ଥିରୁ୍ଅନନ୍ତପୁରମ: କେରଳ ଥିରୁଅନନ୍ତମପୁରମରେ 23 ବର୍ଷୀୟ ଯୁବକଙ୍କ ଉନ୍ମକ୍ତ, ଜଘନ୍ୟ କାଣ୍ଡ । ପ୍ରେମିକା ସମେତ ପରିବାରର 5 ଜଣଙ୍କୁ ନିର୍ମମ ଭାବେ ହତ୍ୟା । ଯୁବକ ନିଜ ମାଆଙ୍କୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ନିକଟରେ ନିଜେ ଅଭିଯୁକ୍ତ ଅତ୍ମସମର୍ପଣ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।
5 ଜଣଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମସମର୍ପଣ:
ପୋଲିସ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ସମୟରେ ଜଣେ 23 ବର୍ଷୀୟ ଯୁବକ ଥିରୁଅନନ୍ତମପୁରମ ଜିଲ୍ଲାର ବେଞ୍ଜାରାମୁଡୁ ପୋଲିସ ଷ୍ଟେସନରେ ପହଞ୍ଚି 6 ଜଣଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ହେଲେ ପରେ ତଦନ୍ତ ବେଳେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଥିଲା ।
ପୋଲିସର କହିବାନୁଯାୟୀ, ଅଭିଯୁକ୍ତ ଯୁବକର ନାଁ ଅଫାନ । ଅଫାନକୁ ବି ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଅଫାନ 5 ଜଣଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲା । ଯେଉଁଥି ପାଇଁ ପୋଲିସ ସୁରକ୍ଷା ମଧ୍ୟରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ହତ୍ୟାର କାରଣ:
ତିରୁଅନନ୍ତମପୁରମର ଗ୍ରାମୀଣ ଏସପି ଏସ ସୁଦର୍ଶନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି," ମୃତ 5 ଜଣଙ୍କ ପରିଚୟ ମିଳିସାରିଛି । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ମାମଲାରେ ପୋଲିସ ଷ୍ଟେସନରେ 3ଟି ମାମଲା ରୁଜ୍ଜୁ ହୋଇଛି । ଯଦିଓ ବର୍ତ୍ତମାନ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ କିନ୍ତୁ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପରେ ହତ୍ୟା ପଛର କାରଣ ଜଣାପଡିବ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଏକ ମାରଣାସ୍ତ୍ର ଜବତ ହୋଇଛି । ଏହି ହତ୍ୟାକାଣ୍ଡ ସକାଳ 10ରୁ ସନ୍ଧ୍ୟା 6ଟା ମଧ୍ୟରେ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପୋଲିସ ଆଉମଧ୍ୟ କହିଛି ଯେ, ଅଫାନ ପ୍ରଥମେ ପୈଗୋଡେ ନିବାସୀ ନିଜ ଜେଜେମା ସଲମା ବିବିଙ୍କୁ ହତ୍ୟା କରିଥିଲା । ଏହାପରେ ଆଉ ଏକ ଗାଁରେ ରହୁଥିବା ନିଜ ଦାଦା ଲତିଫ ଓ ଖୁଡି ଶାହିଦାଙ୍କୁ ହତ୍ୟା କରିଥିଲା । ଏହାପରେ ନିଜର 13 ବର୍ଷୀୟ ଛୋଟ ଭାଇ ଅଫସାନ ଓ ଜଣେ ଯୁବତୀ ଫରସାନାଙ୍କୁ ହତ୍ୟା କରିଥିଲା । ଫରସାନା ତାଙ୍କ ବାନ୍ଧବୀ ହୋଇଥିବା ସୂଚନା ରହିଛି । ସନ୍ଧ୍ୟା ସମୟରେ କ୍ୟାନସରରେ ପୀଡିତ ନିଜ ମାଆଙ୍କୁ ହତ୍ୟା ଉଦ୍ୟମ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଥିରୁଅନନ୍ତମପୁରମ ଜିଲ୍ଲା ପଞ୍ଚାୟତ ସଦସ୍ୟ ବିନୁ ଏସ ନାୟର କହିଛନ୍ତି, "ସମସ୍ତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।"
ସ୍ଥାନୀୟ ବାସିନ୍ଦା ଶାଜି କହିଛନ୍ତି," ଅଫାନର ବାନ୍ଧବୀ ଫରସାନା ଗତ 2 ଦିନ ହେଲା ତାଙ୍କ ଘରେ ରହୁଥିଲା । ଯାହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଅଶାନ୍ତି ଦେଖିବାକୁ ମିଳିଥିଲା ।"
କଣ କହିଲେ ଅଭିଯୁକ୍ତର ବାପା:
ଅଭିଯୁକ୍ତଙ୍କ ବାପା ଅବଦୁଲ ରହିମ ସାଉଦି ଆରବରେ କାମ କରୁଥିବା ବେଳେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ସୂଚନା ରହିଛି । କିନ୍ତୁ ତାଙ୍କ ପୁଅଙ୍କର ସେଭଳି କିଛି ସମସ୍ୟା ନଥିଲା ବୋଲି ସେ କହିଛନ୍ତି । କାରଣ ସେ 6 ମାସ ପାଇଁ ସାଉଦି ଯାଇଥିଲେ ଓ ଖୁସିରେ ଭାରତ ଫେରିଥିଲେ । ତାଙ୍କ ପୁଅ କିଛି ଧାର କରିଥିବା ବେଳେ ସେ ସମ୍ପତ୍ତି ବିକ୍ରି କରି ସେ ଋଣ ପରିଶୋଧ କରିବାକୁ କହିଥିଲେ । ସମ୍ପର୍କୀୟଙ୍କ ଠାରୁ ଅଫାନ ଓ ଫରସାନାଙ୍କ ପ୍ରେମ ସମ୍ପର୍କରେ ଜାଣିବାକୁ ପାଇଥିଲେ ଓ ସେ ଏହି ସମ୍ପର୍କକୁ ମଧ୍ୟ ବିରୋଧ କରୁନଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