ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଭକ୍ତଙ୍କ ପ୍ରବଳ ଭିଡ - ସୁବର୍ଣ୍ଣପୁରର ଆରାଧ୍ୟ ଦେବୀ ମାଆ ସୁରେଶ୍ବରୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/14-10-2023/640-480-19764235-thumbnail-16x9-spr.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 14, 2023, 1:52 PM IST
ସୁବର୍ଣ୍ଣପୁର: ଆଜି ଆଶ୍ୱିନ ମହାଳୟା ଅମାବାସ୍ୟା । ଏହି ଅବସରରେ ସୁବର୍ଣ୍ଣପୁରର ଆରାଧ୍ୟଦେବୀ ମାଆ ସୁରେଶ୍ବରୀ ଧବଳମୁଖୀ ବେଶ ହୋଇଛନ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ତାଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଛି । ତେବେ ମାଆଙ୍କ ଧବଳମୁଖୀ ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଆ ସମଲେଶ୍ବରୀ
ଆଶ୍ୱିନ ମହାଳୟା ଅମାବାସ୍ୟାଠାରୁ ଆରମ୍ଭ ହୋଇଥାଏ ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା । ଏଥିସହ ବଳିଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ଦେବୀ ମାଆ ଆଜି ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ମାଆଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରିଥିଲେ ସେବାୟତ । ଆଜି ରାତ୍ର 11 ଘଣ୍ଟା 22 ମିନିଟ ପରେ ଶୁକ୍ଲ ପ୍ରତିପଦ ତିଥିର ଆଗମନ ହେଉଥିବାରୁ ଇଷ୍ଟ ଦେବୀ ମାଆ ସୁରେଶ୍ବରୀ ପୁଣି ନିଜର ଧବଳମୁଖୀ ରୂପ ପରିବର୍ତ୍ତନ କରି ସ୍ବାଭାବିକ ରୂପକୁ ଆସିବେ ।
ଏହାମଧ୍ୟ ପଢନ୍ତୁ..ଷୋଡଶ ଉପଚାରରେ ପୂଜା ପାଉଛନ୍ତି ମାଆ ଉଗ୍ରତାରା
ମାଆଙ୍କ ପୀଠରେ ବଳିଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ରା କାର୍ଯ୍ୟ ସଂପନ୍ନ ହେବା ପରେ ଆଜିଠାରୁ ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ମାଆ ସୁରେଶ୍ବରୀ । ଆଜି ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ତାରା, କାଳୀ, ଭୈରବୀ, ଉଗ୍ରତାରା, ଭୂବନେଶ୍ବରୀ, ମହିଷ ମର୍ଦ୍ଦିନୀ, ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ । ରକ୍ତମୁଖା ଦେବୀ ମାଆ ସୁରେଶ୍ବରୀଙ୍କ ଦେହରେ ବର୍ଷ ସାରା ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଆଜି ମାଆଙ୍କୁ ଅଗୁର, ଚନ୍ଦନ, କର୍ପୁର, ଗଙ୍ଗା ଜଳ ଆଦି ପ୍ରଲେପନ କରାଯାଇ ଧବଳମୁଖୀ ବେଶ କରାଯାଇଥାଏ ।
ଅନ୍ୟପଟେ ମାଆଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଦେବୋତ୍ତର ବିଭାଗ, ମନ୍ଦିର କମିଟି, ବଳିଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବଳିଯାତ୍ରା ଓ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର