ଗଛକଟାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ - Subarnapur Tree cutting
Published : Jun 21, 2024, 9:54 AM IST
Tree Cutting in Subarnapur ସୁବର୍ଣ୍ଣପୁର: ସହରରେ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ପାଇଁ କଟାଯାଉଛି ଗଛ । ଏହି ଗଛକଟାକୁ ସହରର ପ୍ରତିଷ୍ଠିତ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ମିଶନ ଗ୍ରୀନ' ପ୍ରତିବାଦ କରିଛି । ଏନେଇ 'ମିଶନ ଗ୍ରୀନ' ଅନୁଷ୍ଠାନର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗଛ ନ କାଟିବା ପାଇଁ ଜିଲ୍ଲାପାଳ ଓ ବନ୍ୟ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଐତିହାସିକ ଗଡଜାତ ସହର ସୁବର୍ଣ୍ଣପୁରରେ ଚୌହାନ ଶାସନ ଅମଳରୁ ଶହ ଶହ ବର୍ଷର ପୁରୁଣା ଗଛସବୁ ରହିଥିଲା । ରାସ୍ତା ପ୍ରଶସ୍ତିକରଣ ଓ ସରକାରୀ କୋଠାବାଡି ନିର୍ମାଣ ପାଇଁ ହଜାର ହଜାର ଗଛ କଟା ସରିଛି । ଏବେ କାଁ ଭାଁ ସହରରେ ଗଛ ରହିଥିବା ବେଳେ ସହରର ସହରର ଟାଉନ ହଲ ସମ୍ମୁଖ ଓ ସ୍ମାର୍ଟ ପାର୍କ ନିକଟରେ ଥିବା ଗଛଗୁଡିକ କାଟିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଗଛକଟା ଆରମ୍ଭ କରିଛି ।
ଏହାମଧ୍ୟ ପଢନ୍ତୁ.. ବିକାଶ ନାଁରେ କଂକ୍ରିଟ ଜଙ୍ଗଲ, ସ୍ମାର୍ଟସିଟିରୁ ଛାଇ ଉଭାନ ! - BHUBANESWAR TREES CUTTING
ତେଲନଦୀଠାରୁ ପୌର ପରିଷଦ ସ୍ମାର୍ଟ ପାର୍କ ପର୍ଯ୍ୟନ୍ତ ୨୫୮ଟି ଗଛ କାଟିବା ପାଇଁ ଯୋଜନା ରହିଛି । ତେବେ ସହରର ବିଭିନ୍ନ ସଂଗଠନ ଓ ସହରବାସୀ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଓଡ଼ିଶା ବନ୍ୟ ଉନ୍ନୟନ ନିଗମ କର୍ମଚାରୀଙ୍କୁ ଗଛ ନ କାଟିବା ପାଇଁ ପରାମର୍ଶ ଦେବା ସହିତ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ବନ୍ୟ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବୃକ୍ଷ ନଷ୍ଟକୁ ତୀବ୍ର ବିରୋଧ କରିବା ସହିତ ବୃକ୍ଷ ରୋପଣକୁ କିପରି ଅଗ୍ରାଧିକାର ଦିଆଯିବ ସେ ବିଷୟରେ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ସହରର ପ୍ରତ୍ୟେକ ବ୍ୟକ୍ତିଙ୍କୁ କିପରି ଏହି ଅଭିଯାନରେ ସାମିଲ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ସହିତ ପରିବେଶପ୍ରେମୀ ସହରବାସୀ ଆଲୋଚନା କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର