ବଲାଙ୍ଗୀର: ହାତରେ ଚକ୍ଖଡ଼ି ବଦଳରେ ଧରିଛନ୍ତି କୋଦାଳ । ପରିବାର ପ୍ରତିପୋଷଣ କରିବା ପାଇଁ ଶିକ୍ଷକତାରୁ ଛୁଟି ନେଇ ମୂଲ ଲାଗୁଛନ୍ତି ଶିକ୍ଷକ । କାରଣ ଦୀର୍ଘ ୩ ମାସ ଧରି ତାଙ୍କୁ ଦରମା ମିଳୁନି । ତେଣୁ ବାଧ୍ୟ ହୋଇ ସ୍କୁଲରୁ ଛୁଟି ନେଇ ଶିକ୍ଷକ ଜଣଙ୍କ ଅନ୍ୟ ପାଖରେ ମୂଲ ଲାଗିଛନ୍ତି । ଏମିତି ଜଣେ ଶିକ୍ଷକ ହେଉଛନ୍ତି ବଲାଙ୍ଗୀର ପୁଇଁତଳା ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଥିବା ପ୍ରଭୁଦତ୍ତ ସାହୁ । ଦରମା ନ ମିଳିବାରୁ ଘର ଖର୍ଚ୍ଚ ପାଇଁ ଦିନ ମଜୁରିଆ ପାଲଟିଛନ୍ତି ପ୍ରଭୁଦତ୍ତ । ଆଉ ଯେପର୍ଯ୍ୟନ୍ତ ଦରମା ନ ମିଳିବ ସେପର୍ଯ୍ୟନ୍ତ ଛୁଟି ନେଇ ମୂଲ ଲାଗିବେ ବୋଲି କହିଛନ୍ତି ।
ମୂଲ ଲାଗିଲେ ଶିକ୍ଷକ:
ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ କାର୍ଯ୍ୟ କରନ୍ତି ପ୍ରଭୁଦତ୍ତ ସାହୁ । କିନ୍ତୁ ବିଗତ ୩ ମାସ ଧରି ତାଙ୍କୁ ଦରମା ମିଳିନାହିଁ । ଦରମା ନ ମିଳିବାରୁ ପ୍ରଭୁଦତ୍ତ ଓ ଅନ୍ୟ ଶିକ୍ଷକମାନେ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକ୍ଷରୀଙ୍କୁ ଭେଟିଥିଲେ । ଦରମା ପାଇଁ ନେହୁରା ହୋଇଥିଲେ । ହେଲେ କେହି କିଛି ନ ଶୁଣିବାରୁ ଶେଷରେ ଶ୍ରମିକ ଭାବରେ ମୂଲ ଲାଗି ରୋଜଗାର କରିବାର ପନ୍ଥା ଆପଣାଇଛନ୍ତି ପ୍ରଭୁଦତ୍ତ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖିଛନ୍ତି ପ୍ରଭୁଦତ୍ତ । ସେ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି ଯେ, "ଦୀର୍ଘ ୩ ମାସ ଧରି ଦରମା ମିଳି ନ ଥିବାରୁ ମୋର ଆର୍ଥିକ ଅସୁବିଧା ହେତୁ ବାଧ୍ୟ ହୋଇ ମଜୁରୀ କାମ କରିବାକୁ ଯିବାକୁ ଥିବାରୁ ୨୦.୦୨.୨୦୨୫ ତାରିଖରେ ବିଦ୍ୟାଳୟରେ ଉପସ୍ଥିତ ହୋଇପାରିବି ନାହିଁ ।" ତେବେ ଦରମା ନ ମିଳିବାରୁ ଧାର ଉଧାର ଅନେକ ଥିବାରୁ ଘର ଖର୍ଚ୍ଚ ପାଇଁ ପ୍ରଭୁଦତ୍ତ ସ୍କୁଲରୁ ଛୁଟି ନେଇ ଲୋକଙ୍କ କ୍ଷେତରେ ଶ୍ରମିକ ସାଜି କାମ କରିଛନ୍ତି । ଆଗକୁ ଦରମା ନ ମିଳିବା ଯାଏ ସେ ଏଭଳି ଛୁଟି ନେଇ ଶ୍ରମିକ ହୋଇ ଟଙ୍କା ରୋଜଗାର କରିବେ ବୋଲି କହିଛନ୍ତି ।
