କୋରାପୁଟ: ସୀମା ବିବାଦ ଇଲାକାରେ ଆଶାର ଆଲୋକ । କେତେବେଳେ ଏଠି ସୀମା ବିବାଦ ତ ପୁଣି କେତେବେଳେ ଅପହଞ୍ଚ ବିକାଶ । ସେ ଯାହା ବି ହେଉନା କାହିଁକି ରାତି ପାହିଲେ ଏଠି ଚାଷକୁ ଦେଖି ଖୁସ୍ ଚାଷୀ । ଏଇ ମାଟିରେ ଚାଷ ହୋଇଛି ମିଣ୍ଟ୍ ତେଲ । ପୁଣି ଏଇ ମାଟିରେ ଉତ୍ପାଦିତ ହୋଇଛି ହଳଦୀ ପତ୍ର ତେଲ। ଆମେ କହୁଛୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ କଥା । କଫି, ହଳଦୀ, ଅଦା, କଳା ଚାଉଳ ଓ ମାଣ୍ଡିଆ ପରେ ଏବେ କୋରାପୁଟ ପାଇଁ ଗର୍ବ ଆଣିଦେବ କେମୋମାଇଲ । ଉତ୍କୃଷ୍ଟ ପାଣି ପବନର ମାଟି କୋରାପୁଟରେ ଚାଷ ହେଉଛି ଇଉରୋପୀୟ ଫୁଲ କେମୋମାଇଲ । କୋଟିଆର ଆଦିବାସୀ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏଠାରେ ଫୁଟିଛି କେମୋମାଇଲ ।
କୋଟିଆ ଉପତ୍ୟକାରେ କେମୋମାଇଲ:
କୋଟିଆ ଉପତ୍ୟକାର ଦୁଇ ଏକର ଜମିରେ କେମୋମାଇଲ ଫୁଲ ଚାଷ କରୁଛନ୍ତି ଛଅ ଆଦିବାସୀ ମହିଳା ଚାଷୀ। ଅତି ଜତନରେ ଫୁଲ ସଂଗ୍ରହ କରି କିଛି ପାତ୍ରରେ ରଖୁଛନ୍ତି । ଏହାପରେ ଫୁଲକୁ ଶୁଖାଇ କୁଲାରେ ବାଛି ଉତ୍ପାଦନ କାମରେ ଲାଗିଛନ୍ତି ମହିଳା ଚାଷୀ । ଜିଲ୍ଲା ଖଣିଜ ପାଣ୍ଠି (DMF) ସହାୟତାରେ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS) କେମୋମାଇଲ ଉତ୍ପାଦନର ଦାୟିତ୍ବ ନେଇଛି ।
କୋରାପୁଟ ପଟ୍ଟାଙ୍ଗୀ ବ୍ଲକର 21ଟି ଗାଁରେ ଏକ କ୍ଲଷ୍ଟର କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘକାଳୀନ ସୀମା ବିବାଦ ପ୍ରାୟତଃ ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ଉଭୟ ରାଜ୍ୟ ଏହି ଅଞ୍ଚଳର ମାଲିକାନା ଦାବି କରୁଥିବାରୁ ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ତଥାପି ଏହି ଚାଲିଥିବା ବିବାଦ ମଧ୍ୟରେ, କୋଟିଆ ଏବେ କେମୋମାଇଲ ଉତ୍ପାଦନ ପାଇଁ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି ।

- ତିନି ମାସରେ ଉତ୍ପାଦନ
ସାଧାରଣତଃ ନଭେମ୍ବର ମାସରେ କେମୋମାଇଲ ଚାଷ ଆରମ୍ଭ ହୋଇଥାଏ । ଏହି ଫସଲ ଉତ୍ପାଦନ ହେବାକୁ ତିନି ମାସ ସମୟ ଲାଗିଥାଏ । କୋଟିଆର 2 ଏକର ଜମିରେ ପ୍ରଥମେ କେମୋମାଇଲ ଚାଷ ଆରମ୍ଭ ହୋଇଛି । ଦୁଇଟି ପ୍ରକ୍ରିୟାରେ କେମୋମାଇଲ ବିକ୍ରି କରାଯିବ । ଗୋଟିଏ ପାଉଡର ଭାବେ ଓ ଅନ୍ୟଟି ତେଲ ହିସାବରେ ବିକ୍ରି କରିବାର ଯୋଜନା ରହିଛି । ଏ ଫୁଲକୁ ତୋଳି ଶୁଖାଇକି ଗୁଣ୍ଡ କରିବା ପରେ ଓରମାସ ଦ୍ବାରା ବିକ୍ରି କରାଯିବ । ପୂର୍ବରୁ ଏଠାକାର ଚାଷୀ ମିଣ୍ଟ ତେଲ ଓ ହଳଦୀ ପତ୍ର ତେଲ ଉତ୍ପାଦନ କରି ଦେଶ ବିଦେଶରେ ପ୍ରଶଂସିତ ହୋଇଛନ୍ତି । ସାଧାରଣତଃ ଧାନ ଚାଷ କରି ଗୁଜୁରାଟ ମେଣ୍ଟାଉଥିବା ଏହି ଚାଷୀ କେମୋମାଇଲରେ ଭାଗ୍ୟ ପରୀକ୍ଷା କରୁଛନ୍ତି । କେମୋମାଇଲ ଫୁଲ ଅମଳ କରିବା ପାଇଁ ପୂର୍ବ ଘାଟର ପାହାଡ଼ ଏବଂ ଉପତ୍ୟକାର କୋଟିଆ ଅଞ୍ଚଳର ଜଳବାୟୁ ଅନୁକୂଳ ରହିଥାଏ ।

