ବିଜେପିର ବିଜୟ ଶୋଭାଯାତ୍ରା, ବିରୋଧିଙ୍କୁ ଦେଲେ କଡ଼ା ଜବାବ - BJP Rally in Jharsuguda - BJP RALLY IN JHARSUGUDA
🎬 Watch Now: Feature Video
Published : Jun 15, 2024, 5:59 PM IST
ଝାରସୁଗୁଡ଼ା: ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଥିବା ବିଜେପି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରଥମ କରି ଗଡ଼ ହାତେଇଛି । ଏଥର ଟଙ୍କଧର ତ୍ରିପାଠୀଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇ ଗଡ଼ ହାତେଇଛି ବିଜେପି । ବିଶେଷ କରି ପୌରାଞ୍ଚଳର ଭୋଟର ବିଜୁ ଜନତା ଦଳର ଖେଳ ବିଗାଡି ଦେଇ ବିଜେପି ସପକ୍ଷରେ ଭୋଟ ଦେଇଥିଲେ । ତେବେ ଏହି ବୃହତ ବିଜୟ ପରେ ଆଜି ବିଜେପି ପକ୍ଷରୁ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ ପାଇଁ ଝାରସୁଗୁଡ଼ା ସହରାଞ୍ଚଳରେ ଏକ ବିରାଟ ବିଜୟ ଶୋଭାଯାତ୍ରାରେ ବାହାରିଥିଲେ ଝାରସୁଗୁଡ଼ାର ନବନିର୍ବାଚିତ ବିଧାୟକ ଟଙ୍କଧର ତ୍ରିପାଠୀ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ଓ ଜନସାଧାରଣଙ୍କ ପାଖକୁ ସରକାରୀ ସୁବିଧା ସୁଯୋଗ ଯୋଗାଇବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।
ଚଳିତ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି ଟଙ୍କଧର । ତେବେ ଭୋଟ ଗଣତିରେ ବା ନିର୍ବାଚନରେ ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିବାବେଳେ ଆବେଦନପତ୍ରକୁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଛି । ସେଠାରୁ ପୁଣି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମଞ୍ଜୁର ହେବା ପରେ ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଅନୁମତି ଆସିବ ବୋଲି ସୂଚନା ମିଳିଛି । ତେବେ ଏନେଇ ଝାରସୁଗୁଡ଼ାର ନବନିର୍ବାଚିତ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଜନମତକୁ ନମ୍ରତାର ସହ ସ୍ବୀକାର କରିନେବା ଉଚିତ । ହେଲେ କିଛି ଅହଙ୍କାରୀ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି କ୍ଷମତା ସେମାନଙ୍କ ଜନ୍ମସିଦ୍ଧ ଅଧିକାର । ସେମାନେ କ୍ଷମତା ବିନା ରହିପାରିବେ ନାହିଁ । ସେମାନେ ଏଭଳି ବୃଥା ପ୍ରୟାସରେ ସଫଳ ହେବେ ନାହିଁ ।"
ଇଟିଭି ଭାରତ, ଝାରସୁଗୁଡ଼ା