ହାଇଦ୍ରାବାଦ:ମାଧପୁରରେ ଚାଲିଥିବା 'ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ' ତୃତୀୟ ଦିନରେ ପହଞ୍ଚିଛି । ସ୍ୱାଭିମାନୀ ଓଡ଼ିଆ ପରିବାର ପକ୍ଷରୁ ଶିଳ୍ପରମମରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । 3 ଦିନ ଧରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟା ବେଶ ଆକର୍ଷଣୀୟ ଥିଲା । ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳାକୁ ଏନଏମଡିସି ନିର୍ଦ୍ଦେଶକ ଦିଲ୍ଲୀପ କୁମାର ମହାନ୍ତି ଏବଂ ପୂର୍ବତନ ଆଇଏଏସ ଅଧିକାରୀ ବି ପି ଆଚାର୍ଯ୍ୟ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରଜନ । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ପ୍ରକାର ଖାଦ୍ୟ, ହସ୍ତତନ୍ତ, ବୟନ ଶିଳ୍ପ ସହ ପାରମ୍ପରିକ ଘରସଜ୍ଜା ସାମଗ୍ରୀର ଆସର ଜମିଛି । ଓଡ଼ିଶାର ଐତିହ୍ୟ ବହନ କରୁଥିବା ବିଭିନ୍ନ କାରିଗରୀର ଝଲକ ସମସ୍ତଙ୍କ ମନ ମୋହିଛି ।
ପ୍ରଥମ ସନ୍ଧ୍ୟା ଭଳି ଦ୍ୱିତୀୟ ସନ୍ଧ୍ୟାରେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରଜନ 'ଜୟ ଜଗନ୍ନାଥ' କହି ଅଭିଭାଷଣରେ ଆରମ୍ଭ କରିଥିଲେ । ସେ କହିଥିଲେ, '' ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ସବୁଠାରୁ ନିଆରା। ଏପରି ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି । ଏହି କାର୍ଯ୍ୟକ୍ରମ ମହିଳା ଶସକ୍ତିକରଣକୁ ପ୍ରତିଫଳନ କରୁଛି । ଓଡିଶା ହେଉଛି ଏକ ସ୍ବତନ୍ତ୍ର ରାଜ୍ୟ , କାରଣ ଦେଶର ପ୍ରଥମ ନାଗିରିକ ଏହି ରାଜ୍ୟର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାରେ। ଏଥି ପାଇଁ ପ୍ରତିଟି ଓଡିଆ ଗର୍ବିତ। ''
ଏନଏମଡିସି ନିର୍ଦ୍ଦେଶକ ଦିଲ୍ଲୀପ କୁମାର ମହାନ୍ତି କହିଛନ୍ତି,'' ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ମହିଳାମାନଙ୍କ ଦ୍ବାରା ଆୟୋଜନ କରାଯାଇଛି । ନାରୀ ସଶକ୍ତିକରଣର ଏହା ଉଦାହରଣ । ଓଡିଶାରେ କଳା, ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା । ବିଶେଷ କରି ଖାଦ୍ୟରେ ମୁଢି ମାଂସ। ଏହାକୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି। ''