ହାଇଦ୍ରାବାଦ: ସମ୍ପ୍ରତି ଭିଡିଓ କ୍ରିଏଟରଙ୍କ ଲାଗି ଟଙ୍କା ରୋଜଗାରର ଏକ ମୁଖ୍ୟ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । ଇନଷ୍ଟାଗ୍ରାମ ହେଉଛି ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ, ଯାହାକି କ୍ରିଏଟରଙ୍କୁ ଭିଡିଓ ଅପଲୋଡ୍ କରି ବିଭିନ୍ନ ଉପାୟରେ ଟଙ୍କା ରୋଜଗାର କରିବାର ସୁଯୋଗ ଦେଇଥାଏ । ବର୍ତ୍ତମାନ ଇନଷ୍ଟାଗ୍ରାମ ଏକ ନୂତନ ପଦ୍ଧତି ଆରମ୍ଭ କରିଛି ଯାହା ମାଧ୍ୟମରେ କ୍ରିଏଟରମାନେ ପୂର୍ବାପେକ୍ଷା ସହଜରେ ଅଧିକ ରୋଜଗାର କରିପାରିବେ । ଏଥିଲାଗି ଇନଷ୍ଟାଗ୍ରାମ ବିଜ୍ଞାପନ ପାଇଁ 'ଟେଷ୍ଟିମୋନିଆଲ' ନାଁରେ ନୂଆ ଫିଚର ଆଣିଛି । ଏହା ଏକ ନୂତନ ପ୍ରକାରର ସହଭାଗୀତା ବିଜ୍ଞାପନ, ଯାହା କେବଳ ଟେକ୍ସଟ୍ ଧାରଣ କରିବ । ଅର୍ଥାତ ଏକ ପ୍ରଡକ୍ଟର ପ୍ରମୋସନ ପାଇଁ କ୍ରିଏଟରଙ୍କୁ ଭିଡିଓ ବଦଳରେ କେବଳ ଏକ ପାଠ୍ୟ ବାର୍ତ୍ତା ଲେଖିବାକୁ ପଡିବ, ଯାହା ଭିଡିଓର କମେଣ୍ଟ ସେକ୍ସନର ଶୀର୍ଷରେ ଦେଖାଯିବ ।
ଏହି ଫିଚର ସମ୍ପର୍କରେ ଇନଷ୍ଟାଗ୍ରାମ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ ଏହାର ନୂତନ ବିଜ୍ଞାପନ ଫର୍ମାଟ୍ କେବଳ ପାଠ୍ୟ (Text) ଆଧାରିତ । ମେଟା ଏହାର ନୂତନ ସହଭାଗୀତା ବିଜ୍ଞାପନ ଫର୍ମାଟର ବିବରଣୀ ଦେଇ କହିଛି ଟେଷ୍ଟିମୋନିଆଲଗୁଡିକ ଏକ ସଂକ୍ଷିପ୍ତ ବିଷୟବସ୍ତୁ ହେବ, ଯେଉଁଥିରେ ଏକ ପ୍ରଡକ୍ଟ କେବଳ ପାଠ୍ୟ ମାଧ୍ୟମରେ ପ୍ରୋତ୍ସାହିତ ହେବ ଏବଂ ଏଥିଲାଗି କ୍ରିଏଟରଙ୍କୁ ବହୁତ କମ୍ ସମୟ ମଧ୍ୟ ଲାଗିବ ।
କେମିତି କାମ କରିବ ଏହି ଫିଚର ?
ଭିଡିଓ କ୍ରିଏଟରମାନେ ଏକ ନିର୍ଦ୍ଦିଷ୍ଟ ପ୍ରଡକ୍ଟ କିମ୍ବା ବ୍ରାଣ୍ଡ୍ କ୍ୟାମ୍ପେନ୍ ବିଷୟରେ 125 ଅକ୍ଷର (କ୍ୟାରେକ୍ଟର)ରୁ କମ୍ ସଂକ୍ଷିପ୍ତ ମେସେଜ ଲେଖିପାରିବେ ଏବଂ ଏହାକୁ କ୍ରିଏଟର ନିଜର ଭିଡିଓ ସହିତ ଦେବାକୁ ଥିବା ବିଜ୍ଞାପନର ବ୍ରାଣ୍ଡ୍କୁ ପଠାଇବେ । ବ୍ରାଣ୍ଡ୍ ଉକ୍ତ ମେସେଜକୁ ନିଜ ସୁବିଧା ଅନୁଯାୟୀ ଯାଞ୍ଚ ଏବଂ ଅନୁମୋଦନ କରିବ । ଏହି ମେସେଜ କ୍ରିଏଟରଙ୍କ ପୋଷ୍ଟ ଉପରେ ଏକ କମେଣ୍ଟ ଭାବରେ ଦେଖାଯିବ ଯାହା ଉପରେ ପ୍ରାୟୋଜିତ ପ୍ରଯୋଜକ ଟ୍ୟାଗ୍ ରହିବ । ଏହାସହିତ ଲୋକେ ବୁଝିବାକୁ ସମର୍ଥ ହେବେ ଯେ ସେହି କମେଣ୍ଟ ହେଉଛି କିଛି ପ୍ରଡକ୍ଟ ବା ବ୍ରାଣ୍ଡ୍ର ପ୍ରଚାର ପାଇଁ ରହିଛି ।
ମେଟା ଦାବି କରିଛି ଯେ ମୋଟ ଇନଷ୍ଟାଗ୍ରାମ ୟୁଜରଙ୍କ ମଧ୍ୟରୁ 40% ୟୁଜର ସପିଂ କରିବା ଲାଗି କ୍ରିଏଟରଙ୍କ ଦ୍ବାରା କୁହାଯାଇଥିବା ପ୍ରଡକ୍ଟକୁ ବିଚାରକୁ ନେଉଛନ୍ତି ଓ କିଣୁଛନ୍ତି ମଧ୍ୟ । ଏହି କାରଣରୁ ମେଟା ଇନଷ୍ଟାଗ୍ରାମ କ୍ରିଏଟରଙ୍କୁ ବ୍ରାଣ୍ଡ୍ଗୁଡ଼ିକ ସହିତ ବିଜ୍ଞାପନ ପାର୍ଟନରସିପ୍ କରିବା ଲାଗି ଏକ ନୂଆ ଉପାୟ ଆଣିଛି । ଯାହାକି କ୍ରିଏଟରଙ୍କୁ ଅଧିକ ରୋଜଗାର କରିବାକୁ ସକ୍ଷମ କରିବ ଓ ସେମାନଙ୍କ ସମୟ ବଞ୍ଚିବ ।
ପାର୍ଟନରସିପ୍ ଆଡ୍ ବା ବିଜ୍ଞାପନ କଣ ?
ମେଟା ମାଲିକାନା ପ୍ଲାଟଫର୍ମ ଏହି ନୂଆ ଫିଚର ଆଣି କ୍ରିଏଟରଙ୍କୁ କେବଳ ଅଧିକ ଟଙ୍କା ରୋଜଗାର କରିବାକୁ ଅନୁମତି ଦିଏ ନାହିଁ, ବରଂ ଅଧିକ ଲୋକଙ୍କ ପାଖରେ ପହଞ୍ଚେ । ଏକ ସହଭାଗୀତା ବିଜ୍ଞାପନ ମୂଳତଃ କ୍ରିଏଟର ଏବଂ ବ୍ରାଣ୍ଡ୍ ମଧ୍ୟରେ ଏକ ସହଯୋଗୀ ପୋଷ୍ଟ ଅଟେ, ଯାହାକି କମ୍ପାନୀର ପ୍ରଡକ୍ଟ କିମ୍ବା ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରଚାର । ଆଜିକାଲି ୟୁଜରମାନେ କ୍ରିଏଟରଙ୍କ ବିଭିନ୍ନ ପ୍ରକାର ଭିଡିଓ ଦେଖିଥାନ୍ତି । ଏଥିଲାଗି ବିଭିନ୍ନ ପ୍ରକାର କମ୍ପାନୀ ନିଜ ପ୍ରଡକ୍ଟକୁ ପ୍ରଚାର କରିବା ଉଦ୍ଦେଶ୍ୟରେ କ୍ରିଏଟରଙ୍କ ସହାୟତା ନେଇଥାନ୍ତି । ଯାହାଦ୍ବାରା ଅଧିକ ଲୋକଙ୍କ ନିକଟରେ ସେମାନଙ୍କ ପ୍ରଡକ୍ଟ ପହଞ୍ଚିପାରିବ ।