ହାଇଦ୍ରାବାଦ: ଅଧିକାଂଶ ଭାରତୀୟ ଏବେ ବିଦେଶ ମୁହାଁ । ବିଦେଶରେ ପାଠ ପଢିବେ । ଭଲ ଚାକିରି କରିବେ ଆଉ ମୋଟା ଅଙ୍କର ଦରମାରେ ଜୀବନକୁ ଉପଭୋଗ କରିବେ । ସେ ବୈଧ ଭାବେ ହେଉକି ଅବୈଧ । କିନ୍ତୁ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅନ୍ୟ ଦେଶରେ ଅବୈଧ ଭାବେ ପ୍ରବେଶ କରିବା ବହୁତ କମ। ବିଦେଶରେ ଉଚ୍ଚଶିକ୍ଷା ଲାଭ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ସାମନାରେ ଭଲ ବିକଳ୍ପ ହେଉଛି ଆମେରିକା । ଟପ୍ ବିଶ୍ବବିଦ୍ୟାଳୟ କଥା ଆସିଲେ ସର୍ବପ୍ରଥମେ ଆମେରିକା ନାଁ ସାମନାକୁ ଆସେ । କିନ୍ତୁ ନିକଟରେ ରାଜନୈତିକ ବାତାବରଣ ଓ ପ୍ରବାସୀ ନୀତିକୁ ଦେଖିଲେ ଭିସା ନିୟମାବଳୀ, ନିଯୁକ୍ତି ସୁଯୋଗ ଓ ପାର୍ଟ ଟାଇମ କାମ ପାଇଁ ଆମେରିକା ଯିବା ଉପଯୁକ୍ତ ନିଷ୍ପତ୍ତି ନା ନାହିଁ ତାହା ଚିନ୍ତାଜନକ ବିଷୟ । ଏସବୁ ମଧ୍ୟରେ ଏବେ ହିଁ ବିଦେଶ ଯାଇ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଉଚିତ ସମୟ ବୋଲି କୁହନ୍ତି ବିଶେଷଜ୍ଞ ।

- କେଉଁମାନଙ୍କ ପାଇଁ କଡା ନିୟମ ?
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଅନୁମାନ କରିଥିଲେ ଯେ ଭିସା ପ୍ରତିବନ୍ଧକ ଏବଂ ଚାକିରିର ସୀମା ସମେତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବେ । ଯଦିଓ ଆମେରିକା କେତେକ ନିୟମାବଳୀକୁ କଠିନ କରିଛି, ସେଗୁଡିକ କେବଳ ଅବୈଧ ପ୍ରବେଶକାରୀଙ୍କ ପାଇଁ । କାରଣ ଆମେରିକାର ଏହି ନିୟମାବଳୀ ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ନଥିବା ଲୋକଙ୍କୁ ପ୍ରଭାବିତ କରିଥାଏ । ସଠିକ୍ ଭିସା ଏବଂ ଆଇନଗତ ଅନୁମତି ଥିବା ଛାତ୍ରଛାତ୍ରୀ ମାନେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ।
ସରକାରୀ ତଥ୍ୟ କହୁଛି ଯେ ଗତ 5 ବର୍ଷ ମଧ୍ୟରେ 50 ପ୍ରତିଶତରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରିବାକୁ ଆମେରିକା ଯାଇଛନ୍ତି । 2024 ସୁଦ୍ଧା ପାଖାପାଖି 9 ଲକ୍ଷ ଛାତ୍ରଛାତ୍ରୀ ଆମେରିକାରେ ପାଠ ପଢିବାକୁ ପହଞ୍ଚିଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢିବା ତାଲିକାରେ ଆମେରିକା ସର୍ବାଗ୍ରରେ ରହିଛି । ଏହା ପଛକୁ ପାଠ ପଢିବା ପାଇଁ କାନାଡା, ୟୁକେ ଓ ଅଷ୍ଟ୍ରେଲିଆକୁ ବାଛିଛନ୍ତି ଭାରତୀୟ ଛାତ୍ରଛାତ୍ରୀ ।
- କାହିଁକି ବିଦେଶରେ ପାଠପଢା ?
- ସମଗ୍ର ବିଶ୍ବରେ କ୍ୟାରିୟରର ସୁଯୋଗ ବିସ୍ତାର
- ଏକ ମୂଲ୍ୟବାନ ବୃତ୍ତିଗତ ନେଟୱାର୍କ ନିର୍ମାଣ
- ଭାଷା ଦକ୍ଷତା ବୃଦ୍ଧି କରିବା
- ଏକ ନୂତନ ପରିବେଶରେ ଅନୁକୂଳତା ବିକାଶ
- ରୋଜଗାର ସମ୍ଭାବନା ବୃଦ୍ଧି
- କେଉଁ ଚ୍ୟାଲେଞ୍ଜକୁ ସାମନା କରିବେ ?
- ଭାଷାଗତ ସମସ୍ୟା
- ସାଂସ୍କୃତିକ ଓ ଏକାଡେମିକ କ୍ଷେତ୍ରରେ ସନ୍ତୁଳନ
- ମହଙ୍ଗା ଟ୍ୟୁସନ ଫି’ ସାଙ୍ଗକୁ ରହିବା ଖର୍ଚ୍ଚ
- ପାର୍ଟ ଟାଇମ କାମ ଏବେ ଚ୍ୟାଲେଞ୍ଜପୂର୍ଣ୍ଣ
ପୂର୍ବରୁ ବର୍ଷ ବର୍ଷ ଧରି ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ ସହ ପାର୍ଟ ଟାଇମ ଜବ୍ କରିପାରୁଥିଲେ । ସେମନଙ୍କ ମଧ୍ୟରୁ ଅଧିକାଂଶ ରିଟେଲ, ସେବା, ପ୍ରଶିକ୍ଷକ, କଷ୍ଟମର ସେବା ଏବଂ ଡେଲିଭରୀ ସେବାରେ ନିଜକୁ ନିୟୋଜିତ କରିଥିଲେ । କିନ୍ତୁ ଏବେ କଡା ପ୍ରବାସୀ ନୀତି ପାଇଁ ସେମାନଙ୍କ ପାଇଁ ପାର୍ଟ ଟାଇମ ଜବ୍ ଚ୍ଯାଲେଞ୍ଜ ଦାୟକ ହୋଇପାରେ । ଏଣୁ ଛାତ୍ରଛାତ୍ରୀ ନିଜ ପାଠପଢାରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । ଯାହା ଫଳରେ ଗ୍ରାଜୁଏସନ ପରେ ସେମାନଙ୍କୁ ଭଲ ନିଯୁକ୍ତି ଅବସର ମିଳିପାରିବ ।
- ଭିସା ନିୟମାବଳୀ ଅପରିବର୍ତ୍ତିତ
ଏଫ1 (ଛାତ୍ରଛାତ୍ରୀ ଭିସା), ଏଚ1ବି (ଚାକିରି ଭିସା) ଓ ଓପିଟି (ଅପସନାଲ ପ୍ରାଟିକାଲ ଟ୍ରେନିଂ) ଭିସା ପୂର୍ବ ଭଳି ଅପରିବର୍ତ୍ତିତ ରହିବ । ଅବୈଧ ପ୍ରବାସୀ କେବଳ ପ୍ରତ୍ୟର୍ପଣର ସାମନା କରିବେ । ଯଦି ଛାତ୍ରଛାତ୍ରୀଙ୍କ ପାଖରେ ଭିସା ସମ୍ବନ୍ଧୀୟ ଉପଯୁକ୍ତ କାଗଜପତ୍ର ରହିଛି ତେବେ ସେମାନଙ୍କୁ କୌଣସି ସମସ୍ୟାର ସାମନା କରିବାକୁ ପଡିବ ନାହିଁ ।
- ପୂର୍ବରୁ ପାର୍ଟ ଟାଇମ ଜବ୍ରେ ଲାଗିଥିଲା ପ୍ରତିବନ୍ଧକ
ଆମେରିକା ଛାତ୍ରଛାତ୍ରୀଙ୍କ ପାର୍ଟ ଟାଇମ୍ ଜବ୍କୁ ନେଇ ପୂର୍ବରୁ ପ୍ରତିବନ୍ଧକ ଲଗାଇ ଆସୁଥିଲା । କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀ ଅଧିକ ରୋଜଗାର ଆଶାରେ ଏହି ନିୟମର ଉଲ୍ଲଙ୍ଘନ କରିଆସୁଥିଲେ । ହେଲେ ଏବେ ଟ୍ରମ୍ପ ସରକାରରେ ନିୟମ କଡାକଡି ପରେ ଛାତ୍ରଛାତ୍ରୀଙ୍କ ଉପରେ କଡା ନଜର ରହିଛି । ଛାତ୍ରଛାତ୍ରୀ ଟ୍ରମ୍ପ ସରକାରର ସର୍ଭିଲାନ୍ସରେ ଥିବାରୁ ଏବେ ନିୟମକୁ କଡାକଡି ଭାବେ ପାଳନ କରିବେ ବୋଲି ଅନୁମାନ କରାଯାଉଛି ।
