କେନ୍ଦ୍ରାପଡା: ଯାତ୍ରାରେ ଆଇଟମ ଡ୍ୟାନ୍ସକୁ ନେଇ ତୁମୁଳୁକାଣ୍ଡ। ଉତକ୍ଷିପ୍ତ ହେଲେ ଦର୍ଶକ ଆଉ ଭାଙ୍ଗିଲା ଚେୟାର । ଯାତ୍ରା କମିଟି ଓ ଯୁବଗୋଷ୍ଠୀ ହାତାହାତି । ଏବେ ଥାନାରେ ପହଞ୍ଚିଛି ମାମଲା । ଉଭୟ ପକ୍ଷ ଉଭୟଙ୍କ ନାଁରେ ଥାନାରେ କଲେ ଅଭିଯୋଗ । ଅଶ୍ଲୀଳ ନୃତ୍ୟକୁ ବିରୋଧ କରୁଥିବା ଯୁବଗୋଷ୍ଠୀ ଓ ଯାତ୍ରା କମିଟି ସଭ୍ୟ ପରସ୍ପରର ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ କୁଦାନଗରି ଥାନାର ଦ୍ୱାରସ୍ଥ ହେବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ସେପଟେ ଯୁବକଙ୍କ ଏତଲା ଆଗରୁ ଯାତ୍ରା କମିଟି ସଦସ୍ୟ ଏବଂ ସଭାପତି ସମ୍ପାଦକ ଅଶ୍ଲୀଳତାକୁ ବିରୋଧ କରୁଥିବା ଯୁବକ ମାନଙ୍କ ନାଁରେ ହତ୍ୟା ଉଦ୍ୟମ ନେଇ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ କୁଦାନଗରୀ ଥାନା ପକ୍ଷରୁ 47 ଓ 48 ନମ୍ବରରେ କେସ୍ ହୋଇଥିବା ଥାନା ଅଧିକାରୀ ଅମ୍ବିକା ମହାକୁଡ଼ ସୂଚନା ଦେଇଛନ୍ତି।
ପୂର୍ବରୁ ଖଣ୍ଡଗିରିରେ ଅଶ୍ଲୀଳ ନୃତ୍ୟକୁ ମନା ପରେ ଦେଖାଦେଇଥିଲା ବିବାଦ। ଖଣ୍ଡଗିରି ଯାତ୍ରା ପୂର୍ବରୁ ପୋଲିସ,ବିଏମସି ଓ ଯାତ୍ରା କମିଟି ମଧ୍ୟରେ ଏକ ବୈଠକ ବସି ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ କୌଣସି ଗାଇଡଲାଇନ ଜାରି ନ ହୋଇଥିଲେ ମଧ୍ୟ ଓଡିଶାର ସଂସ୍କୃତିକୁ ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଯାହା ଫଳରେ ଖଣ୍ଡଗିରିରେ 3 ଆଇଟମ କୁଇନ ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀଙ୍କୁ ବ୍ୟାନ୍ ପରେ ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଡୁଥିବା ଯାତ୍ରାରେ ଆଇଟମ ଡାନ୍ସ କରୁଛନ୍ତି ।
- ଘଟଣା ସମ୍ପର୍କରେ କଣ କୁହନ୍ତି ନିଶା:
