ଭୁବନେଶ୍ବର: ଘରୋଇ କଲେଜରେ ଛାତ୍ରୀ ଜୀବନ ହାରିବା ମାମଲା । ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହୋଇଥିଲେ କଲେଜ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ପୂର୍ବରୁ ଏନେଇ ତାଙ୍କୁ ସମନ ହୋଇଥିଲା । ତାଙ୍କୁ ପ୍ରାୟ ଅଢେଇ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଜେରା ସରିବା ପରେ ଅତିଥି ଭବନରୁ ଫେରିଛନ୍ତି ଅଚ୍ୟୁତ । ସେପଟେ ସାମ୍ନାକୁ ଆସିଲା ନିଲମ୍ବିତ ହଷ୍ଟେଲ ଇନଚାର୍ଜଙ୍କ ପ୍ରତିକ୍ରିୟା । "ସତ ଖୁବଶୀଘ୍ର ସାମ୍ନାକୁ ଆସିବ ଅପେକ୍ଷା କରନ୍ତୁ" ବୋଲି ସେ କହିଛନ୍ତି । ଅପରପକ୍ଷେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରଣାଳୟ ।
ହାଜର ହେଲେ ଅଚ୍ୟୁତ:
ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହୋଇଥିଲେ ଘରୋଇ କଲେଜ ପ୍ରତିଷ୍ଠାତା ଡାକ୍ତର ଅଚ୍ୟୁତ ସାମନ୍ତ । ଅତିଥି ଭବନରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାସହ ୮ ଜଣ ଅଧିକାରୀଙ୍କୁ ବି ପଚରାଉଚରା ହୋଇଛି ।
ପୋଲିସ କମିଶନରଙ୍କ ପ୍ରତିକ୍ରିୟା:
ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପ୍ରସଙ୍ଗରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, "ଆମେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଛୁ । ତଦନ୍ତ ଚାଲିଛି । ଭଏସ ଚେଷ୍ଟ ପାଇଁ ପଠାଯାଇଛି । ତଦନ୍ତ ପରେ ସତ ଜଣାପଡିଲେ ଆମେ ପରବର୍ତ୍ତୀ ସମୟରେ ସେ ବିଷୟରେ ସୂଚନା ଦେବୁ ।"
" india accords high priority to safety, well-being of international students": mea spokesperson randhir jaiswal
— ANI Digital (@ani_digital) February 21, 2025
read @ANI Story | https://t.co/5RCGaNNN1r#MEA #RandhirJaiswal #India #Students pic.twitter.com/KWx384fqPv
ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ:
ଅତିରିକ୍ତ ସଚିବ ରଣଧୀର ଜୈଶ୍ବାଲ ଏନେଇ ଏକ ଭିଡିଓ ଜାରି କରି କହିଛନ୍ତି, "ଯେତେବେଳେ ଓଡ଼ିଶାରେ ଘଟିଥିବା ଏହି ଖବର ଆମ ନିକଟକୁ ଆସିଲା ଆମେ ତୁରନ୍ତ ଏବାବଦରେ ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଇଥିଲୁ । ବିଦେଶରୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।"
ବିଧାନସଭାରେ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ:
ଘରୋଇ କଲେଜ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ବାରମ୍ବାର ଗୃହରେ ମଧ୍ୟ ଉଠୁଛି । ଆଜି ବିଧାନସଭାରେ ଘରୋଇ କଲେଜରେ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ବିଧାୟକ ଦଳ । "ଘରୋଇ କଲେଜରେ ନେପାଳୀ ଛାତ୍ରୀଙ୍କ ଜୀବନ ହାରିବା ଘଟଣାର ତଦନ୍ତ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ" କହି ତାତିଲେ ବିରୋଧୀ । ଘଟଣାକୁ ଉଭୟ ବିରୋଧୀ ଓ ଶାସକ ଦଳ ନିନ୍ଦା କରିଛନ୍ତି । ସେପଟେ ଆଇନ ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ନ୍ୟାୟ ମିଳିବା ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
ଏହା ବି ପଢନ୍ତୁ...ଗୃହରେ ନେପାଳୀ ଛାତ୍ରୀ ମୃତ୍ୟୁ ତାତି: 'ସାମାନ୍ୟତମ ବି ସାମିଲ ଥିଲେ ଛଡାଯିବ ନାହିଁ'
କ'ଣ ଥିଲା ପୂରା ଘଟଣା:
ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଜୀବନ ହାରିଥିଲେ ନେପାଳ ଛାତ୍ରୀ । ଏହାକୁ ନେଇ ଘରୋଇ ବିଶ୍ବବିଦ୍ୟାଳୟରେ ଉତ୍ତେଜନା ଲାଗି ରହିଛି । ଗତ ରବିବାର ହଷ୍ଟେଲ ଭିତରୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ଯାହାକୁ ନେଇ ନ୍ୟାୟ ଦାବି କରିଥିଲେ ଛାତ୍ରଛାତ୍ରୀ । ଏହାପରେ ନେପାଳର ଛାତ୍ରଛାତ୍ରୀଙ୍କୁ ସାଇନ ଡାଏ କରାଯାଇଥିଲା । ଯଦିଓ ପରବର୍ତ୍ତୀ ସମୟରେ ସାଇନ ଡାଏ ପ୍ରତ୍ୟାହାର ହୋଇଛି, ତଥାପି ଏହାକୁ ନେଇ ତେଜିଛି ବିରୋଧାଭାଷ । ଏହାସହ ଭାଇରାଲ ଭିଡିଓରେ ହଷ୍ଟେଲ ଇନ ଚାର୍ଜ ନେପାଳର ଅର୍ଥନୀତି ନେଇ ଟିପ୍ପଣୀ ଦେଇଥିଲେ । ଯାହାକୁ ପ୍ରବଳ ବିରୋଧ ହୋଇଛି । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ୮ ଜଣଙ୍କୁ ସମନ ହୋଇଛି ।" ତେବେ ସମନ ଅନୁସାରେ ୮ ଜଣ ହାଜର ହୋଇଥିବା ଜଣାପଡ଼ିଛି ।
ଇଟିଭି ଭାରତ, ଭୁବନେଶ୍ବର