କଟକ: ଟକ୍ ମକ୍ ହୋଇ ଫୁଟୁଛି ପାଣି । ଯେମିତି ସେହି ଗର୍ତ୍ତ ସାହାଯ୍ୟରେ ନିଶ୍ବାସ ନେଉଛନ୍ତି ମହାଦେବ । ମହାଦେବଙ୍କୁ ଘର୍ଷଣ ହେବା ପରେ ଯାହା ବଳିଥାଏ ସବୁ ସେଇ ଗର୍ତ୍ତ ମଧ୍ୟରେ ସଞ୍ଚିତ ହୋଇ ରହିଥାଏ । ଆଉ ସେହି ଟକ ମକ ହୋଇ ଫୁଟୁଥିବା ଜଳକୁ ପାଦୁକା ସ୍ବରୂପ ଶ୍ରଦ୍ଧାଳୁଙ୍କ ହାତକୁ ବଢାଇ ଦିଅନ୍ତି ସେବାୟତ । ସେମିତି ଜୀବନ୍ତ ଠାକୁର ହେଉଛନ୍ତି ପରମହଂସନାଥ । ସେ ପାତାଳୀ ଠାକୁର । ମାନସିକ କଲେ ମନ ଜାଣି ବର ଦିଅନ୍ତି ବାବା ପରମହଂସନାଥ । ମହାଦେବଙ୍କ ଏଭଳି ଅଲୌକିକ ଶକ୍ତିର ବାଖ୍ୟା କରନ୍ତି ଉଭୟ ଶ୍ରଦ୍ଧାଳୁ ଓ ସେବାୟତ । ମହାଶିବରାତ୍ରି ଉପଲକ୍ଷେ ଜାଣନ୍ତୁ ଏହି ବିରଳ ଶୈବପୀଠର ଅଲୌକିକ କଥା ।
- ଶିବଲିଙ୍ଗରେ ଫୁଟୁଥାଏ ପାଣି
ପରମହଂସନାଥ ମନ୍ଦିର ସହ ଜଡିତ ରହିଛି ଅନେକ ଅଲୌକିକ ଘଟଣା । ଏହି ଶୈବପୀଠରେ ଥିବା ଲିଙ୍ଗ ଭିତରେ ସବୁବେଳେ ପାଣି ଟକ ଟକ ଫୁଟୁଥାଏ । ଯାହାକି ଆପଣ ନ ଦେଖିଲେ ବିଶ୍ୱାସ ବି କରି ପାରିବେନି । ମଣିଷ ଯେମିତି ନିଶ୍ୱାସ ପ୍ରଶ୍ୱାସ ନେଇଥାଏ, ଠିକ ସେମିତି ଏହି ଶୈବପୀଠରେ ଥିବା ଲିଙ୍ଗ ମଧରେ ପାଣି ରହେ ଏବଂ ଟକ ଟକ ହୋଇ ଫୁଟିବା ସହ ଫୋଟକା ବାହାରି ଥାଏ । କୁହାଯାଏ ମନ୍ଦିର ଯେବେଠାରୁ ନିର୍ମାଣ ହୋଇଛି ସେବେଠାରୁ ହିଁ ଲିଙ୍ଗ ଭିତରେ ଏପରି ଦେଖାଯାଏ । ସେବାୟତ ତ୍ରିଲୋଚନ ପଣ୍ଡା କୁହନ୍ତି, ‘‘ଏହା ଏକ ଶକ୍ତି । ଏହାକୁ ଶିବ ଶକ୍ତି କ୍ଷେତ୍ର ମଧ୍ୟ କୁହାଯାଏ । ଏହା ହେଉଛି ହୀରନମୟୀ ଗର୍ଭ । ସବୁବେଳେ ଟକ ଟକ ହୋଇ ଫୁଟିଥାଏ । ମନ୍ଦିରର ଏହି ଲିଙ୍ଗ ଦର୍ଶନ କରିବାକୁ ସମସ୍ତେ ଆସିଥାନ୍ତି । ଏହି ଗର୍ଭକୁ ଦର୍ଶନ କରିବା ଦ୍ୱାରା ଭକ୍ତଟିର ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଗର୍ଭକୁ ଦର୍ଶନ କରି ଭକ୍ତଟିଏ ତାର ଦୁଃଖ କଷ୍ଟ ଦୂର କରିଥାଏ । ସେ ଯେବେଠାରୁ ମନ୍ଦିର ଆସିଲେଣି ,ସେବେଠାରୁ ପାଣି ଫୁଟୁଥିବା କଥା ଜାଣିଛନ୍ତି । " ଭାରତ ବର୍ଷରେ ଏପରି ମନ୍ଦିର ପ୍ରଥମ’’ ବୋଲି ସେ କହିଛନ୍ତି।

- 23 ବର୍ଷ ପରେ ସନ୍ତାନପ୍ରାପ୍ତି ହେଲା
