ପାଟକୁରାରେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ - 2024 ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ ପ୍ରସ୍ତୁତି
🎬 Watch Now: Feature Video
Published : Sep 23, 2023, 1:09 PM IST
କେନ୍ଦ୍ରାପଡା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ପର୍ବ । ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗୁଆ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜୋର ଧରିଲାଣି । ଜାତୀୟ କଂଗ୍ରେସର ରାଜ୍ୟ ସ୍ତରୀୟ ନେତାମାନଙ୍କୁ ନେଇ ଘନଘନ ସଭା ସମିତି ଆରମ୍ଭ କଲେଣି ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ । ପାଟକୁରା ନିର୍ବାଚନ ମଣ୍ଡଳୀ ଚଅଁପୁର ଖେଳ ପଡିଆରେ ପାଟକୁରା କଂଗ୍ରେସ ପକ୍ଷରୁ ଏକ ପରିବର୍ତ୍ତନ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ରାଜ୍ୟ କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ଡବଙ୍କ ସହ ବହୁ ପୁରୁଣା କଂଗ୍ରେସ ନେତା ଓ କର୍ମୀ ଏହି ସମାବେଶରେ ଯୋଗଦେଇଥିଲେ ।
ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ପାଇଁ ବିଶାଳ ଜନ ସମାବେଶ କରିବ କଂଗ୍ରେସ, ଓଡିଶାକୁ ଛୁଟିବେ କେନ୍ଦ୍ରୀୟ ନେତା
ଏହି ପରିବର୍ତ୍ତନ ସମାବେଶରେ ନେତାମାନେ କେନ୍ଦ୍ରରେ ଶାସନରେ ଥିବା ବିଜେପି ସରକାର ଓ ରାଜ୍ୟରେ ଥିବା ବିଜେଡି ସରକାରଙ୍କ ବିରୋଧରେ ବିଶୋଦଗାର କରିଥିଲେ । ଆଗାମୀ ୨୦୨୪ ନିର୍ବାଚନରେ ପାଟକୁରାର କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଇବା ପାଇଁ ଆହ୍ୱାନ ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ଏହି ପରିବର୍ତ୍ତନ ସଭା ମାଧ୍ୟମରେ ପରିବର୍ତ୍ତନର ଭିତ୍ତିଭୂମି ପଡିଲା ବୋଲି କହିଛନ୍ତି ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ।
ଇଟିଭି ଭାରତ,କେନ୍ଦ୍ରାପଡା