ଭୁବନେଶ୍ବର: ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା । ପ୍ରତିଦିନ ସଡକ ଦୁର୍ଘଟଣା କେଉଁଠି ନା କେଉଁଠି ଯାଉଛି ଜୀବନ । ବିଗତ ଦୁଇ ଦିନ ମଧ୍ୟରେ ସଡକ ଦୁର୍ଘଟଣାରେ ଭୁବନେଶ୍ବରରେ ୪ ଜଣଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ ପାଇଛି । ଗତକାଲି(ଶନିବାର) ପଳାଶୁଣିରେ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । କାହିଁକି ଘଟୁଛି ଏତେ ଦୁର୍ଘଟଣା । କିପରି ରୋକାଯାଇ ପାରିବ । ରାଜ୍ୟରେ ସଡ଼କ ଦୁର୍ଘଟଣା ହାର କେତେ । ଏନେଇ କଣ କହୁଛନ୍ତି ଏକ୍ସପର୍ଟ ଜାଣନ୍ତୁ ।
ପଳାଶୁଣି ଦୁର୍ଘଟଣାରେ ଗଲା ଜୀବନ:
ଗତକାଲି ପଳାଶୁଣିରେ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ଘୋଷାଡି ହୋଇ ପଡିଥିଲେ । ଏପରିକି ଆହୁରି ଦୁଇଟି ଟ୍ରକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଉପରେ ଚଢାଇ ଦେବାରୁ ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତ୍ରିରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲେ ସୁଦ୍ଧା ତାଙ୍କ ପରିଚୟ ମିଳିପାରିନାହିଁ ।
ପଳାଶୁଣି ପାଲଟିଛି କି ଆକ୍ସିଡେଣ୍ଟ ଜୋନ ?
ପଳାଶୁଣିରେ ଦୁର୍ଘଟଣା ନୂଆ ନୁହେଁ । ଏହା ଏବେ ଆକ୍ସିଡେଣ୍ଟ ଜୋନ ପାଲଟିଛି କହିଲେ ଅତୁକ୍ତି ହେବ ନାହିଁ । ସେହି ଅଞ୍ଚଳ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ନିକଟରେ ବସ ରହଣି ସ୍ଥଳ ଯୋଗୁଁ ସେଠାରେ ଲୋକଙ୍କ ଆତଯାତ ମଧ୍ୟ ଦୁର୍ଘଟଣାର ଏକ ପ୍ରକାର କାରଣ ସାଜୁଛି । ବଢୁଥିବା ଦୁର୍ଘଟଣାକୁ ନେଇ ସେଠାରେ ଫୁଟବ୍ରିଜ କାମ ମଧ୍ୟ ଚାଲୁ ରହିଛି ।

ପଳାଶୁଣିରେ କାହିଁକି ଘଟୁଛି ଏତେ ଦୁର୍ଘଟଣା ?
ଏନେଇ ରୋଡ଼ ଟ୍ରାନ୍ସପୋର୍ଟ ଏକ୍ସପର୍ଟ ମକବଲ ଅଲ୍ଲୀ କହିଛନ୍ତି, ‘ଯେହେତୁ ସର୍ଭିସ ରୋଡ ସାଇଡ଼ରେ ଓ ପାଖରେ ହାଇୱେର ଓଭର ବ୍ରିଜ ସ୍ଲୋପ ରହୁଛି । ତେଣୁ ଏପରି ପରିସ୍ଥିତି ଉପୁଜୁଛି । ଏପରି ସ୍ଥଳରେ ସେହି ସବୁ ଅଞ୍ଚଳରେ ପ୍ରଥମତଃ ରାସ୍ତାରେ ଉଭୟ ପାର୍ଶ୍ଵ ଆତଯାତ ବନ୍ଦହେବା ଦରକାର । ଦୁଇ ରାସ୍ତା ମଝିରେ ବାରିକେଡ ଉଚ୍ଚା ହେବା ଦରକାର ଯେପରି କେହି ଡେଇଁ ଏପଟ ସେପଟ ଯାଇପାରିବେ ନାହିଁ । ଅନ୍ୟପଟେ ସେଠାରେ ଯେହେତୁ ଏପରି ଦୁର୍ଘଟଣା ହେଉଛି । ସାଇନ ବୋର୍ଡ ବା ଫ୍ଲାଶର ଅର୍ଥାତ୍ ହଳଦିଆ ଲାଇଟ୍ ଯାହାକି ଧପ ଧପ ହେଉଥିବା ଫ୍ଲାଶର ମଧ୍ୟ ରହିବା ଦରକାର । ଫୁଟ ଓଭରବ୍ରିଜ ମଧ୍ୟ ନିହାତି ଦରକାର ଯାହା ଦ୍ବାରା ଦୁର୍ଘଟଣାକୁ ରୋକାଯାଇ ପାରିବ ।
ପଳାଶୁଣିରେ କିପରି ରୋକାଯାଇପାରିବ ଦୁର୍ଘଟଣା ?
- ଦୁଇ ରାସ୍ତା ମଧ୍ୟରେ ବ୍ୟାରିକେଡ ଉଚ୍ଚା ହେବା ଦରକାର
- ସାଇନ ବୋର୍ଡ ରହିବା ଆବଶ୍ୟକ
- ଫ୍ଲାଶର ରହିବା ଆବଶ୍ୟକ
- ଫୁଟ ଓଭରବ୍ରିଜ ରହିବା ଆବଶ୍ୟକ