କେବଳ ସେବାୟତ ନୁହନ୍ତି ଶ୍ରଦ୍ଧାଳୁ ବି ନିଜ ନିଜ ଅନୁଭୂତି କହିବା ବେଳେ କଣ୍ଠରୋଧ ହୋଇଯାଏ । ମହାଦେବଙ୍କ ମାହାତ୍ମ୍ୟ କହିଲା ବେଳକୁ ଆଖି ଜକେଇ ଆସେ । ରବି ନାରାୟଣ ଚୌଧୁରୀ ନାମକ ଜଣେ ଭକ୍ତ କହିଛନ୍ତି ‘‘ଗତ ୨୦୦୩ ମସିହାରେ ତାଙ୍କର ବିବାହ ହୋଇଥିଲା । ମାତ୍ର ଦୀର୍ଘ ବର୍ଷ ଧରି କୌଣସି ସନ୍ତାନ ସନ୍ତତି ନ ହେବାରୁ ପରମହଂସନାଥ ଶୈବପୀଠରେ ମାନସିକ କରିଥିଲି । ଦୀର୍ଘ ୨୩ ବର୍ଷ ପରେ ମୋର କନ୍ୟା ସନ୍ତାନ ଜନ୍ମ ଲାଭ ହୋଇଥିଲା । ପ୍ରଭୁ ପରମହଂସ ପୀଠରେ ମାନସିକ କରିଥିଲି ବୋଲି ପ୍ରଭୁ ତାଙ୍କ କଥା ଶୁଣିଛନ୍ତି । ସେବେଠାରୁ ସେ ପ୍ରତ୍ୟେକ ସୋମବାରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଆସନ୍ତି ’’।

ମାନସିକ ପୂରଣ କରନ୍ତି ପ୍ରଭୁ ପରମହଂସନାଥ :
ଆଉ ଜଣେ ଭକ୍ତ ଗୋଲାପ ରାଉତ କୁହନ୍ତି ‘‘ଗତ 2008 ମସିହାରେ ଚାକିରି ପାଇଁ ଆବେଦନ କରିଥିଲି । ମାତ୍ର ଏଥିରେ ସେ କୃତକାର୍ଯ୍ୟ ହୋଇ ନଥିଲି । ତେବେ ପରମହଂସନାଥଙ୍କ ପାଖରେ ମାନସିକ କରିବାରୁ ଗତ ୨୦୨୨ ମସିହାରେ ସରକାରୀ ଚାକିରି ପାଇଲି । ଆମ ପରିବାରର ସମସ୍ତ ସଦସ୍ୟ ପ୍ରଭୁଙ୍କ ପାଖକୁ ଆସନ୍ତି ।" ପ୍ରଭୁ ପରମହଂସନାଥଙ୍କୁ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥାଏ’’ ବୋଲି ଛଳ ଛଳ ଆଖିରେ କହିଛନ୍ତି।

- ଭୋର ୪ଟାରେ ମହାଦ୍ବୀପ ଉଠେ:
ଫେବୃଆରୀ ୨୬, ମହାଶିବରାତ୍ରି । ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ବାବାଙ୍କ ପୀଠରେ ମାନସିକ କରି ଶୁଭ ମନାସିବେ ଶ୍ରଦ୍ଧାଳୁ । ଏହି ପୀଠରେ ହୁଏ ସ୍ବତନ୍ତ୍ର ରୀତିନୀତି । ପ୍ରତ୍ୟେକ ଶିବରାତ୍ରିରେ ଭୋର ସାଢ଼େ ୩ଟା ସମୟରେ ମାର୍ଜନା କରାଯାଏ । ଏହା ପରେ ମଙ୍ଗଳ ଆଳତୀ । ସକାଳ ସାଢ଼େ ୬ ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡ଼ା ଯାଇଥାଏ । ସକାଳ ସାଢେ ୬ ଟାରୁ ସାଢ଼େ ୭ ଟା ପର୍ଯ୍ୟନ୍ତ ମନ୍ଦିର ପହଡ଼ ପକାଯାଇ ନୀତି କରାଯାଏ । ଏହି ସମୟରେ ଭକ୍ତମାନଙ୍କୁ ବାହାରେ ଅପେକ୍ଷା କରିବାକୁ ପଡିଥାଏ । ଏହି ସମୟରେ ମହାପ୍ରଭୁଙ୍କ ପ୍ରଥମ ଧୂପ, ଦ୍ୱିତୀୟ ଧୂପ ଏବଂ ବାଟୁଲା ନୀତି କରାଯାଏ । ଦିନର ସମସ୍ତ ନୀତି ଏହି ସମୟ ମଧ୍ୟରେ ଶେଷ କରାଯାଏ । କେବଳ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ କରାଯାଏ । ବାକି ସମସ୍ତ ସମୟରେ ମନ୍ଦିରରେ ଦର୍ଶନ କରିବାକୁ ଭକ୍ତମାନଙ୍କୁ ଛଡା ଯାଇଥାଏ । ଅର୍ଥାତ ସକାଳ ସାଢେ ୭ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ମନ୍ଦିର ଭିତରେ ଦର୍ଶନ ପାଇଁ ଅନୁମତି ମିଳିଥାଏ । ରାତି ୧୨ ଟାରୁ ମନ୍ଦିରରେ ପହଡ଼ ପକାଯାଇଥାଏ । ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିଥାଏ । ମନ୍ଦିର ସଫା କରାଯାଇ ରୁଦ୍ରାଭିଷେକ କରାଯାଇଥାଏ । ଏହି ନୀତି ରାତି ୩ ଟାରୁ ସାଢ଼େ ୩ ପର୍ଯ୍ୟନ୍ତ ଚାଲେ । ପରେ ହରିହର ଭେଟ ନୀତି କରାଯାଇ ବେଢ଼ା ପରିକ୍ରମା ପରେ ଭୋର ୪ ଟାରେ ମହାଦୀପ ଉଠାଯାଇଥାଏ ।

ମନ୍ଦିରରେ ଦୀର୍ଘ 16 ବର୍ଷ ଧରି ମହାଦ୍ବୀପ ଉଠାଉଥିବା ସେବାୟତ ମାନସ ପଣ୍ଡା କହିଛନ୍ତି ‘‘ଆଜକୁ ପ୍ରାୟ ୧୬ ବର୍ଷ ହେବ ଏହି ମନ୍ଦିରରେ ମହାଦୀପ ଉଠାଇଥାନ୍ତି । ସେ ପ୍ରତ୍ୟେକ ବର୍ଷ କିଛି ନାଁ କିଛି ଅଲୌକିକ ଘଟଣା ଅନୁଭବ କରିଥାନ୍ତି ।" ସେ କହିଛନ୍ତି, " ମହାଦୀପ ଉଠିବା ସମୟରେ ଅନେକ ଅଲୌକିକ ଘଟଣା ଅନୁଭବ କରନ୍ତି । ମହାଦୀପ ଉଠାଇବା ବେଳେ ସେ ତାଙ୍କ ଶରୀର ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ । ଏପରିକି ତାଙ୍କ ଶରୀର ଭିତରେ ଏହି ସମୟରେ ଗୋଟିଏ ଅଦୃଶ୍ୟ ଶକ୍ତି ଆସିଯାଇଥାଏ । ତାଙ୍କୁ ସବୁ ଧଳା ଧଳା ଦେଖାଯାଏ । ମହାଦୀପ ଉଠାଇ ମନ୍ଦିର ଉପରକୁ ଚଢ଼ିବା ସମୟରେ ସେ କିଛି ଜାଣି ପାରନ୍ତି ନାହିଁ । ଦୀପ ବଡ଼ ମନ୍ଦିରରେ ରଖି ସାରିବା ପରେ ସେ ସବୁ କିଛି ଜାଣି ପାରନ୍ତି ’’।
- ଅଲୌକିକ ଘଟଣା ଆଉ ପରମହଂସନାଥ:
