଲାଭ ଉଠାଇ ପାରିବେ, ସେନେଇ ଉପସ୍ଥିତ ଅତିଥିମାନେ ଶ୍ରମିକମାନଙ୍କୁ ସଚେତନ କରାଇଥିଲେ । କଳାହାଣ୍ଡି ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଜିଲ୍ଲାର ୧୩ ଗୋଟି ବ୍ଲକରୁ ପ୍ରତ୍ୟେକ ଦିନ ହଜାରହଜାର ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି । ଅନେକ ସମୟରେ ଦାଦନ ସର୍ଦ୍ଦାରର ପ୍ରଲୋଭନର ଶିକାର ହୋଇ ଦାଦନ ଶ୍ରମିକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ସମସ୍ତ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯିବା ସମୟରେ ଶ୍ରମ ବିଭାଗ ନିକଟରେ ପଞ୍ଜିକରଣ କରି ଯିବାକୁ ଶ୍ରମ ବିଭାଗ ଅନୁରୋଧ କରିଥିବା ବେଳେ ଆସନ୍ତା ଦିନରେ ଦାଦନ ଶ୍ରମିକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.