କାହିଁକି ହୋଇଛି ଏଭଳି ସମସ୍ୟା:
ସେପଟେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗ ସୂଚନା ଦେଇଛି ଯେ, ଗତ ଡିସେମ୍ବର ମାସରୁ ଏଭଳି ଅବ୍ୟବସ୍ଥା ହୋଇଛି । ଜିଲ୍ଲାର ସବୁ ଆକାଉଣ୍ଟଟାଣ୍ଟ ଧର୍ମଘଟ କରିବାରୁ ଏଭଳି ସମସ୍ୟା ହୋଇଛି । ସେହିପରି ସବୁ ଏକ୍ସ କ୍ୟାଡରଙ୍କ ଦରମା ଡିଜି କପ ମାଧ୍ୟମରେ ପ୍ରଦାନ କରାଯାଇଥାଏ । ଯାହାର ପରିଚାଳନା ପାଇଁ ଆକାଉଣ୍ଟଟାଣ୍ଟ ଓ ମେକର ରହିଛନ୍ତି । ତେବେ ସେମାନଙ୍କର ଧର୍ମଘଟ ଯୋଗୁଁ ଜିଲ୍ଲାରେ ଏହି ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇସାରିଛି । ଏ ପର୍ଯ୍ୟନ୍ତ ଜିଲ୍ଲାର ୧୨ଟି ବ୍ଲକର ସବୁ ଏକ୍ସ କ୍ୟାଡର ଶିକ୍ଷକ ଦରମା ଦିଆସରିଛି । ଆଉ ୨ଟି ବ୍ଲକ ପୁଇଁତଲା ଓ ବଲାଙ୍ଗୀର ବ୍ଲକର ଶିକ୍ଷକଙ୍କ ଦରମା ଟଙ୍କା ଶୀଘ୍ର ଦିଆଯିବ ବୋଲି ବିଭାଗ କହିଛି ।

ଦରମା ନ ପାଇ ଶିକ୍ଷକ ସାଜିଲେ ଶ୍ରମିକ:
ଏନେଇ ଶିକ୍ଷକ ପ୍ରଭୁଦତ୍ତ ସାହୁ କହିଛନ୍ତି, "ମୁଁ ଏକ୍ସ କ୍ୟାଡର ଶିକ୍ଷକ ଭାବରେ ବନ୍ଧନବାହାଳି ପ୍ରାଥମିକ ସ୍କୁଲରେ କାର୍ଯ୍ୟ କରି ଆସୁଛି । ଗତ ୩ ମାସ ହେବ ମୁଁ ଦରମା ପାଇନାହିଁ । ତେଣୁ ମୁଁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟ ସ୍ଥାନରେ ଶ୍ରମିକ କାମ କରିବାକୁ ଦରଖାସ୍ତ ଲେଖିଥିଲି । ଦରଖାସ୍ତ ମଞ୍ଜୁର ହେବା ପରେ ଆଜି ମୁଁ ଶ୍ରମିକ କାମ କରିଛି । ଟଙ୍କା ତିନି ଶହ ଆଜି ରୋଜଗାର କରିଛି । ଦରମା ନ ମିଳିଲେ ମୋ ପାଖରେ ଛୁଟି ନେବାର ସୁବିଧା ଅଛି । ମୁଁ ଛୁଟି ନେବି ଓ ଅନ୍ୟ କାମ କରିବାକୁ ବାଧ୍ୟ ହେଉଛି । ମୋର ୩୦ ହଜାର ଟଙ୍କାରୁ ଅଧିକ ଧାର ହୋଇସାରିଛି । ଏବେ ଆଉ କେହି ଧାର ଦେଉନାହାନ୍ତି । ତେଣୁ ମୁଁ ଏଭଳି କାମ କରିବାକୁ ବାଧ୍ୟ ହୋଇଛି । କାରଣ ଏହି ଚାକିରିରେ ଆଗକୁ ଅବସର ପରେ ଚାରି ପାଞ୍ଚ ହଜାର ଟଙ୍କା ଦରମା ମିଳିବ । ତେଣୁ ସେତେବେଳେ ମଧ୍ୟ ଏହି କାମ କରିବାକୁ ହେବ । ବ୍ଲକ ଓ ଜିଲ୍ଲା ଶିକ୍ଷା ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଆଜି ଆମେ ଏଭଳି ଦୁଃଖ ଭୋଗୁଛୁ । କର୍ମଚାରୀଙ୍କ ଧର୍ମଘଟ ବାହାନାରେ ବିଭାଗ ଆମକୁ ସରକାରୀ ନିର୍ଦ୍ଦେଶ ପରେ ମଧ୍ୟ ଦରମା ଦେଉନାହିଁ । ତେଣୁ ଆମକୁ ଏଭଳି କରିବାକୁ ପଡୁଛି ।"
