thumbnail

By ETV Bharat Odisha Team

Published : May 29, 2024, 3:59 PM IST

ETV Bharat / Videos

ରଥଖଳା ଚଳଚଞ୍ଚଳ; ତିନି ରଥର ୧୮ଟି ଚକ ନିର୍ମାଣ ଶେଷ, ସାଲ ଗୁଜରେ ଚାଲିଛି ରୂପ ଖୋଦେଇ - Ratha Khala Halchal

Ratha Khala Halchal: ପୁରୀ: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ତିନି ରଥର ନିର୍ମାଣକାରୀ ସେବକମାନେ ରଥଖଳାଠାରେ ସକାଳ ୮ଟାରେ ଉପସ୍ଥାନ ଦେଇ ମୁଖ୍ୟ ବିଶ୍ଵକର୍ମାଙ୍କ ନିର୍ଦ୍ଦେଶମତେ ନିର୍ମାଣ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ତିନି ରଥର ୧୮ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପୂର୍ବକ ଯନ୍ତାଗାଡ଼ ଠାରେ ତୁମ୍ବ ଅରରେ କଣ୍ଟା ବାଡିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ବାବଧାନରେ ଭୋଇ ସେବକମାନେ ଶେଷକରି ଅଖବିନ୍ଧ ପାଇଁ ରଥ ଚାଳିକୁ ଯୋଗାଇଛନ୍ତି ।

ସିଙ୍ଗଡ଼ା ତୁମ୍ବ ଗୁଡିକରେ ତୁମ୍ବ ବିନ୍ଧ କାରିଗରଙ୍କ ଦ୍ଵାରା ଅଖବିନ୍ଧ ପରେ ତିନି ରଥର ମହାରଣା ସେବକମାନେ ମାପ ପ୍ରକାରେ ବଳକା ଅର କଟିଙ୍ଗ୍‌ ତଥା ସାଲ କାର୍ଯ୍ୟ କରୁଛନ୍ତି । ତିନି ରଥର ମହାରଣା ସେବକମାନେ ଦୁଇ ଦୁଇଟି ଚକ ପ୍ରସ୍ତୁତ ପାଇଁ ୮ଟି ଲେଖାଏଁ ପଇ ବିନ୍ଧ ଶେଷ କଲାପରେ ତିନି ରଥର ଦୁଇ ଦୁଇଟି ସିଙ୍ଗଡ଼ାରେ ପଇ ସଂଯୋଗ ଶେଷ ହୋଇ ପଇରେ କିଳା ବା ବିଲେଇ ବାଡିଆ ହୋଇ ପଇ କଳସା ଜାରି ରହିଛି । ରଥ ଖଳାରେ ସ୍ଥାନ ଅଭାବ ଯୋଗୁଁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉ ନାହିଁ । ତେଣୁ ପରମ୍ପରା ପ୍ରକାରେ ଆଜି ଭଉଁରୀ ତିଥିରେ ଚକ ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକ ଗୁଡ଼ିକୁ ବିଧିମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚଳଚଞ୍ଚଳ ରଥ ଖଳା; କାଲି ଶ୍ରୀକ୍ଷେତ୍ର ଭଉଁରୀ ତିଥି, ହେବ ଅଖ-ଚକ ଡେରା ନୀତି - BHAUNRI RITUAL AT RATHA KHALA

ଏଥିସହ ତିନି ରଥର ସମସ୍ତ ସାଲ ଗୁଜ, ତୀଖ ଗୁଜ, ଜଳଯନ୍ତ୍ର, କୁଡୁକା, ଦୁଇଟି ଲେଖାଏଁ ଓରା ଏବଂ ଗୋଟିଏ ଲେଖାଏଁ ସିଂହାସନ ନିର୍ମାଣ ଶେଷ କରିଛନ୍ତି । ଏଥିସହ ତିନି ରଥର ଗୋଟିଏ ଗୋଟିଏ ପ୍ରଭା ଅପସରା ଚଉପଟ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ରୂପକାର ସେବକମାନେ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ୧୦-୧୧ଟି ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷକରି କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.