thumbnail

ପାତାଳୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି; ଆଳତି କଲେ ବିଧାୟକ ସରୋଜ - Patali Srikshyetra Rath Yatra

By ETV Bharat Odisha Team

Published : Jul 8, 2024, 11:09 PM IST

Patali Srikshyetra Rath Yatra: ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଜିଲ୍ଲାର ଅନନ୍ୟ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ନାଏକପଡା ପାତାଳୀ ଶ୍ରୀକ୍ଷେତ୍ରରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ପହଞ୍ଚି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଳତି କରିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
 

ଚଳିତ ବର୍ଷ ଅତ୍ୟନ୍ତ ବିରଳ ସଂଯୋଗ କ୍ରମେ ଘୋଷଯାତ୍ରା ଦିନରେ ହିଁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ତିଥି ଗୋଟିଏ ଦିନରେ ପଡ଼ିଥିବାରୁ ୨ ଦିନ ଧରି ଘୋଷଯାତ୍ରା ଅନୁଷ୍ଠିତ ହୋଉଛି । ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ନାଏକପଡା ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପରଦିନ ବାସୀ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନାଏକପଡା ପାତାଳୀ ଶ୍ରୀକ୍ଷେତ୍ରରେ ଆଜି ଘୋଷଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ସ୍ଥାନୀୟ ଆଦିବାସୀ ଶ୍ରଦ୍ଧାଳୁମାନେ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କୁ ବଣ ଜଙ୍ଗଲ ଅଞ୍ଚଳରେ ବୃକ୍ଷ ପଥରରେ ପୂଜାର୍ଚ୍ଚନା କରିଆସୁଥିଲେ । ଏହି ଧାରାରେ ଶ୍ରୀଜଗନ୍ନାଥଙ୍କ ଆଦିରୂପ ନୀଳମାଧବ ଉପାସନାର ପ୍ରତୀକ ପରମ୍ପରା ପ୍ରଚଳିତ ହୋଇଆସୁଛି । ଗନ୍ଧରାଡ଼ିର ନୀଳମାଧବଙ୍କ ଉପାସନା ଠାରୁ ନେଇ ବରଗାଁ ପଞ୍ଚାୟତର ସୈରୀବେଙ୍ଗସ ଗ୍ରାମରେ ଆଦିବାସୀ କନ୍ଧ ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ଦ୍ବାରା ନୀଳମାଧବଙ୍କୁ ପୂଜାର୍ଚ୍ଚନା ପ୍ରାଚୀନ ପରମ୍ପରାକୁ ସୂଚିତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ସେଚ୍ଛାସେବୀଙ୍କୁ ସଲାମ: ଯେବେ ରଥଯାତ୍ରାରେ ଘଟିଲା ଅଘଟଣ, ଦେବଦୂତ ସାଜି ପହଞ୍ଚିଥିଲେ ଆପଦ ମିତ୍ର - Ratha Yatra Social Workers

ବୌଦ୍ଧର ନାଏକପଡା ଗୁମ୍ଫା ଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ପାତାଳୀ କରାଯାଇଥିବାରୁ ସେହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଆଧ୍ୟାତ୍ମିକ ବାତାବରଣରେ ଭରପୁର ରହିଛି । ତେବେ ଏହି ଦିବ୍ୟକ୍ଷେତ୍ରର ଯେତିକି ବିକାଶ ହେବା କଥା ତାହା ହୋଇପାରି ନଥିବାରୁ ଶ୍ରଦ୍ଧାଳୁ ଦୁଃଖ ପ୍ରକାଶ କରିଛନ୍ତି । ଆଜି ବାସୀ ରଥଯାତ୍ରା ଅବସରରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚି ଚତୁର୍ଦ୍ଧା ବିଗ୍ରହଙ୍କୁ ଆଳତି କରିବା ସହିତ ଆଶୀର୍ବାଦ ଲାଭ କରିଛନ୍ତି । ଏହି ଅବସରରେ ଏହି ପୁଣ୍ୟ କ୍ଷେତ୍ରର ବିକାଶ କରାଯିବ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ବିଧାୟକ ।

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.