ଭୁବନେଶ୍ବର:ବିଜେଡି ବିରୋଧରେ କୈଳାଶ କୁଲେସିକାଙ୍କ ସଙ୍ଗୀନ ଅଭିଯୋଗ । ଦଳ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି କୈଳାଶ । ନିର୍ବାଚନ ପାଇଁ ଟିକଟ ଦେବା ବଦଳରେ ତାଙ୍କୁ କୋଟିଏ ଟଙ୍କା ଅଫର କରାଯାଇଥିଲା ବୋଲି କହିଛନ୍ତି କୈଳାଶ । ଏହାସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା SDCର ଉପଦେଷ୍ଟା ପଦ ମଧ୍ୟ ଅଫର କରାଯାଇଥିବା ସେ କହିଛନ୍ତି । ଆଜି ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ଯୋଗ ଦେବା ଅବସରରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୋରାପୁଟ ଲକ୍ଷ୍ମୀପୁର ନେତା କୈଳାଶ କୁଲେସିକା । ତେବେ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡିରୁ ଆଶାୟୀ ଥିଲେ କୈଳାଶ ଚନ୍ଦ୍ର କୁଲେସିକା । ହେଲେ ଟିକେଟ ନମିଳିବାରୁ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଥିଲେ । ଆଉ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି କୈଳାଶ କୁଲେସିକା ।
ଏହାସହ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଜେଡି ନେତା ତଥା ଆଇନଜୀବୀ ପ୍ରଶାନ୍ତ ଦାସ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ ଏବଂ ବିଜେପି ନେତା ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏକଦା କଂଗ୍ରେସର ଗଡ଼ ଥିଲା । ଆଉ କୈଳାଶ କୁଲେସିକା ପୂର୍ବରୁ ଲକ୍ଷ୍ମୀପୁର ବିଧାୟକ ଥିଲେ। କଂଗ୍ରେସ ଦଳରେ ଜଣେ ଆଦିବାସୀ ନେତା ଭାବେ ସେ ପରିଚିତ।