କେଉଁଠି କେବେ ଘଟିଥିଲା ଦୁର୍ଘଟଣା ?
କେବଳ ପଳାଶୁଣି ଦୁର୍ଘଟଣା ନୁହେଁ ଶୁକ୍ରବାର ମଧ୍ୟ ଇନଫୋଭାଲି ଅଞ୍ଚଳରେ ମଧ୍ୟ ଗୋହିରା ଛକରେ ଏକ ଦୁର୍ଘଟଣା ଯୋଗୁଁ ତିନି ଜଣଙ୍କ ଜୀବନ ଯାଇଥିଲା । ଏକ ମହାରାଷ୍ଟ୍ର ନମ୍ବର ଥିବା ଗାଡି ଯୋଗେ ମହାରାଷ୍ଟ୍ରରୁ ପୁରୀ ଆସୁଥିବା ବେଳେ ଗୋହିରା ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପୁରୀର ଅଠରନଳା ଅଞ୍ଚଳର ବିଶ୍ବ ଚେତନ ମିଶ୍ର ,ଚନ୍ଦନପୁର ପ୍ରତାପ ଶାସନପୁର ବିଶ୍ବରଞ୍ଜନ ସେଠୀ ଓ ବାଲିପୁଟର ପ୍ରଶାନ୍ତ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁଇ ଦିନ ଭିତରେ ଭୁବନେଶ୍ୱରରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ ଅନେକ ଛୋଟ ମୋଟ ଦୁର୍ଘଟଣା ମାନ ଘଟି ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଫଳରେ ସଡକ ଦୁର୍ଘଟଣା ଏବେ ଚିନ୍ତାଜନକ ରହିଛି ।


କଣ କହୁଛି ସରକାରୀ ତଥ୍ୟ:
ରାଜ୍ୟରେ ଦୁର୍ଘଟଣା ଜନିତ ସ୍ଥିତିକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଏନେଇ ଅରୁଣ ସାହୁ କରିଥିବା ପ୍ରଶ୍ନରେ ଉତ୍ତର ରଖି ପରିବହନ ବିଭାଗ ମନ୍ତ୍ରୀ ମଧ୍ୟ ଉତ୍ତରରେ ଦର୍ଶାଇଛନ୍ତି ।
- ଜୁନ 2024ରୁ 2025 ଫେବୃଆରୀ ୨୦ ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି 3717 ଜଣ
- ଜୁନ 2024ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ 6327ଟି ସଡ଼କ ଦୁର୍ଘଟଣା ଘଟିଛି
- ଯେଉଁଥିରେ 3401 ଜଣ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି
- ଦ୍ରୁତ ଗତିରେ ଗାଡି ଚାଳନା ପାଇଁ 918ଟି ଦୁର୍ଘଟଣା ଘଟିଛି
- ବେପରୁଆ ଗାଡି ଚାଳନା ପାଇଁ 1052ଟି ଦୁର୍ଘଟଣା ଘଟିଛି
- ସେଥିମଧ୍ୟରୁ 46ଟି ମଦ୍ୟପାନ କରି ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି
- 4677ଟି ଦୁର୍ଘଟଣାର କାରଣ ଅନ୍ୟାନ୍ୟ କାରଣ ଯୋଗୁଁ ଘଟିଛି
ପୋଲିସ ପରିବହନ ବିଭାଗ ଓ ରାସ୍ତା ନିର୍ମାଣ ବିଭାଗ ଦ୍ବାରା ମିଳିତ ଭାବେ ତଦନ୍ତ କରାଯାଉଅଛି । ଯେଉଁ ଦୁର୍ଘଟଣାରେ ତିନି ବା ଅଧିକ ଜଣ ମୃତ୍ୟୁବରଣ ହୋଇଥାଏ ସେହି ଦୁର୍ଘଟଣା ଗୁଡିକର କ୍ରାସ ଇନଭେଷ୍ଟିଗେସନ ଏକ ବିଶେଷଜ୍ଞ ଦଳ ଦ୍ବାରା କରାଯାଇଥାଏ । ଏହାର ରିପୋର୍ଟ ସେହି ଜିଲ୍ଲାର ପ୍ରଶାସନ, ପୋଲିସ, ପରିବହନ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟାଳୟକୁ ଏନେଇ ପ୍ରତିକାରମୂଳକ ପଦକ୍ଷେପ ନେବା ନିମନ୍ତେ ପଠାଯାଇଥାଏ । ଏହା ବ୍ୟତୀତ ସଡକ ଦୁର୍ଘଟଣା ନିରାକରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ମାନ ନେଉଥିବା ଦର୍ଶାଇଛନ୍ତି ବିଧାନସଭାରେ ।

କାମ ଦେଉନି ସଚେତନତା:
ଦୁର୍ଘଟଣା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଗତ ଜାନୁଆରୀ ମାସରେ ମଧ୍ୟ ସଡକ ଦୁର୍ଘଟଣା ସପ୍ତାହ ଭାବେ ପାଳନ କରାଯାଇଥିଲା ।ଏନେଇ ସଚେତନତା ଓ ବିଭିନ୍ନ କାର୍ଯ୍ୟକ୍ରମ କରି ପଦକ୍ଷେପ ନେଉଥିଲେ ସତ୍ତ୍ବେ ମଧ୍ୟ ଦୁର୍ଘଟଣା ଘଟୁଛି । ସବୁଠାରୁ ଦୁର୍ଘଟଣା ପ୍ରବଣ ଜିଲ୍ଲା ହେଉଛି ମୟୂରଭଞ୍ଜ,କେନ୍ଦୁଝର ଓ ସୁନ୍ଦରଗଡ଼ ଓ ଗଞ୍ଜାମ,କଟକ ଖୋର୍ଦ୍ଧା ଓ ସମ୍ବଲପୁର । ୬୭ପ୍ରତିଶତ ଦୁର୍ଘଟଣା କେବଳ ଦ୍ରୁତଗତି ଯୋଗୁଁ ଘଟୁଛି ଅର୍ଥାତ୍ ନିର୍ଦ୍ଧାରିତ ବେଗଠୁ ଅଧିକ ବେଗରେ ଗତି ଯୋଗୁଁ ଦୁର୍ଘଟଣା ଘଟୁଛି । 50 ପ୍ରତିଶତ ଦୁଇ ଚକିଆ ଦୁର୍ଘଟଣା ବିନା ହେଲମେଟ ଯୋଗୁଁ ଘଟୁଛି । ଯାହାକି ଅତ୍ୟନ୍ତ ଉଦବେଗଜନକ ରହିଛି ।

ଦୁର୍ଘଟଣାର କାରଣ କଣ ?
- ମଦ୍ୟପାନ କରି ଗାଡି ଚାଳନା
- ଦ୍ରୁତ ବେଗରେ ଗାଡି ଚାଳନା
- ରାସ୍ତାରେ ନିର୍ମାଣ ବା ରୋଡ ଇଂଜିନିୟରିରେ ତ୍ରୁଟି
- ପାଣି ପାଗ ଜନିତ ସମସ୍ୟାନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚାଳନା
ଏନେଇ ରାଜ୍ୟ ସରକାର ମଧ୍ୟ ଦୁର୍ଘଟଣା ରୋକିବା ପାଇଁ ପୂର୍ବରୁ ADAS ସିଷ୍ଟମ୍ ଲାଗୁ କରିବା ପାଇଁ ମଧ୍ୟ ପରିକଳ୍ପନା କରିଥିଲେ ତଥାପି ଦୁର୍ଘଟଣା କମିବାରେ ବ୍ରେକ ଲାଗୁ ପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର