ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ 6ଟି ପଦକ ଜିତିଛି । ହେଲେ ପଦକ ବିଜେତା ମାନଙ୍କଠାରୁ ବେଶୀ ଚର୍ଚ୍ଚାରେ ଅଛନ୍ତି ପଦକ ନପାଇ ଫେରିଥିବା ଷ୍ଟାର ରେସଲର ଭିନେଶ ଫୋଗାଟ । ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ ଭିନେଶ । ହେଲେ କେବଳ 100 ଗ୍ରାମ ଅଧିକ ଓଜନ କାରଣରୁ ତାଙ୍କୁ ଫାଇନାଲରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ତେବେ ଭାରତ ଫେରିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେ ଦିଲ୍ଲୀ ବିମାନବନ୍ଦରରୁ ହରିୟାଣାର ଚରଖୀ ଦାଦ୍ରି ଜିଲ୍ଲାସ୍ଥିତ ତାଙ୍କ ଗାଁ ବଲାଲି ପର୍ଯ୍ୟନ୍ତ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟରେ ତାଙ୍କୁ ଅନେକ ପୁରସ୍କାର ଦିଆଯାଇଥିଲା । ସ୍ବର୍ଣ୍ଣ ପଦକ ମଧ୍ୟ ମିଳିଥିଲା । ଏପରିକି ତାଙ୍କୁ 16 କୋଟି ଟଙ୍କା ପୁରସ୍କାର ରାଶି ମିଳିଥିବା ମଧ୍ୟ ଦାବି ହେଉଛି ।
ଭିନେଶଙ୍କୁ 16 କୋଟି ଟଙ୍କା ପୁରସ୍କାର ମିଳିଥିବା ଦାବି :-
ଶନିବାର ଦିନ ଭିନେଶଙ୍କୁ ଭବ୍ୟ ସ୍ବାଗତ ପରେ ରବିବାର ଦିନ ତାଙ୍କ ଗାଁ ବଲାଲିରେ ଭିନେଶଙ୍କ ସମ୍ମାନିତ କରିବା ପାଇଁ ଏକ ବିଶାଳ ସମାରୋହର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇ ଭିନେଶଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଭିନ୍ନ ସଂଗଠନ ଭିନେଶଙ୍କୁ ପୁରସ୍କାର ରାଶି ଦେବାକୁ ଦେଇଥିବା ଦାବି କରାଯାଇଛି । ଏହି ପୋଷ୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ଜାଟ ମହାସଭା, ହରିୟାଣା ବାଣିଜ୍ୟ ସଂଗଠନ ଏବଂ ପଞ୍ଜାବ ଜାଟ ଆସୋସିଏସନ ଦ୍ବାରା ଭିନେଶଙ୍କୁ 2 କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପୋଷ୍ଟରେ କରାଯାଇଥିବା ଦାବି ଅନୁଯାୟୀ ଭିନେଶଙ୍କୁ ମୋଟ 16 କୋଟି 30 ଲକ୍ଷ ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଛି । ବର୍ତ୍ତମାନ ଭିନେଶଙ୍କ ସ୍ବାମୀ ସୋମବୀର ରାଠୀ ଏହି ଭାଇରାଲ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଏହି ପୋଷ୍ଟରେ ଦିଆଯାଇଥିବା ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି ।