ଭୁବନେଶ୍ୱର: କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର । ରାଜ୍ୟରେ କନିଷ୍ଠ ଶିକ୍ଷକ (ସ୍କିମାଟିକ)ମାନଙ୍କ ପାରିଶ୍ରମିକ ୧୧ ହଜାର ୧୦୦ ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ଏହାଦ୍ୱାରା ରାଜ୍ୟର ୧୩ ହଜାର ୭୪୦ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା:
ସମଗ୍ର ଶିକ୍ଷା ଅଧୀନରେ ଥିବା ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ (ସ୍କିମାଟିକ)ମାନଙ୍କ ଦରମା ବୃଦ୍ଧି ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ତଥା କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଧନ୍ୟବାଦ ଜଣାଇଛନ୍ତି ।
୧୧,୧୦୦ ଟଙ୍କାରୁ ୧୬ ହଜାରକୁ ବୃଦ୍ଧି:
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ନିଯୁକ୍ତି ସମୟରେ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକମାନଙ୍କ ଦରମା ଥିଲା ୧୧ ହଜାର ୧୦୦ ଟଙ୍କା । ସେମାନଙ୍କ ଦରମା ୧୬ ହଜାରକୁ ବୃଦ୍ଧି ହୋଇଛି । ଫଳରେ ବିନା ଦ୍ଵନ୍ଦ୍ୱରେ ସେମାନେ ଗୁଣାତ୍ମକ ଶିକ୍ଷା ଦେବାରେ ସଫଳ ହେବେ । ଦରମା ୧୧, ୧୦୦ ଟଙ୍କାରେ ଚଳିବା କଷ୍ଟକର ବୋଲି ଆମ ସରକାର ଅନୁଭବ କଲେ । ବିଭିନ୍ନ ତର୍ଜମା କରିବା ପରେ ଦରମା ୧୬ ହଜାରକୁ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହିତ ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବ ।"
ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ:
ପୂର୍ବରୁ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା । ଗତ ୨୦୨୫ ଜାନୁଆରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବର୍ଗର ଶିକ୍ଷକମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ତେବେ ଦରମା ବୃଦ୍ଧି ରାଜ୍ୟରେ ଏହି ବର୍ଗରେ ଥିବା ୧୩ହଜାର ୭୪୦ ଶିକ୍ଷକ ଉପକୃତ ହେବେ ।
ଅତିରିକ୍ତ ୮୯.୧୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର:
ରାଜ୍ୟ ସରକାର ଏଥିପାଇଁ ଅତିରିକ୍ତ ୮୯.୧୫ କୋଟି ଟଙ୍କା ବହନ କରିବେ । ଏହା ସହିତ ଏହି ବର୍ଗର ଶିକ୍ଷକମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ ଏବେ ମାସକୁ ୧୭,୯୫୦ ଟଙ୍କା ପ୍ରଦାନ କରିବେ । ୧୬,୦୦୦ ରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ଦ୍ୱାରା ଏହି ବର୍ଗର କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ । ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆସିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର