ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର ୬ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପ୍ରାୟ ୧୫ହଜାର କୋଟିର ପ୍ରକଳ୍ପ ରହିଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । କିନ୍ତୁ ଲଗାତାର ଭାବେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କଥା ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ଓଡ଼ିଶା ପାଇଁ ନୂଆ ରେଳ ପ୍ରକଳ୍ପ ମଞ୍ଜୁର ହୋଇନଥିବାବେଳେ ରାଜ୍ୟର ଖଣିଜ ସଂପଦ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ କେନ୍ଦ୍ର ଉଦ୍ୟମ ଆରମ୍ଭ କରିଛି ବୋଲି ବିଜେଡି ଅଭିଯୋଗ କରିଛି । ପ୍ରକଳ୍ପ ଲାଗି ଜମି ଓ ଅର୍ଥ ଓଡ଼ିଶା ଦେଉଥିବାରୁ ରେଳମନ୍ତ୍ରୀ ବାହାସ୍ଫୋଟ ମାରନ୍ତୁ ନାହିଁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।
୭ ବର୍ଷ ପୂର୍ବର ବଜେଟ ଅନୁମୋଦିତ ପ୍ରକଳ୍ପକୁ ନେଇ ପ୍ରଚାର :-
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ବିଗତ ୮ ବର୍ଷ ମଧ୍ୟରେ ରାଜ୍ୟ ପାଇଁ କୌଣସି ନୂଆ ରେଳଲାଇନ ମଞ୍ଜୁର ହୋଇନାହିଁ । କିଛି ପ୍ରକଳ୍ପ ବଜେଟରେ ମଞ୍ଜୁରୀ ପାଇ ମଧ୍ୟ କେନ୍ଦ୍ର ସରକାର ଶୀତଳଭଣ୍ଡାରରେ ରଖି ଦେଇଛନ୍ତି । ଅଣବିଜେପି ଶାସିତ ରାଜ୍ୟମାନଙ୍କ ପ୍ରତି କେନ୍ଦ୍ର ବିଜେପି ସରକାର ଏହି ଆଭିମୁଖ୍ୟ ସଦାବେଳେ ପୋଷଣ କରିଆସିଛି । ଗୁଣୁପୁର ଥେରୁବାଲି ରେଳଲାଇନ ଏହାର ଜ୍ବଳନ୍ତ ଉଦାହରଣ । ୨୦୧୭-୧୮ ବଜେଟରେ ଏହା ଅନୁମୋଦନ ହେଇସାରିଛି । ଗତ ସାତ ବର୍ଷ ଧରି କେବଳ ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି । ରାଜ୍ୟ ସରକାର ଜମି ଦେଲା ପରେ ମଧ୍ୟ କୌଣସି କାର୍ଯ୍ୟାରମ୍ଭ ହୋଇନାହିଁ । ସାତବର୍ଷ ପୂର୍ବର ବଜେଟ ଅନୁମୋଦିତ ପ୍ରକଳ୍ପକୁ ବର୍ତ୍ତମାନ ପ୍ରଚାର କରାଯାଉଛି ।"
କ୍ୟାବିନେଟ ମଞ୍ଜୁର ପ୍ରକଳ୍ପ ରାଜ୍ୟରୁ ଖଣିଜ ପଦାର୍ଥ ପରିବହନ ପାଇଁ ଉଦ୍ଦିଷ୍ଟ :-
ଲେନିନ ଆହୁରି ମଧ୍ୟ କହିଛନ୍ତି, "କ୍ୟାବିନେଟରେ ମଞ୍ଜୁର ହୋଇଥିବା ରେଳ ପ୍ରକଳ୍ପ ଗୁଡିକ ରାଜ୍ୟରୁ ଖଣିଜ ପଦାର୍ଥ ପରିବହନ କରିବା ପାଇଁ ଉଦ୍ଦିଷ୍ଟ । ଖଣିଜ ପଦାର୍ଥ ଉତ୍ତୋଳନ କରି ଚାଲାଣ ପାଇଁ କେନ୍ଦୁଝର ଜିଲ୍ଲାରେ ଏହି ପ୍ରକଳ୍ପ ହେବ । କିନ୍ତୁ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ନୁହେଁ । ଜୁନାଗଡ-ନବରଙ୍ଗପୁର ଓ ମାଲକାନଗିରି-ଭଦ୍ରାଚଳମ ପ୍ରକଳ୍ପ ଏହାର ଜ୍ୱଳନ୍ତ ଉଦାହରଣ । ଇବ ଥର୍ମାଲ ଓ ତାଳଚେରରୁ କୋଇଲା ଓ ଲୁହାପଥର ଏହି ବିକଳ୍ପ ରେଳଲାଇନ ମାଧ୍ୟମରେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରକୁ ଯିବ । ଏହା ଦ୍ବାରା ଅନ୍ୟ ରାଜ୍ୟ ଉପକୃତ ହେବେ । ଯଦି ଗୋପାଳପୁର ବନ୍ଦରକୁ ଏହି ଲାଇନ ଯୋଡି ହୋଇଥାଆନ୍ତା, ତାହା ହେଲେ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିଥାଆନ୍ତା । ଚନ୍ଦ୍ରବାବୁ ନାଇଡୁଙ୍କୁ ସନ୍ତୁଷ୍ଟି କରିବା ପାଇଁ ଏହି ପ୍ରକଳ୍ପ କରାଯାଉଛି ।