'ଖୁବଶୀଘ୍ର ମିଳିବ ଦରମା':
ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ କେଶବ ମେହେର ଫୋନ ଯୋଗେ କହିଛନ୍ତି, "ଗତ ଡିସେମ୍ବର ମାସରୁ ଶିକ୍ଷକଙ୍କ ଦରମା ସମସ୍ୟା ଦେଖାଦେଇଛି । ଆକାଉଣ୍ଟଟାଣ୍ଟମାନେ ଧର୍ମଘଟ କରିବା ପରେ ଏଭଳି ଅବ୍ୟବସ୍ଥା ହୋଇଥିଲା । ସବୁ ଏକ୍ସ କ୍ୟାଡର ଶିକ୍ଷକଙ୍କୁ ଡିଜି କପ ମାଧ୍ୟମରେ ଦରମା ଦିଆଯାଇଥାଏ । ହେଲେ ବୈଷୟିକ ତ୍ରୁଟି ଯୋଗୁଁ ସମୟରେ ଦରମା ଦିଆଯାଇ ପାରିନାହିଁ । ଏବେ ବ୍ୟବସ୍ଥା ଠିକ ହୋଇଛି । ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ୧୨ଟି ବ୍ଲକର ଶିକ୍ଷକଙ୍କୁ ଦରମା ମିଳିସାରିଛି । ସେହିପରି ଆଗକୁ ଅନ୍ୟ ୨ଟି ବ୍ଲକର ଶିକ୍ଷକଙ୍କୁ ଦରମା ଦିଆଯିବ ।"
ଏହା ମଧ୍ୟ ପଢ଼ନ୍ତୁ... କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର, ଏତିକି ବଢିଲା ପାରିଶ୍ରମିକ ଅଭାବୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶା ସାଜିଛନ୍ତି ବି.କମ୍ ଗ୍ରାଜୁଏଟ ସାଗର |
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ମୋଟ ୮୦୯ ଜଣ ଏକ୍ସ କ୍ୟାଡର ଶିକ୍ଷକ ରହିଛନ୍ତି । ସେମାନଙ୍କୁ ଗତ ଡିସେମ୍ବର ମାସରୁ ଦରମା ଦିଆଯାଇନାହିଁ । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟମାନଙ୍କର ଆକାଉଣ୍ଟଟାଣ୍ଟମାନେ ଧର୍ମଘଟ କରିବା ଯୋଗୁଁ ସମସ୍ତ ଶିକ୍ଷକଙ୍କ ଦରମା ଫାଇଲ ବନ୍ଦ ହୋଇଥିଲା । ସେହିପରି ଧର୍ମଘଟ ପରେ ଡିସେମ୍ବର ମାସ ସାରିଯିବା ଓ ନୂଆ ବର୍ଷ ଯୋଗୁଁ ଟଙ୍କା ଡି-ଲିମିଟକୁ ଚାଲି ଯାଇଥିଲା । ଯାହାର ସମାଧାନ ପାଇଁ ଦରମା ପ୍ରଦାନ କରି ବିଭାଗ ଡିଜି କପ ମେକର ଏଥିରେ ପଦକ୍ଷେପ ନେଇଥିଲା । ଏହାରି ମଧ୍ୟରେ ସରକାରଙ୍କ ମଧ୍ୟ ନିର୍ଦ୍ଦେଶ ଆସି ସାରିଥିଲା । ଦିନେ ଦୁଇ ଦିନରେ ସବୁ ବ୍ୟବସ୍ଥା ଠିକ ହେବ ବୋଲି ଜିଲ୍ଲା ଶିକ୍ଷା ପଷରୁ କୁହାଯାଇଛି ।
ଇଟିଭି ଭାରତ, ବଲାଙ୍ଗୀର