ପୁରୀ: ପୁରୀ ରାଜଭବନରେ ଏଏସଓଙ୍କୁ ଆକ୍ରମଣ ଘଟଣା । ନ୍ୟାୟ ଦାବିରେ ପୁଣି ପୁରୀ ଏସପିଙ୍କ ଦ୍ୱାରସ୍ଥ ହେଲେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ । ଘଟଣାକୁ ୭ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ଆଣିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏଏସଓଙ୍କ ପତ୍ନୀ ।
ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଆକ୍ରମଣ ମାମଲା:
ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତତ୍କାଳୀନ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ମାଡ ମାରିବା ଅଭିଯୋଗ ଆସିଥିଲା । ଘଟଣାକୁ ୭ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଛି । ଏନେଇ ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସାୟୋଜ କୁମାରୀ ପ୍ରଧାନ । ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣାରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ କ'ଣ ତଦନ୍ତ କରିଛି ତାହା ବୁଝିବାପାଇଁ ବୈକୁଣ୍ଠଙ୍କ ପତ୍ନୀ ପୁରୀ ସମୁଦ୍ରକୂଳ ଥାନା ଆସିଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ବୈକୁଣ୍ଠଙ୍କ ପତ୍ନୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

୭ ମାସ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ:
ରାଜ୍ୟ ସରକାରଙ୍କ ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଯେଭଳି ଆକ୍ରମଣ କରାଗଲା ଏବଂ ଅଭିଯୁକ୍ତ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା, ରାଜ୍ୟ ସରକାର ମଧ୍ୟ ଏନେଇ କୌଣସି ପଦକ୍ଷେପ ନନେବାକୁ କଡ଼ା ସମାଲୋଚନା କରିଛନ୍ତି ବୈକୁଣ୍ଠଙ୍କ ପତ୍ନୀ । ସରକାରଙ୍କ ଠାରୁ ନ୍ୟାୟ ନମିଳିଲେ ବାଧ୍ୟ ହୋଇ ସେ କୋର୍ଟର ଦ୍ବାରସ୍ଥ ହେବେ ବୋଲି ବୈକୁଣ୍ଠଙ୍କ ପତ୍ନୀ କହିଛନ୍ତି । ସେପଟେ ବୈକୁଣ୍ଠ ପ୍ରଧାନଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ଅଲ୍ ଓଡିଶା ଯବାନ୍ ଭେଟରାନ ସଂଘ ମଧ୍ୟ ସମୁଦ୍ର କୂଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ବୈକୁଣ୍ଠଙ୍କୁ ସରକାର ନ୍ୟାୟ ପ୍ରଦାନ ନକଲେ ଓଡିଶା ଯବାନ ଭେଟେରାନ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
'ନ୍ୟାୟ ନମିଳେ କୋର୍ଟଙ୍କ ଦ୍ଵାରସ୍ଥ':
ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସାୟୋଜ କୁମାରୀ ପ୍ରଧାନ କହିଛନ୍ତି, "ଗତ ଶନିବାର ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲି । ତେବେ ରାଜ୍ୟପାଳଙ୍କ ସହ ଦେଖା ହୋଇ ପାରିନଥିଲା । ତେବେ ରାଜ୍ୟପାଳଙ୍କ ଅଫିସରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀ କହିଥିଲେ, ପୁରୀ ସମୁଦ୍ର କୂଳ ଥାନାକୁ ନିଜେ ଯାଇ ମାମଲା ଅଗ୍ରଗତି କଣ ହୋଇଛି ତାହା ବୁଝନ୍ତୁ । ଏହାପରେ ଲିଖିତ ଆକାରରେ ଆସି ରାଜ୍ୟପାଳଙ୍କୁ ଦିଅନ୍ତୁ । ତେବେ ସମୁଦ୍ରକୂଳ ଥାନାକୁ ମୁଁ ଆସି କେସର ଅଗ୍ରଗତି ନେଇ ବୁଝିବାକୁ ଆସିଛି । ହେଲେ ଏ ନେଇ ମତେ କୌଣସି ସୂଚନା ଦିଆଯାଇନାହିଁ । ଗତ 2024 ମସିହା ଜୁଲାଇ 11 ତାରିଖରେ ଅନଲାଇନରେ ମୋ ସ୍ବାମୀ ଏତଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।"

ସେ ଆଉ ମଧ୍ୟ କହିଛନ୍ତି, "ଅଭିଯୁକ୍ତ ପ୍ରଭାବଶାଳୀ ବ୍ୟକ୍ତି ହୋଇ ଥିବାରୁ ରାଜନୈତିକ ଚାପ ରହୁଛି । ଏଣୁ ପୋଲିସ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ । ତେବେ ପୂର୍ବତନ ରାଜ୍ୟପାଳ ଏହି ଘଟଣାରେ ମତେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ କିଛି ବି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ତେବେ ଆମର ଆଶା ଅଛି ପୋଲିସ୍ ପକ୍ଷରୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଆମକୁ ନ୍ୟାୟ ନମିଳେ ଆମେ ଆଇନଗତ ଲଢେଇ ପାଇଁ କୋର୍ଟଙ୍କ ଦ୍ଵାରସ୍ଥ ହେବୁ ।"