- ବଡ ସହରର ବିଶ୍ବବିଦ୍ୟାଳୟକୁ ନା
ଆମେରିକାରେ 4 ହଜାରରୁ ଊର୍ଦ୍ଧ୍ବ ବିଶ୍ବବିଦ୍ୟାଳୟ ରହିଛି । ଛାତ୍ରଛାତ୍ରୀ ମାନେ ଆମେରିକାର ଛୋଟ ସହରରେ ଭଲ ଶିକ୍ଷାନୁଷ୍ଠାନ ଖୋଜିବା ଦରକାର । ଏହା ଦ୍ବାରା ସେମାନଙ୍କ ଟ୍ୟୁସନ ଫି’ କମିବା ସହ ଉନ୍ନତମାନର ପାଠପଢା ମିଳିପାରୁ ଥିବ । ବଡ ସହରରେ ଥିବା ବିଶ୍ବବିଦ୍ୟାଳୟକୁ ଟାର୍ଗେଟ ନକରି ବରଂ ଛାତ୍ରଛାତ୍ରୀମାନେ କମ ବ୍ୟୟବହୁଳ ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକ ଅନୁସନ୍ଧାନ କରିବା ଉଚିତ୍ । ଯେଉଁଠାରେ ାତ୍ରଛାତ୍ରୀଙ୍କୁ ବାର୍ଷିକ କେବଳ 10 ହଜାର ଡଲାର ଫି’ ଦେବାକୁ ପଡିଥାଏ ।
- ଅନ୍ୟ ଦେଶରେ ପାର୍ଟ ଟାଇମ ଜବ୍ର କଣ ନିୟମ
ଆମେରିକାକୁ ବାଦ ଦେଲେ ଅନ୍ୟ ଦେଶ ଗୁଡିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଲାଭ ସହ ପାର୍ଟ ଟାଇମ ଜବ୍ର ସୁଯୋଗ ଦେଉଛନ୍ତି । ଆଇନଗତ ଭାବେ କାର୍ଯ୍ୟ ସମୟ ଅତିକ୍ରମ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କର୍ତ୍ତୃପକ୍ଷ ବର୍ତ୍ତମାନ ନିୟମକୁ କଡାକଡି କରିଛନ୍ତି। ଭିସା ସମସ୍ୟାକୁ ଏଡାଇବା ପାଇଁ ସ୍ଥାନୀୟ ନିୟମ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
- ଆମେରିକାରେ ନୂଆ ନିଯୁକ୍ତି
ଆମେରିକାରେ ‘ମେକ୍ ଆମେରିକା ଗ୍ରେଟ ଏଗେନ’ ନୀତି ନୂଆ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଅବୈଧ ପ୍ରବାସୀଙ୍କ ପାଇଁ ଏଥିରେ କୌଣସି ସୁଯୋଗ ନାହିଁ । ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଆମେରିକାରେ ଭରପୁର ସୁଯୋଗ ରହିଛି ।
- ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ଯଦି ଛାତ୍ରଛାତ୍ରୀ ମାନେ ଏହି ନିୟମ ପାଳନ କରନ୍ତି ତେବେ ଏହା ବିଦେଶରେ ଉଚ୍ଚଶିକ୍ଷା ଲାଭ ପାଇଁ ଭାରତୀୟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେମାନେ ପାର୍ଟ ଟାଇମକୁ ଛାଡି ପାଠପଢାରେ ଅଧିକ ଫୋକସ୍ କଲେ ଏକ ସୁଦୀର୍ଘ କ୍ୟାରିଅରକୁ ଛୁଇଁ ପାରିବେ। କାରଣ ଏବେ ଆମେରିକାରେ ଭରପୁର ନିଯୁକ୍ତି ସୁଯୋଗ ରହିଛି ।