ପୁରୀ: ଚଳିତ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା କରିବ ଏଆଇ କ୍ୟାମେରା । ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପୁରୀ ପୋଲିସ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଠାରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏନେଇ ଆଲୋଚନା କରାଯାଇଛି ।
ରଥଯାତ୍ରା ପ୍ରସ୍ତୁତି ବୈଠକ:
ଆସନ୍ତା ଜୁନ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ପୋଲିସ ଡ଼ିଜିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାରେ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଜନଗହଳି ନିୟନ୍ତ୍ରଣ, ପାର୍କିଂର ସୁବନ୍ଦୋବସ୍ତ ସହିତ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ଏହି ସ୍ବତନ୍ତ୍ର ବୈଠକରେ ପୋଲିସ ଡିଜି ସମୀକ୍ଷା କରିଥିଲେ ।
ରଥଯାତ୍ରାରେ ଭିଡ ଜଗିବ AI କ୍ୟାମେରା:
ଚଳିତବର୍ଷ ରଥଯାତ୍ରାର ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା AI କ୍ୟାମେରା ମାଧ୍ୟମରେ ନଜର ରଖାଯିବ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଉତ୍ତରା ଛକଠାରୁ ପୁରୀ ପର୍ଯ୍ୟନ୍ତ AI କ୍ୟାମେରା ଲଗାଯିବ । ଏଥିସହିତ ବଡ଼ଦାଣ୍ଡ, ଶ୍ରୀମନ୍ଦିର, ବେଳାଭୂମି, ପୁରୀର ମୁଖ୍ୟ ପ୍ରବେଶ ପଥ ଗୁଡ଼ିକରେ ମଧ୍ୟ AI କ୍ୟାମେରା ଲଗାଯିବ । ଏହାକୁ ନେଇ ପୋଲିସ ବିଭାଗ ପକ୍ଷରୁ ସର୍ଭେ ଚାଲିଥିବା ବେଳେ ଖୁବ୍ ଶୀଘ୍ର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ AI କ୍ୟାମେରା ଲଗାଯିବ ତା'ର ନିଷ୍ପତ୍ତି ନିଆଯିବ । AI କ୍ୟାମେରା ଦ୍ବାରା ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରି ହେବ ବୋଲି ପୋଲିସ ବିଭାଗ ଆଶା ରଖିଥିବା ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ।
ଦଳାଚକଟା ପରିସ୍ଥିତି ସୃଷ୍ଟି ନହେବା ଉପରେ ସ୍ୱତନ୍ତ୍ର ଧ୍ୟାନ:
ଗତ ୨୦୨୪ ରଥଯାତ୍ରାରେ ଡ୍ରୋନ ମାଧ୍ୟମରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହିତ ଟ୍ରାଫିକ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଥିଲା । ଏଥିରେ ପୋଲିସ ବିଭାଗ ସଫଳତା ହାସଲ କରିବା ପରେ ଚଳିତ ବର୍ଷ ଆଉ ପାଦେ ଆଗକୁ ଯାଇ ପୋଲିସ ବିଭାଗ ପକ୍ଷରୁ AI କ୍ୟାମେରା ଦ୍ବାରା ରଥଯାତ୍ରାକୁ ପରିଚାଳନା କରାଯିବ । ପୂର୍ବବର୍ଷର ହୋଇଥିବା ତ୍ରୁଟି ବିଚ୍ୟୁତିକୁ ସମୀକ୍ଷା କରାଯାଇ ଚଳିତ ବର୍ଷ ଯେଭଳି ତ୍ରୁଟି ଗୁଡ଼ିକର ପୁନରାବୃତ୍ତି ନହୁଏ ସେ ଦିଗରେ ମଧ୍ୟ ପୋଲିସ ବିଭାଗ ନଜର ରଖିବ । ୨୦୨୪ ରଥଯାତ୍ରାରେ ରଥଟଣା ବେଳେ ଭକ୍ତଙ୍କ ଭିଡ଼ ବେକାକୁ ହୋଇଯିବାରୁ ତାଳଧ୍ବଜ ଏବଂ ନନ୍ଦିଘୋଷ ରଥ ଟଣା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଣୁ ଚଳିତ ବର୍ଷ ଯେଭଳି ଦଳାଚକଟା ପରିସ୍ଥିତି ସୃଷ୍ଟି ନହୁଏ ସେ ଦିଗରେ ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ।
କଣ କହୁଛନ୍ତି ପୁରୀ ଏସପି:
ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି," ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଆୟୋଜନ ହେବ ।"
ସେ ଆଉ ମଧ୍ୟ କହିଛନ୍ତି, "ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ଜୁନରେ ପଡୁଛି । ଏଥିପାଇଁ ପୁରୀ ପୋଲିସ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଆମ ଜିଲ୍ଲାରେ ଥିବା ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ନେଇ ବିଭିନ୍ନ କମିଟି ଗଠନ ହୋଇଛି । ପୋଲିସ୍ ପକ୍ଷରୁ ଯାହା କିଛି ପ୍ରସ୍ତୁତି ରହିଛି ତାହା ଆମ ଟିମ ତଦାରଖ କରୁଛନ୍ତି । ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ପାର୍କିଂ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟବସ୍ଥା କରାଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା ଭଲରେ ଅନୁଷ୍ଠିତ ହେବ ବୋଲି ଆମର ଆଶା ରହିଛି । ତେବେ ରଥଯାତ୍ରା ପରିଚାଳନା ପାଇଁ ଏଆଇ କ୍ୟାମେରା ଲଗାଯିବ । ଏନେଇ ପ୍ରସ୍ତୁତି ଚାଲିଛି । ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏହି ଏଆଇ କ୍ୟାମେରା ଦ୍ଵାରା ହେବ । ଏହା ଆମକୁ ବେଶ୍ ସହାୟକ ହେବ ବୋଲି ଆମେ ଆଶା ରଖୁଛୁ ।"
ଏହାମଧ୍ୟ ପଢନ୍ତୁ... ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI କ୍ୟାମେରା, ଖୁବଶୀଘ୍ର ଲଗାଯିବାକୁ ନିଷ୍ପତ୍ତି ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ, ସବୁଠି ସ୍ବାଗତ |
ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରତିବର୍ଷ ବ୍ୟାପକ ପଦକ୍ଷେପ ନିଆଯାଉଛି । ହେଲେ କେତେକ ସ୍ଥାନରେ ଦୁରଦୃଷ୍ଟି ଅଭାବରୁ ଅନେକ ଅଘଟଣ ମଧ୍ୟ ଘଟୁଛି । ତେଣୁ ଚଳିତବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସମ୍ପାଦନ କରିବା ପାଇଁ ଓଡ଼ିଶା ପୋଲିସ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ମୁତୟନ କରି ବିଭିନ୍ନ ତ୍ରୁଟି ବିଚ୍ୟୁତି ଯେଭଳି ନହୁଏ ସେ ଦିଗରେ କଡ଼ା ନଜର ରଖାଯିବାର ଆବଶ୍ୟକତା ରହିଛି ।
ଇଟିଭି ଭାରତ, ପୁରୀ