ଏହି ପୂରାତନ ମନ୍ଦିରରେ ଅନେକ ଆଲୌକିକ ଘଟଣା ରହିଛି । ଲୋକକଥା ରହିଛି ଯେ, ଏହି ମନ୍ଦିରର ଜଣେ ପୁରୋହିତ ମନ୍ଦିର ପୂଜା କରି ପ୍ରତ୍ୟେକ ଦିନ ଘରକୁ ଫେରିବା ସମୟରେ ଉଖୁଡା଼ ଭୋଗ ନେଇ ଘରକୁ ଯାଇ ଥାଆନ୍ତି । ତାଙ୍କୁ ଚିଙ୍ଗୁଡ଼ି ମାଛ ପସନ୍ଦ ଥିବାରୁ ସେ ବାଟରୁ ଚିଙ୍ଗୁଡ଼ି ମାଛ ନେଇଥାନ୍ତି । ଏହି ଖବର ପ୍ରଚାର ହେବାରୁ ରାଜା ଏହାର ସତ୍ୟାସତ୍ୟ ଜାଣିବାକୁ ନିଜେ ଉକ୍ତ ସ୍ଥାନକୁ ଯାଇଥିଲେ । ପୁରୋହିତ ଚିଙ୍ଗୁଡ଼ି ଓ ଉଖୁଡା଼ ଭୋଗ ସାଙ୍ଗରେ ନେଇ ଯାଉଥିବା ସମୟରେ ରାଜାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ପ୍ରଭୁ ପରମହଂସନାଥଙ୍କୁ ସ୍ମରଣ କରି ଚିଙ୍ଗୁଡ଼ି, ଉଖୁଡା଼ ହେଇଯାଉ ବୋଲି କହିବାରୁ ସଙ୍ଗେ ସଙ୍ଗେ ଏହା ହିଁ ହୋଇଥିଲା । ଚିଙ୍ଗୁଡ଼ି ଉଖୁଡା଼ ହୋଇଯାଇଥିଲା।

କେଵଳ ସେତିକି ନୁହେଁ ରାଜା ଦିନେ ଉଖୁଡା଼ ଭୋଗ ଖାଉଥିବା ସମୟରେ ଉଖୁଡା଼ରୁ କେଶ ବାହାରିଥିଲା । ତେବେ ଏହା ପରମହଂସନାଥଙ୍କ କେଶ ବୋଲି ପୁରୋହିତ କହିବାରୁ ରାଜା ଏହାର ଯାଞ୍ଚ କରିଥିଲେ । ପୁରୋହିତ କିଛି ବାଟ ନ ପାଇ ଭୟରେ 'ହେ ପ୍ରଭୁ ରକ୍ଷା କର କହିବାରୁ ' ପ୍ରଭୁ ପରମହଂସ ନାଥ ତାଙ୍କୁ ରକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ପ୍ରଭୁଙ୍କର ମୁଣ୍ଡରେ କେଶ ଉଠିଥିଲା । ରାଜା ମଧ୍ୟ ଏହାକୁ ସନ୍ଦେହ କରି କେଶ ଟିକୁ ଓପାଡିବାରୁ ସେଥିରୁ ରକ୍ତ ବାହାରି ଥିଲା ବୋଲି ବିଶ୍ୱାସ ରହିଛି।
ଏହା ମଧ୍ୟ ପଢନ୍ତୁ କେଉଁ ଦିନ ତୋଳିବେନି ବେଲପତ୍ର ? କାହିଁକି, କହିଲେ ଜ୍ୟୋତିଷ....
ଏହା ମଧ୍ୟ ପଢନ୍ତୁ ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
- କେଉଁଠି ରହିଛି ପରମହଂସନାଥ ଶୈବପୀଠ ?
କଟକ ମହାନଦୀ ପ୍ରାଙ୍ଗଣରେ ରହିଛି ହଜାର ବର୍ଷର ଏହି ଶୈବପୀଠ । ପରମହଂସନାଥ ମନ୍ଦିର ପ୍ରାୟ ୧୪ ଶହ ଖ୍ରୀଷ୍ଟାବ୍ଦର ମନ୍ଦିର । ରାଜା ପୁରୁଷୋତ୍ତମ ଦେଵ ଏବଂ ରାଣୀ ପଦ୍ମାବତୀ ଦେବୀଙ୍କ ପୁତ୍ର ପ୍ରତାପ ରୁଦ୍ର ଦେଵ ଏହି ମନ୍ଦିର ନିର୍ମାଣ କରିଥିବା କିମ୍ବଦନ୍ତୀ ରହିଛି । ଏହା ପରମହଂସ ନାଥ ଶୈବ ପୀଠ ଭାବରେ ପରିଚିତ । ହଜାର ବର୍ଷର ଏହି ମନ୍ଦିରରେ ପରମ୍ପରା ଆଉ ରୀତିନୀତି ଅନୁଯାୟୀ ପୂଜା କରାଯାଉଛି । ଦେବୋତ୍ତର ବିଭାଗ ଏହି ମନ୍ଦିର ପରିଚାଳନା କରୁଛନ୍ତି ।

- କେବେ ଏବଂ କାହିଁକି ଏହି ମନ୍ଦିର ନିର୍ମାଣ ହୋଇଥିଲା ?
