ଭୁବନେଶ୍ବର: ଦରଦାମ ବୃଦ୍ଧି ନେଇ ଆଜି ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ ବିରୋଧୀ । ଦରଦାମ ଓ ମୁଦ୍ରାସ୍ପୀତି ବୃଦ୍ଧିକୁ ନେଇ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମୁହାଁମୁହିଁ । ମହଙ୍ଗା ମାଡ଼ରେ ରାଜ୍ୟବାସୀ ହନ୍ତସନ୍ତ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମୂଲ୍ୟବୃଦ୍ଧି ରୋକିବାରେ ସରକାର ବିଫଳ ବୋଲି କହିଛନ୍ତି ବିରୋଧୀ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଗୃହ ତ୍ୟାଗ କରିଛି ବିଜେଡି । ଦରଦାମ ବୃଦ୍ଧି ସେମିତି କିଛି ଘଟିନାହିଁ,ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଦର ବିଶେଶ କିଛି ବଢିନି । ସବୁ ଦର ନିୟନ୍ତ୍ରଣରେ ରହିଛି ବୋଲି କହିଲେ ଯୋଗାଣ ମନ୍ତ୍ରୀ ।
'ଡବଲ ଇଞ୍ଜିନ ସରକାରରେ ଡବଲ ମିଛ କହୁଛନ୍ତି'
ମୁଲତବୀ ପ୍ରସ୍ତାବରେ ଭାଗ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ଡବଲ ଇଞ୍ଜିନ ସରକାରରେ ମୁଁ ଭାବିଥିଲି ଗୋଟେ ମିଛ କହିବେ । କିନ୍ତୁ ଡବଲ ମିଛ କହୁଛନ୍ତି । ସାଧାରଣରେ ଧାରଣା ଅଛି, ଆଳୁ ଓ ପିଆଜ ଦର ବଢିଲେ ମନ୍ତ୍ରୀ ତଦାରଖ କରିବାକୁ ଯିବେ । ମନ୍ତ୍ରୀ ବଜାରକୁ ଗଲେ, ଦୋକାନୀ କମ ଦାମରେ ଦେବେ । ଏହା ପରେ ମନ୍ତ୍ରୀ ଗଣମାଧ୍ୟମରେ ସେହି ଉତ୍ତର ଦେଉଛନ୍ତି । କିନ୍ତୁ ଦରଦାମ ସେତିକିରେ ସୀମିତ ନୁହେଁ । ଲୋକଙ୍କର ପାଞ୍ଚଟି ଶ୍ରେଷ୍ଟ ମୌଳିକ ଆବଶ୍ୟକ ଅଛି । ଆବଶ୍ୟକତା ଠାରୁ ଅଧିକ ବଢିଲେ ଦରଦାମ କୁହାଯାଏ । ଏମିତି କୌଣସି ଏକ ପଦାର୍ଥ ନାହିଁ ଯାହାର ଦରଦାମ ଉପର ମୁହାଁ ନାହିଁ । ଖାଇବା ତେଲଠୁ ନେଇ ଜୋତା ପଲିସ ଯାଏଁ । କେବଳ ବ୍ୟାଙ୍କରେ ଟଙ୍କା ରଖିଲେ ଶୁଦ୍ଧ କମିଛି । ଲୋକଙ୍କର ପ୍ରାପ୍ୟ କମିଛି । ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ କମିଛି । ଯେଉଁ ଭଳି ରଙ୍ଗ ବଦଳାଉଛନ୍ତି ରଙ୍ଗର ମୂଲ୍ୟ ବଢିବା ସ୍ଵାଭାବିକ । ''
'ସରକାର ଆସିବା ପରେ ସବୁଥିରେ ଦରଦାମ ମାଡ଼'
ସେ ଆହୁରି ମଧ୍ୟ କହିଛନ୍ତି, ''ନିର୍ବାଚନ ସରିବା ପରେ ସରକାର ଯଦି ଅନ୍ଧ ମୁକ୍ତ ବଧିର ପାଲଟେ, ତେବେ ଦରଦାମ ବଢିବ । ନିର୍ବାଚନର ଚାନ୍ଦା ସଂଗ୍ରହ ପାଇଁ ରହିଲେ, ଦରଦାମ ବଢେ । ମୁନାଫା ଖୋର ମାନଙ୍କ ସହ ସରକାର ଯେତେବେଳେ ଭାଗୀଦାର ହୁଅନ୍ତି ସେତେବେଳେ ଦରଦାମ ବଢିବ । କେନ୍ଦ୍ର ସରକାର ଏଥି ପାଇଁ ପ୍ରଥମ ତ ଦାୟୀ ତା ପରେ ରାଜ୍ୟ ସରକାର । ମନ୍ତ୍ରୀ ଉତ୍ତର ଦେବା ବେଳେ କହୁ କହୁ କିଛି ସତ୍ୟ କହିଦେଇଛନ୍ତି । କର୍ପୋରେଟ ହାଉସ ମୁନାଫା ପାଇଲେ ରାଜ୍ୟବାସୀ ହନ୍ତସନ୍ତ ହେବେ । ନିର୍ବାଚନ ସମୟରେ କେନ୍ଦ୍ରୀୟ ନେତା କହିଥିଲେ, ଓଡ଼ିଶାରେ ପରିବର୍ତ୍ତନ ଆଣ ଓ ଓଡ଼ିଶାକୁ ଏକ ନମ୍ୱର କର । କିନ୍ତୁ ସରକାର ଆସିବା ପରେ ସବୁଥିରେ ଦରଦାମ ମାଡ଼ । ଶୋଇବା, ଖାଇବା, ପିଇବା, ପିନ୍ଧିବାଠୁ ନେଇ ଅନ୍ୟାନ୍ୟର ଦରଦାମ କଥା ନ କହିଲେ ଭଲ । ବିଜେପି ସରକାରରେ ଅଛି, ଭାଟ କମାନ୍ତୁ । ନହେଲେ ବିଜେପିର ନାରାରେ ସବକା ବିନାଶ ସବକା ହତାଶ ଲଗାନ୍ତୁ । ''
'ସରକାର ଦରଦାମ ନିୟନ୍ତ୍ରଣ ନେଇ ପଦକ୍ଷେପ ନେଉନାହାନ୍ତି'
ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଦରଦାମ ବୃଦ୍ଧି ବିରୋଧରେ ବିଜେଡି ଆନ୍ଦୋଳନ ଜାରି ରଖିଛି । ଓଡିଶା ସରକାରଙ୍କୁ 8 ମାସ ଓ କେନ୍ଦ୍ର ସରକାରକୁ 11 ବର୍ଷ ହୋଇଛି । 2014 ପର ଠାରୁ ଦରଦାମ ବଢିବାରେ ଲାଗିଛି । ନିକଟରେ କେନ୍ଦ୍ର ସଚିବ ସୌରଭ ଗର୍ଗ ରାଜ୍ୟ ସରକାରଙ୍କୁ ଏକ ସାର୍ଟିଫିକେଟ ଦେଇଛନ୍ତି । ଓଡିଶାରେ ଦରଦାମ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସଚିବ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସରକାର ଦରଦାମ ନିୟନ୍ତ୍ରଣ ନେଇ ପଦକ୍ଷେପ ନେଉନଥିବାରୁ ଏଭଳି ହେଉଛି । ବ୍ୟବସ୍ଥା ସୁଧାର କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।"
'ଦରଦାମ ନିୟନ୍ତ୍ରଣରେ ସରକାର ବିଫଳ ହୋଇଛନ୍ତି'
କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, "ଯେଉଁ କଥା କହି ସରକାରକୁ ଆସିଲେ କିନ୍ତୁ କଣ କଲେ । ଯାହା ହୋଇଛି ଠିକ୍ ହୋଇଛି । ଆଗକୁ ହେବ ସରକାର କହୁଛନ୍ତି । ସାଧାରଣ ଲୋକଙ୍କର ପ୍ରଥମ ତ ଯାହା ଆବଶ୍ୟକ ତା ଉପରେ ଆପଣ ଜିଏସଟି ଲଗାଇଛନ୍ତି । ଯେତେବେଳେ ବିରୋଧରେ ଥିଲେ କହୁଥିଲେ ଆଉ ଏ ଦରଦାମ ଚଳିବ ନାହିଁ । ଗ୍ୟାସ ମୁଣ୍ଡାଇ ବୁଲିଲେ । କିନ୍ତୁ ଏବେ ତ ଆପଣ ସରକାରରେ କଣ କରୁଛନ୍ତି କାହିଁକି ନୀରବଦ୍ରଷ୍ଟା ବସିଛନ୍ତି । ଦରଦାମ ନିୟନ୍ତ୍ରଣରେ ସରକାର ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଭାଟ କମାଇବାର ଅଛି । ପେଟ୍ରୋଲ ଡିଜେଲରେ ଭାଟ କମାଇଲେ ଦରଦାମ ହୁଏତ ନିୟନ୍ତ୍ରଣକୁ ଆସିବ । ସାଧାରଣ ଲୋକ ହିଁ ଦରଦାମରେ ପ୍ରଭାବିତ ହେଉଛନ୍ତି । ବଡ଼ ବଡ଼ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ସରକାର । ତେଲ ଲୁଣ ସଂସାରରେ ମହଙ୍ଗା ମାଡ଼ ହୋଇଛି । ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲା ସ୍ତରରେ ଦାୟିତ୍ଵ ଦେଇଛୁ ଦର ନିୟନ୍ତ୍ରଣ ପାଇଁ କିନ୍ତୁ କିଛି ଅସାଧୁ ବ୍ୟବସାୟୀଙ୍କ ସହ ସେମାନେ ମିଶି ଯାଇଛନ୍ତି । କେନ୍ଦ୍ର ଜିଏସଟି ଓ ରାଜ୍ୟ ଭାଟ କମାଇବା ଦରକାର ।"
'ବିଜେଡି ଖାଲି ଆଳୁ ନୁହେଁ ପୋଚା ଆଳୁ'
ମୁଲତବୀ ପ୍ରସ୍ତାବରେ ଭାଗ ନେଇ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ବିଜେଡିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, "ଦରଦାମକୁ ନେଇ ଗୃହକୁ ଭ୍ରମିତ କରୁଛନ୍ତି ବିରୋଧୀ । ଗୁମାସ୍ତାଙ୍କ ପେପର ପଢ଼ି ଆସିଛନ୍ତି, ତାହା କହୁଛନ୍ତି । କିନ୍ତୁ ମୁଁ ଅର୍ଥନୀତି ସର୍ଭେ ରିପୋର୍ଟ କଥା କହୁଛି । ବିଜେଡି ଦଳରେ ଖଣି ମାଲିକ ଅଛନ୍ତି । ବଡ଼ ବଡ଼ ବ୍ୟବସାୟୀଙ୍କ ପାଖକୁ ଯାଉଥିଲେ । ବିଜେଡି ବିଧାୟକ ଓ ନବୀନ ବାବୁ ଆଳୁ । ବିଜେଡି ଖାଲି ଆଳୁ ନୁହେଁ ପୋଚା ଆଳୁ । ବିଜେଡି ସରକାର ଦରଦାମ ନିୟନ୍ତ୍ରଣ ପାଇଁ କିଛି କରିନାହାନ୍ତି । ଫେଲ ସରକାରକୁ ବିରୋଧୀ ଆସନରେ ବସାଇ ଦେଲେ ଓଡ଼ିଶାବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି । କିନ୍ତୁ ଗୁମାସ୍ତାଙ୍କ ସହ ତତ୍କାଳୀନ ବିଜେଡି ସରକାର ପୋପଙ୍କୁ ଭେଟିବାକୁ ଯାଇଥିଲେ । କଂଗ୍ରେସ ସରକାର ସମୟରେ ଦରଦାମ ବୃଦ୍ଧିକୁ ନେଇ ଫିଲ୍ମ ହେଉଥିଲା । ''
'ସର୍ବଭାରତୀୟ ହାରାହାରି ଦରରୁ ରାଜ୍ୟରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ତୁଳନାତ୍ମକ କମ ରହିଛି '
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, 'ରାଜ୍ୟରେ ଆବଶ୍ୟକ ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ରାଜ୍ୟର ଆଭ୍ୟନ୍ତରୀଣ ସମ୍ପାଦନ ବ୍ୟତୀତ ପଡୋଶୀ ରାଜ୍ୟ ମାନଙ୍କ ଠାରୁ ଆମଦାନୀ କରାଯାଇ ରାଜ୍ୟବାସୀଙ୍କ ଚାହିଁବା ପୂରଣ କରାଯାଇଥାଏ । ଆନ୍ତର୍ଜାତୀୟ ବଜାରରେ ଦରଦାମ ପରିସ୍ଥିତି ତଥା ଯୋଗାଣ ପେଣ୍ଠ ଗୁଡିକରେ ହେଇଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହ୍ରାସର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଥାଏ । ରାଜ୍ୟ ଆଭ୍ୟନ୍ତରୀଣ ଉତ୍ପାଦନ ସହ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣାଟକ, ରାଜସ୍ଥାନ, ଛତିଶଗଡ,ପଶ୍ଚିମବଙ୍ଗରୁ ଡାଲି, ଖାଇବା ତେଲ, ଚିନି, ଆଳୁ ଓ ପିଆଜ ଆମଦାନୀ ହୋଇଥାଏ । ଚଳିତ ବର୍ଷ ଚାଉଳ, ଚିନି, ଗୁଡ, ଆଳୁ ମୂଲ୍ୟ ପ୍ରାୟତଃ ସ୍ଥିର ରହିଛି । ମୁଗ, ହରଡ, ବୁଟ ମୂଲ୍ୟ ଗତ ବର୍ଷ ତୁଳନାରେ ହ୍ରାସ ଘଟିଛି । ସେହିପରି ଗତ ବର୍ଷ ତୁଳନାରେ କେନ୍ଦ୍ର ସରକାର ଚାଷୀଙ୍କର ଉନ୍ନତି ପାଇଁ ଗହମ ତଥା ବିଭିନ୍ନ ତୈଳବୀଜ ଉପରେ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି । ଖାଇବା ତେଲ, ଗହମ ଜାତୀୟ ଦ୍ରବ୍ୟର ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି । ସର୍ବଭାରତୀୟ ହାରାହାରି ଦରରୁ ରାଜ୍ୟରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ତୁଳନାତ୍ମକ କମ ରହିଛି ।
'ଚାଉଳ, ଡାଲି,ତେଲ, ଆଳୁ ମୂଲ୍ୟ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ'
''ଗତ ବର୍ଷ ତୁଳନାରେ ଡାଲି, ଆଳୁ ଦ୍ରବ୍ୟର ମୂଲ୍ୟ ହ୍ରାସ ହୋଇଛି । ବ୍ୟବସାୟୀଙ୍କ ସହ ବୈଠକ କରି ଚାଉଳ, ଡାଲି, ତେଲ, ଆଳୁ, ପିଆଜ ମୂଲ୍ୟ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯୋଗାଣ ବିଭାଗ ଦ୍ବାରା ଅତ୍ୟାବଶ୍ୟକ ଦ୍ରବ୍ୟର କଳାବଜାରୀ ରୋକିବା ପାଇଁ ନିୟମିତ ପଦକ୍ଷେପ ନିଆଯାଉଛି । ଖାଉଟି ମାନେ କିପରି ସୁଲଭ ମୂଲ୍ୟରେ ଜିନିଷ ପାଇ ପାରିବେ ତାହା ନିଶ୍ଚିତ କରାଯାଇଛି । ଗହମ ଜାତୀୟଦ୍ରବ୍ୟ, ଆଳୁ ପିଆଜ, ତେଲର ଗଚ୍ଛିତ ପରିମାଣ ତଦାରଖ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗହମ ଜାତୀୟ ଦ୍ରବ୍ୟର ଗନ୍ଧିତ ପରିମାଣକୁ Wheat Stock Management Portalରେ ଘୋଷଣା କରିବା ପାଇଁ ମିଲର ଓ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ମିଳିତ ଭାବରେ ଅନୁଧ୍ୟାନ କରାଯାଉଛି ।''
133 ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଠାରୁ 163500 ଟଙ୍କା ଜୋରିମାନା ଆଦାୟ:
''ଉତ୍ପାଦ ସାମଗ୍ରୀର ସୁଷମ ବଣ୍ଟନ ତଥା ବଳକା ସାମଗ୍ରୀକୁ ଗଚ୍ଛିତ ରଖିବା ପାଇଁ ଜିଲ୍ଲା ସ୍ତରରେ ମଣ୍ଡି ତଥା ଶୀତଳ ଭଣ୍ଡାର ସ୍ଥାପନ ନିମନ୍ତେ ସରକାର ବିଚାର କରୁଛନ୍ତି । ରାଜ୍ୟ ସରକାର ବିଭିନ୍ନ କିସମର ଡାଲିର ମହଜୁଦ ପରିମାଣ ସ୍ଥିର କରିଛନ୍ତି । ଏତଦବ୍ୟତୀତ କଳାବଜାରୀ ତଥା ମୁନାଫାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ 133 ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଠାରୁ 163500 ଟଙ୍କା ଜୋରିମାନା ଆଦାୟ କରାଯାଇଛି । 25 ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।''
ଇଟିଭି ଭାରତ, ଭୁବନେଶ୍ବର