- କେମୋମାଇଲର ଫାଇଦା
ଏହାର ଫୁଲକୁ ଖାଦ୍ୟ ଏବଂ ପାନୀୟରେ ବ୍ୟବହାର କରାଯାଇଥାଏ । ମାଉଥ ୱାଶ୍, ସାବୁନ ଏବଂ ପ୍ରସାଧନ ସାମଗ୍ରୀରେ ଏକ ମୌଳିକ ଉପାଦାନ ଭାବରେ ବ୍ୟବହାର କରିବାକୁ ଏହା ସ୍ବୀକୃତି ପାଇଛି । ଗରମ ପାଣିରେ ଶୁଖିଲା ଫୁଲ ମିଶାଇ ତିଆରି ହୋଇଥିବା କେମୋମାଇଲ ଚା’ ନିଦ୍ରା ଗୁଣବତ୍ତା ଉନ୍ନତ କରିବା, ଚାପ ହ୍ରାସ କରିବା ଏବଂ ଚିନ୍ତା ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହା ସହ କେମୋମାଇଲ ତେଲ ଚର୍ମ-ନିରାକରଣ ଏବଂ ମାଂସପେଶୀ ପାଇଁ ଆରାମ ଦାୟକ ହୋଇଥାଏ । ଏହାକୁ ତ୍ୱଚା ଚିକିତ୍ସାରେ ମଧ୍ୟ ଏକ ମୂଲ୍ୟବାନ ଉପାଦାନ ଭାବେ ବ୍ୟବହାର କରିହୁଏ ।

କେମୋମାଇଲ ତେଲ ଲିଟର 40 ହଜାର ଟଙ୍କା
ORMAS କ୍ଷେତ୍ର ସହାୟକ ଜିତାଲି ହନ୍ତାଲ କହିଛନ୍ତି ଯେ ‘‘ ଏବର୍ଷ ଆମେ କେମୋମାଇଲ ବିହନ ପ୍ରଥମ କରି ଚାଷ କରିବା ଆରମ୍ଭ କଲୁ । ନଭେମ୍ବର ମାସରେ ପ୍ରଥମ ଚାଷ କାମ ଆରମ୍ଭ ହେଲା । କେମୋମାଇଲକୁ ଚା’ରେ, ଗରମ ପାଣିରେ ପିଇବା ଦ୍ବାରା କ୍ଲାନ୍ତରୁ ମୁକ୍ତି ମିଳିଥାଏ । ସେହିପରି ମହିଳା ମାନେ ଋତୁସ୍ରାବ ସମୟରେ ଏହାକୁ ଚା’ କରି ପିଇଲେ ଉପଶମ ପାଇଥାନ୍ତି । 2 ଏକର ଜମିରେ ପ୍ରଥମେ କେମୋମାଇଲ ଚାଷ ଆରମ୍ଭ କରିଛୁ । ଏକ କିଲୋ ବିହନ ଯୋଗାଇ ଦିଆଯାଇଥିବା ବେଳେ ଅଧା ଏକର ଜମିରେ ବିହନ ବୁଣିଛୁ ଅଧା ଏକରରେ ଲଗାଇଛୁ । ଏହି ଚାଷ ସଫଳ ହେଲେ କୋଟିଆ ପଞ୍ଚାୟତର ଅନ୍ୟ ଗାଁକୁ ବିହନ ଯୋଗାଇ ଦିଆଯିବ । ମହିଳା ଚାଷୀଙ୍କ ଠୁ କେମୋମାଇଲ ଫୁଲକୁ 2 ହଜାରରେ କିଣି ପ୍ରଦର୍ଶନୀରେ ବିକିବୁ । ଆଗକୁ ତେଲ ବାହାରି କରିବୁ । ଯେହେତୁ ଗୋଟିଏ ଲିଟର ତେଲ ପିଛା 40 ହଜାର ଟଙ୍କା ମିଳିବ ତେଣୁ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି’’ ।

