ନୂଆଦିଲ୍ଲୀ: କିଏ ହେବ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ? ଆସନ୍ତାକାଲି(ଗୁରୁବାର) ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଜି ବସିବ ବିଧାୟକ ଦଳ ବୈଠକ । ଦିଲ୍ଲୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ବିଧାୟକ ଦଳ ବୈଠରେ ବହୁ ପ୍ରତିକ୍ଷୀତ ନିଷ୍ପତ୍ତି ନିଆଯିବ । ଆମ୍ ଆଦମୀ ପାର୍ଟି (AAP)କୁ ପରାସ୍ତ କରି ଦୀର୍ଘ ୨୬ ବର୍ଷ ପରେ ବିଜେପି ଦିଲ୍ଲୀରେ ଏକାକୀ ସରକାର ଗଢିଥିବାବେଳେ, କାହା ମୁଣ୍ଡରେ ସୁନା ମୁକୁଟ ପିନ୍ଧାଇବ ଦଳ । ତାହା ଉପରେ ସମସ୍ତଙ୍କ ନଜର ।
- ଆଜି ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ:
ଏହି ବୈଠକରେ ବିଜେପିର ତୁଙ୍ଗ ନେତାମାନଙ୍କ ସହ 48 ଜଣ ନବ ନିର୍ବାଚିତ ବିଧାୟକ ଯୋଗଦେବେ । ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବ ? ତାହା ସ୍ପଷ୍ଟ ହେଲା ପରେ ସରକାର ଗଠନ ପାଇଁ ରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ ସୁପାରିଶ କରାଯିବ । ଆସନ୍ତାକାଲି (ଗୁରୁବାର) ରାମଲୀଳା ମଇଦାନରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଏହି ଶପଥ ଗ୍ରହଣ ସମାରୋହର ଦାୟିତ୍ବରେ ଥିବା ବିନୋଦ ତାୱଡେ ଏବଂ ତରୁଣ ଚୁଗଙ୍କ ବ୍ୟତୀତ ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ଏବଂ ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ରହିବେ ।
- ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ:
ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ ଏବଂ ଏକାଧିକ ଲୋକପ୍ରିୟ ସାଂସଦ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇଛନ୍ତି ।
- ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ?
ନିର୍ବାଚନ ଫଳାଫଳ ଆସିବା ଦିନଠାରୁ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ? ଜାଣିବା ପାଇଁ ଦିଲ୍ଲୀବାସୀ ବେଶ ଉତ୍ସାହିତ ଅଛନ୍ତି । ତେବେ ବିଧାୟକ ପ୍ରବେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶିଷ ସୁଦ, ଜିତେନ୍ଦ୍ର ମହାଜନ, ବିଜେନ୍ଦ୍ର ଗୁପ୍ତା, ଅଭୟ ବର୍ମା, ରେଖା ଗୁପ୍ତା ଏବଂ ଶିଖ୍ ରାୟଙ୍କ ଭିତରୁ କାହା ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେପି ଆଶ୍ଚର୍ଯ୍ୟଜନକ ଭାବେ କାହାକୁ ବି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିପାରେ । ଆଗରୁ ନଜିର ରହିଛି ବିଜେପି ଶାସିତ ରାଜ୍ୟ ଯଥା:-ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ଛତିଶଗଡରେ ଦଳ ଯେପରି ଆଶ୍ଚର୍ଯ୍ୟଜନକ ଭାବେ ନୂଆ ଚେହେରାଙ୍କ ନାଁ ଘୋଷଣା କରିଥିଲା । ଠିକ ସେହିପରି ଦିଲ୍ଲୀରେ ମଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