ପୁରୀ: ପବିତ୍ର ଚକ୍ରତୀର୍ଥ ବେଳାଭୂମିରେ ଗଡୁଛି ମଦ ଓ କୋରେକ୍ସ ବୋତଲ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୋଇଥିବା ପାଦଚଲା ରାସ୍ତା, ଓପନ୍ ଜିମ୍, ଶିଶୁ ଉଦ୍ୟାନ, ଆକର୍ଷଣୀୟ ଏଲଇଡି ଲାଇଟ୍ ସବୁକିଛି ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । କେବଳ ସେତିକି ନୁହେଁ ପାନୀୟ ଜଳ, ଶୌଚାଳୟ ମଧ୍ୟ ଅଚଳ । ପୁରୀ ଚକ୍ରତୀର୍ଥ ବେଳାଭୂମିକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ୩ କୋଟି ଟଙ୍କା ପୁରୀ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ । ହେଲେ ଦୁଃଖର ବିଷୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନର ଅବହେଳା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡ଼ି ଯାଇଛି ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ । ସେପଟେ ଏଭଳି ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।
- ଅବହେଳିତ ଚକ୍ରତୀର୍ଥ ବେଳାଭୂମି !
ସାରା ବିଶ୍ବରେ ପୁରୀକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ବେଳାଭୂମିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ନିଳାଦ୍ରୀ ବିଚ୍, ବ୍ଲୁ ଫ୍ଲାଗ ବିଚର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଛି । ହେଲେ ଦୁର୍ଭାଗ୍ୟର ବିଷୟ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ପୁରୀ ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୁରୀକୁ ଦିନକୁ ଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ହେଉଥିବା ପ୍ରକଳ୍ପର ଏଭିଳି ଦୂରାବସ୍ଥା ପୁରୀର ପର୍ଯ୍ୟଟନ ଶିଳ୍ପ ଉପରେ କୁପ୍ରଭାବ ପକାଇବ ବୋଲି ବୁଦ୍ଧିଜିବୀ ଓ ସେବାୟତ କହିଛନ୍ତି ।

- ଅସନ୍ତୋଷ ପ୍ରକାଶ କେଲ ବୁଦ୍ଧିଜୀବୀ :
ପୁରୀ ସହରର ବରିଷ୍ଠ ଆଇନଜୀବୀ ତଥା ବୁଦ୍ଧିଜୀବୀ ରମେଶ ପ୍ରସାଦ ସିହ୍ନା ପ୍ରତିକ୍ରିୟା ଦେଇ କହିଛନ୍ତି," ପୁରୀର ପବିତ୍ର ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟ କରଣ ପାଇଁ ତତ୍କାଳୀନ ବିଜେଡି ସରକାର ଉଦ୍ୟମ ଆରମ୍ଭ କରିଥିଲେ । ବେଳାଭୂମି ସୁନ୍ଦରତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା । ହେଲେ ଦୁର୍ଭାଗ୍ୟର ବିଷୟ, ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଏହାର ସଠିକ ରକ୍ଷଣାବେକ୍ଷଣ ହୋଇ ପାରିଲା ନାହିଁ । ଫଳରେ ମାତ୍ର ପ୍ରକଳ୍ପ ଶେଷ ହେବାର ବର୍ଷେ ଯାଇଛି କି ନାହିଁ ସବୁ କିଛି ବିପର୍ଯ୍ୟସ୍ତ ହୋଇପଡିଛି । ଜନସାଧାରଣଙ୍କ ଟିକସ ଅର୍ଥରେ ଏହି ପ୍ରକଳ୍ପ ହୋଇଥିଲା । ହେଲେ ଦୁଃଖ ବିଷୟ ପ୍ରଶାସନର ଅବହେଳା ଯୋଗୁଁ କୋଟି କୋଟି ଟଙ୍କା ମାଟିରେ ମିଶିଯାଇଛି । ପୁରୀବାସୀ, ପର୍ଯ୍ୟଟକ ଯେଉଁ ସୁବିଧା ପାଇବା ଆଶା ରଖିଥିଲେ କିଛି ବି ସୁବିଧା ମିଳିଲାନି । ସରକାରଙ୍କୁ ଅନୁରୋଧ ତୁରନ୍ତ ଏହାକୁ ପୁନଃନିର୍ମାଣ କରାଯାଇ ଲୋକ ପାଇଁ ଉଦଘାଟନ କରାଯାଉ । ଲୋକଙ୍କ ଉପକାରରେ ଆସୁ ଏହି ପ୍ରକଳ୍ପ । ଚକ୍ରତୀର୍ଥ ବେଳାଭୂମି ଏକ ତୀର୍ଥ କ୍ଷେତ୍ର । ଏଣୁ ଏହି ବେଳାଭୂମିକୁ ଅବହେଳା କରାନଯାଇ ଏହାର ସୌନ୍ଦର୍ଯ୍ୟ କରଣ କରାଯାଇ ଭକ୍ତ ଓ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଉ ।"

- ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି," ପୁରୀରେ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ହେବା ଉଚିତ । ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବା ଉଚିତ । ଭାରତର ଅନେକ ପ୍ରସିଦ୍ଧ ବେଳାଭୂମିର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି । ତେବେ ଚକ୍ରତୀର୍ଥ ବେଳାଭୂମିର ଉନ୍ନତି କରଣ ପାଇଁ 3 କୋଟି ଟଙ୍କା ଖର୍ଚ ହେଲା । ହେଲେ ଏହା ଲୋକଙ୍କ କାମରେ ଆସୁନି । ତେବେ ଚକ୍ରତୀର୍ଥ ବେଳାଭୂମିର ରକ୍ଷଣା ବେକ୍ଷଣ ପାଇଁ ଏକ ସଂସ୍ଥାକୁ ଅଥବା ପୁରୀ ପୌରପାଳିକାକୁ ଦୟିତ୍ଵ ଦିଆଯାଉ । ରକ୍ଷଣା ବେକ୍ଷଣ ପାଇଁ ସେଠାକୁ ଯାଉଥିବା ପର୍ଯ୍ୟଟକଙ୍କଠାରୁ ଅଳ୍ପ ଅର୍ଥରେ ଟିକେଟ ବ୍ୟବସ୍ଥା ହେଉ । ଏହାଦ୍ଵାରା ବେଳାଭୂମିର ସଠିକ୍ ରକ୍ଷଣାବେକ୍ଷଣ ହୋଇ ପାରିବ । ନ ହେଲେ ଲୋକଙ୍କ ଟିକସ ଅର୍ଥରୁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବେ ହେଲେ ଏହା ବର୍ବାଦ ହେଉଥିବ । ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ଚକ୍ରତୀର୍ଥ ବେଳାଭୂମିକୁ ବ୍ୟବସ୍ଥିତ କରି ଲୋକଙ୍କ କାର୍ଯ୍ୟରେ ଲଗାଯାଉ ।"



- ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲିବ ଚକ୍ରତୀର୍ଥ: ଜିଲ୍ଲାପାଳ
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,"ଖୁବଶୀଘ୍ର ଚକ୍ରତୀର୍ଥ ବେଳାଭୂମିକୁ ବ୍ୟବସ୍ଥିତ କରାଯାଇ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯିବ । ଏଥିସହ ବେଳାଭୂମିରେ ବିଭିନ୍ନ ପ୍ରକାର ସାମୁଦ୍ରିକ କ୍ରିଡ଼ା ଆଗାମୀ ଦିନରେ ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ଵାରା ପୁରୀ ଆସୁଥିବା ପର୍ଯ୍ୟଟକମାନେ ଯେଭଳି ଏକ ସୁଖଦ ଅନୁଭୁତି ନେଇ ଫେରିବେ ସେନେଇ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ।"
ଇଟିଭି ଭାରତ,ପୁରୀ