ଏହା ମଧ୍ୟ ପଢନ୍ତୁ କଫି ବଗିଚାରେ ଫଳିଛି ଅଳେଇଚ, ନୂତନ ସମ୍ଭାବନାକୁ ନେଇ ଚାଷୀ ଖୁସ
ଏହା ମଧ୍ୟ ପଢନ୍ତୁ ‘କେରେଙ୍ଗ’ ବସ୍ତ୍ରକୁ ମିଳିବ ନୂଆ ପରିଚୟ, ଦିଲ୍ଲୀ ଗସ୍ତରେ ୨ ଗାଦବା ମହିଳା
- ଲକ୍ଷ୍ନୌ CIMAPର ସହାୟତା
ORMAS ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ କହିଛନ୍ତି ଯେ ‘‘ଓରମାସ ଓ ଲକ୍ଷ୍ନୌର CIMAP ସହଭାଗିତାରେ ଆମେ କୋରାପୁଟରେ ମିଣ୍ଟ୍ ତେଲ ଉତ୍ପାଦନ କରି ସଫଳତା ପାଇଥିଲୁ । ଏହାପରେ ହଳଦୀ ତେଲ କରି ସଫଳ ହୋଇଛୁ । ତେବେ ପ୍ରଥମକରି କୋରାପୁଟ ପଟାଙ୍ଗୀର କୋଟିଆରେ କେମୋମାଇଲ ଚାଷ ଆରମ୍ଭ କରିଛୁ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧାନ ଚାଷ ପରେ ଜମି ଖାଲି ପଡିଥାଏ । ତିନି ଚାରି ମାସ ମଧ୍ୟରେ କେମୋମାଇଲ ଉତ୍ପାଦନ ହୋଇଥାଏ । ଏହା ଅତିରିକ୍ତ ରୋଜଗାର ଦେଇଥାଏ । ଯାହା ଫଳରେ ସେମାନେ ପୁଣି ଥରେ ସେହି ଜମିରେ ଚାଷ କରିବା ପାଇଁ ସକ୍ଷମ ହୋଇଥାନ୍ତି’’ ।
ଗତ ବର୍ଷ ନଭେମ୍ବରରେ ବୁଣାଯାଇଥିବା ବିହନ ଗୁଡ଼ିକ ଏବେ ଫୁଲ ଉତ୍ପାଦନ କରିବା ଆରମ୍ଭ କରିଛି। ଯାହାକୁ ପାଉଡର ଏବଂ ତେଲ ପ୍ରକ୍ରିୟାକରଣ କରିବା ପୂର୍ବରୁ ତୋଳି ଶୁଖାଯାଉଛି । ସେ ଆଶା ପ୍ରକାଶ କରିଛନ୍ତି ଯେ ପ୍ରକଳ୍ପ ସଫଳ ହେବା ପରେ,ଉପତ୍ୟକାର ଅନ୍ୟ ଅଂଶରେ କେମୋମାଇଲ ଚାଷ ବିସ୍ତାରିତ ହେବ ।

ପଶ୍ଚିମ ହିମାଳୟ ସମେତ ସମଶୀତୋଷ୍ଣ ୟୁରେସିଆ ଏବଂ ଇଣ୍ଡୋ-ଚୀନର ମୂଳ ବାସିନ୍ଦା କାମୋମାଇଲକୁ ପାରମ୍ପରିକ ଭାବରେ ଆୟୁର୍ବେଦ, ୟୁନାନୀ ଏବଂ ହୋମିଓପାଥିକ ଔଷଧରେ ବ୍ୟବହାର କରିଥାନ୍ତି । ଏହା ଅନିଦ୍ରା ଚିକିତ୍ସାରେ ସାହାଯ୍ୟ କରୁଥିବା ଏକ ମୃଦୁ ଉପଶମକାରୀ ପାନୀୟ ଭାବେ ଜଣାଶୁଣା । ଏକ ଅଧ୍ୟୟନ କହୁଛି ଯେ ଏହାର ଆଣ୍ଟିଡିପ୍ରେସାଣ୍ଟ ପ୍ରଭାବ ଥାଇପାରେ। କୋଟିଆ ଏକ ଆଞ୍ଚଳିକ ବିବାଦର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ଏହାର କାମୋମାଇଲ ଚାଷ ପଦକ୍ଷେପ ଅଞ୍ଚଳ ବାସୀଙ୍କ ଆର୍ଥିକ ବିକାଶ ଏବଂ ଔଷଧୀୟ ସୁସ୍ଥତା ପାଇଁ ଏକ ନୂତନ ରାସ୍ତା ପ୍ରଦାନ କରିବା ନେଇ ସମସ୍ତେ ଆଶାବାଦୀ ।
କୋରାପୁଟରୁ ସି. ସାନ୍ତାକାରଙ୍କ ସ୍ବତନ୍ତ୍ର ରିପୋର୍ଟ , ଇଟିଭି ଭାରତ