କୁଦାନଗରୀ ମାଘମେଳା ଅବସରରେ ହୋଇଥିବା ଯାତ୍ରା ସ୍ବର୍ଣ୍ଣମନ୍ଦିର ମଞ୍ଚକୁ ନିଶା ମହାରଣା ଆସିବା ପରେ ଯାତ୍ରାମଞ୍ଚ ରଣକ୍ଷେତ୍ର ପାଲଟିଥିଲା । ଏହି ଘଟଣାରେ ପ୍ରତିକ୍ରିୟା ରଖି ନିଶା କୁହନ୍ତି,"ମୋର ୮ ତାରିଖରେ କୁଦାନଗରୀ ପ୍ରୋଗ୍ରାମ ଥିଲା। ମୋତେ ଯାତ୍ରାକମିଟି ନିମନ୍ତ୍ରଣ ଦେଇଥିଲେ । ମୁଁ ରାତିରେ ଗଲି, ମୁଁ ଫୁଲ୍ ପୋଷାକ ପିନ୍ଧି ଯାଇଥିଲି। ମୋତେ କମିଟି ଲୋକେ ଯଦି ଶାଢୀ ପିନ୍ଧି ନାଚିବାକୁ କହିଥାନ୍ତେ ତ ମୁଁ ଶାଢ଼ୀ ପିନ୍ଧି ନାଚିଥାନ୍ତି। ମୁଁ ଜଷ୍ଟ ଏଣ୍ଟ୍ରି କରିଛି କିଛି ଗୁଣ୍ଡା (ଝଗଡା କଲେ ତାଙ୍କୁ ଗୁଣ୍ଡା କୁହାଯିବ ମୋ ମତରେ) ହୋହାଲ୍ଲା କଲେ ଯେ ନିଶା ମହାରଣା ଶାଢ଼ୀ ପିନ୍ଧିକି ଆସୁ । ଏଣୁ ମୁଁ ରାଗିଯାଇ ଷ୍ଟେଜ ଉପରେ କହିଲି ଆଉ ଷ୍ଟେଜ ଶୋ କରିବି ନାହିଁ। ଏତିକି କହି ମୁଁ ପଳେଇ ଆସିଲି ପରେ କମିଟି ଲୋକ ମୋତେ ବୁଝାବୁଝି କରି ଷ୍ଟେଜକୁ ପଠାଇଲେ। ମୁଁ ଜଷ୍ଟ ନାଚିବା ଆରମ୍ଭ କରିଛି ତ ସେମାନେ ଚେୟାର ଧରିଥିଲେ କାଳେ ପକାଇ ଦେଇଥାନ୍ତେ ତ ମୁଁ ଷ୍ଟେଜ ଛାଡି ଡାଇରେକ୍ଟ ଘରକୁ ପଳାଇ ଆସିଲି’’।
ସେ ଆହୁରି କହିଛନ୍ତି ‘‘ପରେ ସେମାନଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଖବର ମୁଁ ଗଣମାଧ୍ୟମରୁ ପାଇଲି। କିନ୍ତୁ ସେଦିନ ମୁଁ କୌଣସି ଅଶ୍ଳୀଳ କଥା କହିନାହିଁ କି ଅଶ୍ଳୀଳ ଡ୍ୟାନ୍ସ ମଧ୍ୟ କରିନାହିଁ। ମୁଁ ଡ୍ୟାନ୍ସ କରିବା ଆଗରୁ ଏସବୁ ଝାମେଲା ତାଙ୍କର ହୋଇଛି। ମୋତେ ପ୍ରଥମରୁ ଲମ୍ବା ଶାଲୱାର କି ଶାଢ଼ୀ ପିନ୍ଧି ଆସିବାକୁ କହିବାର ଥିଲା ତାହେଲେ ମୁଁ ଶାଢ଼ୀ ପିନ୍ଧି ଯାଇଥାନ୍ତି। ମୁଁ କମିଟି ଦୋଷ ଦେଉନାହିଁ କି କୌଣସି ଯାତ୍ରା ମାଲିକଙ୍କ ଦୋଷ ଦେଉନାହିଁ। କିନ୍ତୁ ଏହା ମୋତେ ବଦନାମ କରିବା ପାଇଁ ଏକ ପ୍ରି ପ୍ଲାନ ହୋଇଥିଲା। ଦର୍ଶକ ମାନଙ୍କ ଭିତରେ ମା ଭଉଣୀ ଥିଲେ ଯେହେତୁ ଲୋକାଲ ଏରିଆରେ ଏହି ପ୍ରୋଗ୍ରାମ ହେଉଛି ତ ମୁଁ ଅନ୍ଧ ନଥିଲି ମାତ୍ର ୪-୫ ଜଣ ଥିଲେ ଯେଉଁମାନେ ଅସୁବିଧା କରିଥିଲେ। ଏସବୁ ମୋ ବିରୋଧରେ ଷଡଯନ୍ତ୍ର ଓ ବଦନାମ କରିବା ପାଇଁ ଥିଲା। ପ୍ରଥମେ ଷ୍ଟେଜକୁ ଯିବା ପରେ ଏଭଳି ଅସୁବିଧା ହେବାରୁ ମୁଁ ଷ୍ଟେଜରୁ ପଳାଇ ଆସିଥିଲି। କମିଟି ମେମ୍ବର ମୋତେ ବୁଝାଇବା ପରେ ମୁଁ ଗଣ୍ଡଗୋଳ ସୃଷ୍ଟି କରୁଥିବା ଲୋକମାନଙ୍କୁ ଯାତ୍ରାରୁ ବାହାର କରିବା ପାଇଁ କହିଥିଲି ନଚେତ ମୋ ପ୍ରୋଗ୍ରାମ ଶେଷ ହେବା ପର୍ଯ୍ୟନ୍ତ କମିଟି ମେମ୍ବର ମାନେ ସମସ୍ତେ ଯାତ୍ରା ପେଣ୍ଡାଲ ପାଖରେ ରହିବା ପାଇଁ କହିଥିଲି। ଯାତ୍ରାରେ ଅଶ୍ଲୀଳତା କଥା କହିଲେ କଣ ବୁଝାଯାଏ ? ଅଶ୍ଲୀଳତା ସାଙ୍ଗିଆ କଣ? ଯେଉଁମାନେ ଅଶ୍ଲୀଳତା କଥା କହୁଛନ୍ତି ସେମାନେ ଦିନେ ହେଲେ ଯାତ୍ରାକୁ ଯାଇନଥିବେ କେବଳ ମେଣ୍ଢା ମୁଣ୍ଡିଆଙ୍କ ଭଳି ହେଉଛନ୍ତି । ଅଶ୍ଲୀଳତା କଥା କିଛି ନାହିଁ ମୁଁ ଯେମିତି ନାଚେ ସେମିତି ନାଚିବି" ବୋଲି ନିଶା କହିଛନ୍ତି।
- ଯାତ୍ରାରେ ଅଶ୍ଲୀଳତା ବନ୍ଦ ସ୍ବାଗତଯୋଗ୍ୟ ପଦକ୍ଷେପ
କୁଦାନଗରୀ ସ୍ଥିତ ମାଘମେଳା ଶୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ ଯାତ୍ରା କମିଟି ଦ୍ୱାରା ଆୟୋଜିତ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବିରୋଧ ଘଟଣାରେ ପ୍ରତିକ୍ରିୟା ରଖି ଗରଦପୁର ଅଞ୍ଚଳର ବୁଦ୍ଧିଜୀବି ପ୍ରମୋଦ ପତି ବିରୋଧ କରିଥିବା ଯୁବକଙ୍କୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି,"ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜଳାଞ୍ଜଳି ଦେଇ ଯେଉଁ କମିଟି ଏଭଳି ବ୍ୟଭିଚାର କରେ ସେ କମିଟିକୁ ମୁଁ ହୀନ ଅବସ୍ଥା କହିବି। ଯଦି ନାଚ କରିବାର ଅଛି ତେବେ ସଠିକ ଭାବରେ ନାଚ କରନ୍ତୁ । ଓଡ଼ିଶାର ସଂସ୍କୃତି ପରମ୍ପରାକୁ ଜଳାଞ୍ଜଳି ଦିଅନ୍ତୁ ନାହିଁ, ମା ଭଉଣୀଙ୍କ ଇଜ୍ଜତ ସହ କମିଟି ମାନେ ଖେଳନ୍ତୁ ନାହିଁ" ।
ସେହିପରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ପ୍ରଥମେ ବିରୋଧ କରି ଆକ୍ରୋଶର ଶିକାର ହୋଇଥିବା ଯାତ୍ରା ହାସ୍ୟାଭିନେତା ଦୟାନିଧି ଉପାଧ୍ୟାୟ କୁହନ୍ତି,"ଯାତ୍ରାରେ ଅଶ୍ଲୀଳତା କହିଲେ ବିଭିନ୍ନ ଦିଗକୁ ବୁଝାଏ। ବାହାର ଲୋକଙ୍କୁ ଡାକି କମିଟି ସଦସ୍ୟ ଅଶ୍ଳୀଳ ନୃତ୍ୟ କରାନ୍ତି ଯାହାକୁ ଅତୀତରେ ମୁଁ ଘୋର ବିରୋଧ କରିଛି, କରୁଛି ଏବଂ ଆଗକୁ ମଧ୍ୟ କରିବି। ପ୍ରଶାସନ ଏବେ ତାହାକୁ ବନ୍ଦ କରିଛି। ପ୍ରଥମେ ଖଣ୍ଡଗିରିରେ ବନ୍ଦ ହେଲା ଓ ପରେ ସାରା ଓଡ଼ିଶାରେ ଏହି ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ କଥା" ।
ଏହା ମଧ୍ୟ ପଢନ୍ତୁ ଅଶ୍ଳୀଳତାକୁ ନେଇ ତାତିଲେ ଦର୍ଶକ, ଯାତ୍ରା ପଡିଆ ପାଲଟିଲା ରଣକ୍ଷେତ୍ର
ଏହା ମଧ୍ୟ ପଢନ୍ତୁ 'ଶହେ ଠେଙ୍ଗାର ଜବାବ ଗୋଟିଏ ଠେଙ୍ଗା', ଖଣ୍ଡଗିରିରେ ଅଶ୍ଲୀଳ ନୃତ୍ୟ ପ୍ରସଙ୍ଗରେ ବିଧାୟକଙ୍କୁ ଆଇଟମ ଗାର୍ଲଙ୍କ ଚ୍ୟାଲେଞ୍ଜ
- କଣ ଥିଲା ଘଟଣା ?
କେନ୍ଦ୍ରାପଡା ଗରଦପୁର ବ୍ଲକ କୁଦାନଗରୀ ଥାନା ଅଧିନ ଶୁକ ପରୀକ୍ଷିତ ପୀଠରେ ମାଘ ମେଳା ଅନୁଷ୍ଠିତ ହେଉଥିଲା । ଏହି ମେଳାରେ ସ୍ବର୍ଣ୍ଣମନ୍ଦିର ଯାତ୍ରା ପାର୍ଟିର ଯାତ୍ରା ପଡିଥିଲା । ଯାତ୍ରା ମଞ୍ଚରେ ଆଇଟମ କୁଇନ ନିଶା ମହାରଣା ଅଶାଳୀନ ପୋଷାକ ପିନ୍ଧି ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ । ଭାଙ୍ଗିଲା ଶହଶହ ପ୍ଲାଷ୍ଟିକ ଚେୟାର, ଜୀବନ ବଞ୍ଚାଇବା ଏବଂ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏଣେତେଣେ ଦୌଡ଼ିଲେ ଦର୍ଶକ। ଯାତ୍ରା ସ୍ଵର୍ଣମନ୍ଦିର ମଞ୍ଚକୁ ନିଶା ମହାରଣା ଅଶାଳୀନ ପୋଷାକ ପିନ୍ଧି ଆସିବା ପରେ ଦର୍ଶକ ଏହାକୁ ବାରଣ କରିଥିଲେ। କିଛି ଯୁବ ଦର୍ଶକ ଏହାକୁ ବିରୋଧ କରିବାରୁ ସ୍ଥାନୀୟ ଶୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ ଯାତ୍ରା କମିଟିର ସଦସ୍ୟ ଓ ଅନ୍ୟ କିଛି ଦର୍ଶକ ବିରୋଧର ସ୍ୱର ଉଠାଇ ଥିବା ଦର୍ଶକ ମାନଙ୍କୁ ଚେୟାରରେ ମାଡ଼ ମାରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଯାତ୍ରା ପରିସରରେ ଚାପା ଉତେଜନା ସୃଷ୍ଟି ହୋଇଥିଲା ଓ ଉକ୍ତ ଦିନ ଅଧାରୁ ଯାତ୍ରା ବନ୍ଦ ହୋଇଥିଲା।
- ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ ଶାଢୀ ପିନ୍ଧି ନାଚିଲେ
ଆକ୍ରମଣ ଶିକାର ହୋଇଥିବା ଯୁବକ ସମ୍ପର୍କ ସ୍ୱାଇଁ କୁହନ୍ତି,"ଆମ ଗାଁ ପିଲା ପ୍ରଥମେ ନିଶା ମହାରଣାଙ୍କ ଉଲଗ୍ନ ଡ୍ୟାନ୍ସକୁ ବିରୋଧ କରିଥିଲୁ। ପୂର୍ବରୁ ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀଙ୍କୁ ବିରୋଧ କରିବା ପରେ ସେମାନେ ଶାଢୀ ପିନ୍ଧି ଡ୍ୟାନ୍ସ କରିଥିଲେ ଯାହାକୁ ଆମେ ବିରୋଧ କରିନଥିଲୁ, ଆମର ଉଲଗ୍ନ ଡ୍ୟାନ୍ସକୁ ବିରୋଧ ଥିଲା। ସେଦିନ ଆମେ ସାଙ୍ଗପିଲା ଯାତ୍ରା ଦେଖିବାକୁ ଯାଇଥିଲୁ। ନିଶା ମହାରଣା ଉଲଗ୍ନ ଡ୍ରେସ ପିନ୍ଧି ଆସି ନୃତ୍ୟ ପରିବେଷଣ କଲେ। ଏହି ଡ୍ୟାନ୍ସକୁ ନେଇ ଆମ କ୍ଲବ ମେମ୍ବର ମାନେ ଯାତ୍ରା କମିଟି ଓ ନିଶାଙ୍କୁ ବିରୋଧ କରିଥିଲୁ। ଆମେ ବିରୋଧ କରିବା ପରେ କମିଟି ସଦସ୍ୟ ମାନେ ଆସି ପ୍ରଥମେ ଯୁକ୍ତିତର୍କ କରି ଝଗଡା ଆରମ୍ଭ କଲେ। କମିଟିର ସଂଦୀପ୍ତ ମହାପାତ୍ର, ଲିପକ ମହାପାତ୍ର ଓ ଭୋଳାଙ୍କ ସମେତ ଆଉ ତିନି ଚାରିଜଣ ଆମ ସହ ଝଗଡା କଲେ ଏବଂ ଯଦି ଉଲଗ୍ନ ଡ୍ୟାନ୍ସ ଦେଖିବାର ଅଛି ରୁହ ନଚେତ ପଳାଇ ଯାଅ ବୋଲି କହି ଆମ ସାଙ୍ଗପିଲା ମାନଙ୍କୁ ବାହାରକୁ ବାହାର କରି ଦେଇଥିଲେ। ପରେ ମୁଁ ମୋ ସାଙ୍ଗ ମାନଙ୍କୁ ଡାକିବାକୁ ଆସିବା ବେଳେ ମୋତେ ଆକ୍ରମଣ କଲେ। ମୋତେ ଚେୟାରରେ ଧକ୍କା ଦେବାରୁ ମୁଁ ତଳେ ପଡି ଯାଇଥିଲି ଓ ପରେ ୫-୬ ଜଣ ଆସି ମୋତେ ସଂଘବଦ୍ଧ ଭାବେ ଚେୟାରରେ ପିଟି ଚାଲିଲେ। ମୁଁ ପୋଲିସ ପ୍ରଶାସନ ଠାରୁ ନ୍ୟାୟ ଚାହୁଁଛି" ବୋଲି ସେ କହିଛନ୍ତି।