ଜୋତା ଭିତରୁ ଉଦ୍ଧାର ହେଲା ସାପ, ଦେଖନ୍ତୁ ଭିଡିଓ

By

Published : Feb 14, 2023, 10:21 PM IST

thumbnail

ଚେନ୍ନାଇ: ଜୋତା ଭିତରେ ଲୁଚି ରହିଥିଲା ସାପ । କୌଣସି ଅଘଟଣ ଘଟିବା ପୂର୍ବରୁ ଏ ସମ୍ପର୍କରେ ଜଣାପଡିବା ପରେ ସାପକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପଲାଇନର ଜଣେ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀ ସ୍ବେଚ୍ଛାସେବୀଙ୍କ ଦ୍ବାରା ସାପଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ତାମିଲନାଡୁର ଟେଙ୍କାସୀ ଜିଲ୍ଲାର ସାଙ୍କାରାନକୋଭିଲ୍ ନିକଟ ଚିନ୍ନା କୋଭିଲାଙ୍ଗୁଲାମ ଗ୍ରାମରେ ଦେଖିବାକୁ ମିଳିଛି । 

ସ୍ଥାନୀୟ ବାଲାସୁବ୍ରମଣ୍ୟମ ନାମକ ଜଣେ ଜେଲ କର୍ମଚାରୀଙ୍କ ଘରେ ଏପରି ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ତାଙ୍କ ପିଲାମାନେ ସ୍କୁଲକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କର ଜଣେ ସନ୍ତାନ ସ୍କୁଲ ଜୋତା ପିନ୍ଧିବାକୁ ଯାଉଥିବା ବେଳେ ଏହା ଭିତରେ କିଛି ଗୋଟେ ଥିବା ଜାଣିବାକୁ ପାଇଥିଲା । ପରେ ଏହାକୁ ନିରୀକ୍ଷଣ କରିବାରୁ ଏକ ସାପ ଜୋତା ମଧ୍ୟରେ ପଶି ରହିଥିବା ଜଣାପଡିଥିଲା । ସାପ ଥିବା ଜାଣି ତୁରନ୍ତ ସାପ ଉଦ୍ଧାରକାରୀ ଟିମକୁ ଖବର ଦିଆଯାଇଥିଲା । ପରମେଶ ଦାସ ନାମକ ଜଣେ ସ୍ଥାନୀୟ ସାପ ଧରାଳି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଶିକ୍ଷିତ ପରମେଶ ଏକ ସାପ ଧରିବା ପାଇଁ ଉଦ୍ଦିଷ୍ଟ ଏକ ବାଡି ସାହାଯ୍ୟରେ ସାପକୁ ଜୋତାରୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ । 

ବେଶ କିଛି ସମୟ ପରେ ସାପଟିକୁ ସୁରକ୍ଷିତ ଭାବେ ଜୋତାରୁ ଉଦ୍ଧାର କରାଯାଇଥିଲା । ପରେ ସାପକୁ ଏକ ସୁରକ୍ଷିତ ବ୍ୟାଗରେ ରଖି ନକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ ସମ୍ପୃକ୍ତ ସାପ ଉଦ୍ଧାରକାରୀ ଦଳର ସଦସ୍ୟ । ସେଠାରେ ଜନବସତି ଠାରୁ ଦୂରରେ ସାପଟି ସୁରକ୍ଷିତ ରହିବ ବୋଲି ମଧ୍ୟ ସେ ମତ ଦେଇଛନ୍ତି । ଘରେ କିଛି ଦିନ ଧରି ପଡିରହିଥିବା ଜୋତା, ପାର୍କିଂ ହୋଇଥିବା ସାଇକେଲ, ଦୀର୍ଘ ସମୟ ଧରି ରଖାଯାଇଥିବା ପୁରୁଣା ଜିନିଷ ଭିତରେ ବିଛା, ସାପ ଇତ୍ୟାଦି ପଶିଯିବାର ଅନେକ ନଜିର ରହିଛି । 

ଏଗୁଡିକ ଛାୟାଯୁକ୍ତ ତଥା ଅନ୍ଧାର ଓ ଗରମ ସ୍ଥାନ ହୋଇଥିବା କାରଣରୁ ସାପଙ୍କୁ ଏହା ଉପଯୋଗୀ ବାତାବରଣ ଯୋଗାଇଥାଏ । ତେଣୁ ସେମାନେ ଏଠାରେ ସହଜରେ ଲୁଚି ରହିପାରନ୍ତି । ଏପରି ସମୟରେ ସତର୍କତା ଅବଲମ୍ବନ ନକଲେ କୌଣସି ସମୟରେ ଅଘଟଣ ଘଟିପାରେ । ଘରେ ଅଧିକ ସମୟ ଧରି ପଡିରହିଥିବା ସାମଗ୍ରୀରେ ଏପରି ଆଶଙ୍କା ପ୍ରାୟତଃ ରହୁଥିବା ବେଳେ ଏହାକୁ ବ୍ୟବହାର କରିବା ପୂର୍ବରୁ ଅଧିକ ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.