୧୨ ଶହ ଖ୍ରୀଷ୍ଟାବ୍ଦରେ ଯେତେବେଳେ କୋଣାର୍କ ମନ୍ଦିର ନିର୍ମାଣ ହେଉଥିଲା, ସେତେବେଳେ ହିଁ ଏହି ଶିବ ମନ୍ଦିର କରାଯାଇଥିଲା । କିମ୍ବଦନ୍ତୀ କୁହେ ପୂର୍ବରୁ କାଠଯୋଡ଼ି ଦେଇ ନୌକା ମାଧ୍ୟମରେ କୋଣାର୍କକୁ ପଥର ଚାଲାଣ କରାଯାଉଥିଲା । ସେତେବେଳେ ଏହି ସ୍ଥାନ ଜଙ୍ଗଲ ଅଵସ୍ଥାରେ ପଡି ରହିଥିଲା । ରାଜା ପୁରୁଷୋତ୍ତମ ଦେବ ଏବଂ ରାଣୀ ପଦ୍ମାବତୀ ନୌକାବିହାର କରୁଥିଲେ । ଏହି ସମୟରେ ପଦ୍ମାବତୀଙ୍କ ପ୍ରସବ ବେଦନା ହୋଇଥିଲା । ନୌକାରୁ ଓଲ୍ହାଇ ଏହି ସ୍ଥାନରେ ରାଣୀ ପଦ୍ମାବତୀ ଆଶ୍ରୟ ନେଇଥିଲେ । ଯଦିଓ ସେତେବେଳେ ଏଠାରେ କେବଳ ଶିବଲିଙ୍ଗ ଥିଲା ଏହା ଭଗ୍ନସ୍ତୁପ ଭାବରେ ଥିଲା । କୁହାଯାଏ ରାଣୀ ପଦ୍ମାବତୀଙ୍କ ପ୍ରସବ ଯନ୍ତ୍ରଣା ସେହିଠାରେ କମିବାରୁ ସେ ମାନସିକ କରିଥିଲେ ଏଠାରେ ତାଙ୍କ ପୁଅ ଏକ ମନ୍ଦିର ନିର୍ମାଣ କରିବେ । ପରବର୍ତ୍ତୀ ସମୟରେ ତାଙ୍କ ପୁଅ ପ୍ରତାପ ରୁଦ୍ର ଦେଵ ପ୍ରାୟ ୧୪ ଶହ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ନିର୍ମାଣ କରିଥିଲେ । ସେବେଠାରୁ ଏହି ମନ୍ଦିରରେ ରୀତିନୀତି ଅନୁସାରେ ପୂଜା କରାଯାଇଥାଏ ।
- ରାତିରେ ଦହି ପଖାଳ ଖାଆନ୍ତି ପରମହଂସନାଥ :
କୁହାଯାଏ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ପହଡ଼ ଖୋଲିବା ପରେ ମନ୍ଦିରରେ ନୀତି କରାଯାଇଥାଏ । ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସକାଳେ ବାଳ ଭୋଗ କରାଯାଇଥାଏ। ଅପରାହ୍ନ ୧୨ ଟାରୁ ୧୨.୩୦ ରେ ମନ୍ଦିରର ସେବକମାନେ ପ୍ରସାଦ ଭୋଗ ଲାଗି କରିଥାନ୍ତି। ଏହାର ଦୁଇ ଘଣ୍ଟା ପରେ ଖେଚୁଡି ଭୋଗ ଲାଗି କରାଯାଏ । ଅପରାହ୍ନ ୨ ଟାରୁ ୨ ଟା ୩୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପହଡ଼ ପଡେ । ଅପରାହ୍ନ ୪ ଟାରେ ପହଡ଼ ଖୋଲାଯାଇଥାଏ । ପ୍ରତ୍ୟକ ଦିନ ସନ୍ଧ୍ୟା ଆଳତୀରେ ବାଳ ଭୋଗ ହେବା ପରେ ରାତିରେ ଦହି ପଖାଳ ଭୋଗ ଲାଗୁ କରାଯାଇ ପହଡ଼ ପକାଯାଇଥାଏ ।
କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