ଅଲ୍ ଓଡ଼ିଶା ଭେଟରାନ ସୋଲଜୋର୍ ଆସୋସିଏସନ୍ ଜେନେରାଲ ସେକ୍ରେଟେରୀ ଉମେଶ କୁମାର ଚଇନି କହିଛନ୍ତି, ଗତ 2024 ଜୁଲାଇ 7 ତାରିଖରୁ ଆମ ସଂଗଠନର ସଦସ୍ୟ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ନ୍ୟାୟ ମିଳିନାହିଁ । ମାମଲାର ତଦନ୍ତ କେତେ ଅଗ୍ରଗତି ହୋଇଛି ତାହା ବୁଝିବାକୁ ଆମେ ପୁରୀ ସମୁଦ୍ର କୂଳ ଥାନା ଆସିଛୁ । ଦୀର୍ଘ ଘଟଣାକୁ 7 ମାସ ବିତିଥିଲେ ମଧ୍ୟ ଏହି ଘଟଣାରେ କୌଣସି ତଦନ୍ତ ହେଉନାହିଁ । ଆଜି ପର୍ଯ୍ୟନ୍ତ ଏହି ଘଟଣାର ତଦନ୍ତ ପାଇଁ କୌଣସି ତଦନ୍ତକାରୀ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇନାହିଁ । ଏଠି ପ୍ରଶ୍ନ ଉଠୁଛି ଯଦି କୌଣସି ଭୁଲ କାର୍ଯ୍ୟ ହୋଇଛି ଅଭିଯୋଗକାରୀକୁ କାହିଁକି ନ୍ୟାୟ ମିଳିନାହିଁ ।"

ସେ ଆଉ ମଧ୍ୟ କହିଛନ୍ତି," ଜଣେ ଯବାନ ଦେଶ ପାଇଁ ବଳିଦାନ ଦେଉଛି । ଦେଶ ମାତୃକା ପାଇଁ ନିଜ ଜୀବନ ଉତ୍ସର୍ଗ କରୁଛି । କିନ୍ତୁ ଦୁଃଖର ବିଷୟ ଜଣେ ସେନା ନିବୃତ ଯବାନଙ୍କୁ ନ୍ୟାୟ ମିଳୁନାହିଁ । ଏଥିରେ ଜନସାଧାରଣଙ୍କୁ କଣ ନ୍ୟାୟ ମିଳିବ ? ଆମେ ଆଶା କରୁଛୁ ନିଶ୍ଚିତ ନ୍ୟାୟ ମିଳୁ । ଯଦି ନ୍ୟାୟ ନମିଳେ ଆମେ ଆଇନଗତ ଲଢେଇ ପାଇଁ କୋର୍ଟର ଦ୍ୱାରସ୍ଥ ହେବୁ । ତେବେ ଆମ ସଂଗଠନ ଯବାନମାନଙ୍କ ସହ ରହିବ । ନ୍ୟାୟ ପାଇଁ ଲଢେଇ କରିବୁ । ଆମେ ସରକାରଙ୍କୁ ଅନୁରୋଧ କରୁଛୁ ପୋଲିସ ବିଭାଗକୁ ରାଜନୈତିକ ଚାପରୁ ମୁକ୍ତ କରନ୍ତୁ । ଏହାଦ୍ଵାରା ଲୋକମାନେ ନ୍ୟାୟ ପାଇବେ । ଦେଶରେ ଶାସନ ବ୍ୟବସ୍ଥା ଠିକ୍ ଚାଲିବ ।" ସେପଟେ ଏହି ଘଟଣାରେ ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।"

ପୁରୀ ରାଜଭବନରେ ଏଏସଓଙ୍କୁ ଆକ୍ରମଣ ଅଭିଯୋଗ:
ଗତ 2024 ଜୁଲାଇ 7 ତାରିଖରେ ପୁରୀ ରାଜଭବନରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳୀତ କୁମାର ଓ ତାଙ୍କ 6 ଜଣ ସାଥୀ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ କରି କରିଥିଲେ । ପୂର୍ବତନ ରାଜ୍ୟପାଳଙ୍କ ପୁଅ ଏଏସଓ ବୈକୁଣ୍ଠଙ୍କୁ ଏକ ଲଗଜୁରି ଗାଡ଼ି ବ୍ୟବସ୍ଥା ପାଇଁ କହିଥିଲେ । ହେଲେ ସେହିଦିନ ପୁରୀରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଲଗଜୁରି ଗାଡ଼ି ନ ଥିଲା । ଏହି ଘଟଣାକୁ ନେଇ ପୂର୍ବତନ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ 6 ଜଣ ସାଥୀ ବୈକୁଣ୍ଠ ଆକ୍ରମଣ କରିଥିବା ବୈକୁଣ୍ଠଙ୍କ ପତ୍ନୀ ଅଭିଯୋଗ କରିଥିଲେ । ପରେ ବୈକୁଣ୍ଠ ନିଜେ ଜୁଲାଇ 11 ତାରିଖରେ ଅନଲାଇନରେ ଏତଲା ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବୈକୁଣ୍ଠଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ପୁରୀ