ଚେନ୍ନାଇ: ତାମିଲନାଡୁରେ ଲଜ୍ଜା । ଓଡିଶାର ଜନୈକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ । ମଙ୍ଗଳବାର ରାତିର ନିନ୍ଦନୀୟ ଘଟଣାରେ 3 ଗିରଫ । ଘଟଣା ଘଟିଛି ଚେନ୍ନାଇରେ । ଆଇଏଏନଏସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ ମଙ୍ଗଳବାର ରାତିରେ ଚେନ୍ନାଇରେ ପହଞ୍ଚିଥିଲେ ଓଡିଶା ଦମ୍ପତି । ଚାକିରି ଅନ୍ବେଷଣରେ ତାମିଲନାଡୁର ତିରୁପୁରରେ ପହଞ୍ଚିବା ପରେ ଘଟିଥିଲା ଅଭାବନୀୟ ଘଟଣା । ଦକ୍ଷିଣ ଭାରତର କପଡା ରାଜଧାନୀ ଭାବେ ପରିଚିତ ତିରୁପୁର ।
ପୋଲିସ ସୂଚନା ମୁତାବକ, ତିରୁପୁର ରେଲଓ୍ବେ ଷ୍ଟେସନରେ ପହଞ୍ଚିବା ପରେ ଓଡିଆ ଦମ୍ପତିଙ୍କୁ ଚିକିରି ଲୋଭ ଦେଖାଇଥିଲେ 3 ଅଭିଯୁକ୍ତ, ମହମ୍ମଦ ନଦିମ (24), ମହମ୍ମଦ ଡେନିସ (25), ମହମ୍ମଦ ମୁରସିତ୍ (19) । ପରେ ସେଠାରୁ ଓଡିଆ ଦମ୍ପତିଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ସ୍ୱାମୀଙ୍କୁ ଛୁରା ଦେଖାଇ ଡରାଇ ଧମକାର, ସ୍ୱାମୀ ଆଗରେ ସ୍ତ୍ରୀକୁ ଯୌନ ନିର୍ଯାତନା ଦେଇଥିଲେ ।
ଘଟଣା ଘଟିବା ପରେ ସ୍ଥାନୀୟ ତିରୁପୁର ଉତ୍ତର ପୋଲିସ ଷ୍ଟେସନରେ ପହଞ୍ଚି ଲିଖିତ ଅଭିଯୋଗ ଦେଇଥିଲେ ପୀଡିତା । ପରେ ପୋଲିସ ସଙ୍ଗେସଙ୍ଗେ ମାମଲାକୁ ଗୁରୁତ୍ୱର ସହ ନେବା ସହିତ ଏତଲା ଦାଏର କରି ତଦନ୍ତ ଆରମ୍ଭ କରିବା ସହିତ 3 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ସୂଚନା ଥାଉକି, ତିରୁପୁର ନାଇଟ୍ ଓ୍ବିୟର ଶିଳ୍ପରେ ପାଖାପାଖି 8 ଲକ୍ଷ କର୍ମଚାରୀ କାର୍ଯ୍ୟରତ । ଏଥିରୁ ପାଖାପାଖି 3 ଲକ୍ଷ କର୍ମଚାରୀ ଉତ୍ତର ଭାରତର ବିଭିନ୍ନ ରାଜ୍ୟରୁ ଆସିଥାନ୍ତି । ଏହି ଘଟଣା ପରେ ତାମିଲନାଡୁରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରୋଧୀ ଦଳ ୟଥା, AIADMK ଏବଂ BJP ଶାସକ ଦଳ ଡିଏମକେକୁ ପ୍ରବଳ ସମାଲୋଚନା କରିବା ସହିତ ମହିଳା ରାଜ୍ୟରେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିଛନ୍ତି ।
ତେବେ ସୂଚନା ରହିଛି କି, ରାଜ୍ୟରେ ଗତ କିଛି ମାସ ମଧ୍ୟରେ ଏକାଧିକ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି । ଗତ ଡିସେମ୍ବର 24 ତାରିଖରେ ଆନ୍ନା ବିଶ୍ୱବିଦ୍ୟାଳୟର ଜଣେ ଦ୍ୱିତୀୟ ବର୍ଷ ଇଂଜିନିୟରିଂ ଛାତ୍ରୀଙ୍କୁ ଜନୈକ 37 ବର୍ଷୀୟ ବୁଲା ବିକାଳି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସେହିପରି ଅନ୍ୟ ଏକ ମାମଲାରେ ବାରଗୁର ସରକାରୀ ବିଦ୍ୟାଳୟର 13 ବର୍ଷୀୟା ଝିଅକୁ ସେହି ସ୍କୁଲର 3 ଜଣ ଶିକ୍ଷକ ଦୁଷ୍କର୍ମ କରିଥିଲେ । ଘଟଣାଟି କ୍ରୀଷ୍ଣାଗିରୀ ଜିଲ୍ଲାରେ ଘଟିଥିଲା ।
ମଙ୍ଗଳବାର ଘଟଣାରେ ତାମିଲନାଡୁ ବିଜେପି ମୁଖିଆ ଅନାମଲାଇ ଏବଂ ଆଇଏଡିଏମକେ ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଘଟଣାକୁ ଘୋର ନିନ୍ଦା କରିବା ସହିତ ଡିଏମକେ ସରକାରରୁ ଘେରିଛନ୍ତି । ହତ୍ୟା, ରାହାଜାନୀ, ଡକାୟତି, ଡିକନାପ୍, ଯୌନ ନିର୍ଯାତନା ଭଳି ଘଟଣାରେ ଦିନକୁ ଦିନ ବଢୁଥିବା ଅଭିଯୋଗ କରିଛନ୍ତି ପଲାନିସ୍ୱାମୀ ।
"ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଭୁସୁଡିବାରେ ଲାଗିଛି," ବୋଲି ପଲାନିସ୍ୱାମୀ ଅଭିଯୋଗ ଆଣିଛନ୍ତି । ଏହା ସହିତ ଡିଏମକେ ସରକାରରେ ମହିଳା ଏବଂ ଶିଶୁ ବିରୋଧୀ ହିଂସା ଦିନକୁ ଦିନ ବଢୁଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହା ସହିତ ସ୍କୁଲ ଯାଉଥିବା ପିଲାଙ୍କ ବାପାମା ବର୍ତ୍ତମାନ ସମୟରେ ଗଭୀର ଚିନ୍ତାରେ ଥିବା କହିଛନ୍ତି ବିରୋଧୀ ଦଳ ।
(ଆଇଏଏନଏସ୍ ଇନପୁଟ)