ଭୁବନେଶ୍ବର: ନିଜ ପ୍ରେମ ପାଇଁ କିଏ କ'ଣ ନକରେ । ଖାଲି ଯେ ମଣିଷମାନେ ପ୍ରେମ କରନ୍ତି ତାହା ନୁହେଁ ବରଂ ଜୀବଜନ୍ତୁଙ୍କ ମଧ୍ୟରେ ବି ପ୍ରେମର ପରାକାଷ୍ଠା ଦେଖିବାକୁ ମିଳେ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ଯେଉଁଠି ନାଗ ଓ ନାଗୁଣୀଙ୍କ ମିଳନ ସମୟରେ ଜାଲରେ ଫସିଯାଇଥିଲା ନାଗୁଣୀ । ଯାହାକୁ ନେଇ ନାଗ ସାପଟି ନିଜ ପ୍ରେମିକା (ନାଗୁଣୀ)କୁ ଜାଲରୁ ମୁକୁଳାଇବା ପାଇଁ ଦୀର୍ଘ ୨ ଦିନ ଧରି ଜାଲ ଚାରି ପଟେ ଘୁରି ବୁଲିଥିଲା । ସେପଟେ ଖବର ପାଇଁ ସ୍ନେକ ହେଲ୍ପ ଲାଇନ କର୍ମୀ ଆସି ସାପ ୨ଟିକୁ ଉଦ୍ଧାର କରିଛନ୍ତି ।
ଜାଲରେ ଫସିଲା ନାଗୁଣୀ, ଜଗିଛି ନାଗ:
ନାଗ ଓ ନାଗୁଣୀ ପ୍ରଣୟରେ ମସଗୁଲ ଥିବା ବେଳେ ନାଗୁଣୀ ଛନ୍ଦି ହେଇଗଲା ଜାଲ ଭିତରେ । ଯେତେ ଚେଷ୍ଟା କରି ମଧ୍ୟ ନାଗୁଣୀ ଆଉ ଜାଲରୁ ମୁକୁଳି ପାରିଲାନାହିଁ । ନାଗ କିନ୍ତୁ ନାଗୁଣୀକୁ ଏକୁଟିଆ ଛାଡି ଚାଲିଗଲା ନାହିଁ । ସେଇ ଜାଲ ପାଖାପାଖି ସେମିତି ଲୁଚି ରହିଲା । ଯେତେବେଳେ ବି ସେଇ ଜାଲ ପାଖରେ ମଣିଷ ଏବଂ ଗୃହପାଳିତ ପଶୁଙ୍କ ଯାତାୟାତ ବନ୍ଦ ରହିଲା, ନାଗ ନିଜର ଲୁଚିଥିବା ସ୍ଥାନରୁ ବାହାରି ଆସି ନାଗୁଣୀକୁ ପ୍ରେମ ନିବେଦନ କରିବାରେ ଲାଗିଲା । ନାଗୁଣୀ ମୁହଁରେ ମୁହଁ ଘଷି ତାକୁ ନିଜ ପ୍ରତି ଆକୃଷ୍ଟ କରିବାରେ ଚେଷ୍ଟା କରୁଥାଏ ନାଗ । ହେଲେ ମିଳନ କରିବାରେ ସଫଳତା ମିଳପାରିନଥିଲା । କାରଣ ନାଗୁଣୀର ବେକ ଛନ୍ଦି ହୋଇ ରହିଥିଲା ପ୍ଲାଷ୍ଟିକ ଜାଲ । ଜାଲରୁ ମୁକୁଳିବା ପାଇଁ ଚେଷ୍ଟା କରି କରି ଥକି ଯାଇଥିଲା ନାଗୁଣୀ । ନାଗର ପ୍ରେମ ନିବେଦନ କ'ଣ ଗ୍ରହଣ କରିବ, ବରଂ ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରି ରହିଥିଲା ନାଗୁଣୀ । ଏ ଘଟଣାଟି ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟରାମପୁର ଗ୍ରାମର ବିଜୟ ନାୟକଙ୍କ ଖଳା ବାଡ଼ିରେ ।
ଦୁଇ ଦିନ ଜଗି ରହିଲା ନାଗ:
ଖଳା ବାଡ଼ିରେ ଗୋରୁ ଗାଈ ନ ପଶିବା ପାଇଁ ବିଜୟ ଏକ ପ୍ଲାଷ୍ଟିକ ଜାଲ ଘେରାଇଥିଲେ । ଗତକାଲି ସକାଳେ ସେଇ ଜାଲରେ ପ୍ରାୟ ୪ ଫୁଟ ଲମ୍ବର ଏକ ନାଗ ସାପ ଫସି ଥିବାର ବିଜୟଙ୍କ ଘର ଲୋକେ ଦେଖିବାକୁ ପାଇଥିଲେ । ପ୍ରଥମେ ସେମାନେ ଭାବିଥିଲେ ଯେ, ନାଗ ନିଜେ ଜାଲରୁ ମୁକୁଳି ଯିବ । ହେଲେ କିଛି ସମୟ ପରେ ଆଉ ଗୋଟିଏ ବଡ ନାଗ ସାପ ଆସି ଜାଲରେ ବନ୍ଦୀ ହୋଇଥିବା ନାଗ ସାପ ପାଖରେ ବୁଲିବାକୁ ଲାଗିଲା । ତା ମୁହଁରେ ମୁହଁ ଘଷିବାକୁ ଲାଗିଲା । ସେପଟେ ଏକାଥରେ ଦୁଇ ଦୁଇଟି ନାଗ ସାପଙ୍କୁ ଦେଖି ବିଜୟଙ୍କ ପରିବାର ଲୋକ ଭୟଭୀତ ହୋଇଯାଇଥିଲେ । ତେବେ କେହି ଲୋକ ସେଇ ପାଖକୁ ଗଲା ବେଳେ ବଡ଼ ନାଗ ସାପଟି ସେଠାରୁ ଚାଲି ଯାଇ କେଉଁଠି ଲୁଚି ଯାଉଥିଲା । ପୁଣି ସେଇ ସ୍ଥାନ ନିଶବ୍ଦ ହେବା ପରେ, କେଉଁଠୁ ଆସି ପୁଣି ବନ୍ଦୀ ନାଗ ପାଖରେ ହାଜିର ହେଇ ଯାଉଥିଲା । ଏଭଳି ଭାବରେ ନାଗ ସାପଟି ବନ୍ଦୀ ନାଗ ସାପ ପାଖକୁ ଆସିବା ଏବଂ ଲୋକଙ୍କୁ ଦେଖିଲେ ପଳେଇବା ଭଳି ଛକାପଞ୍ଝା ପୁରା ଦିନ ଯାକ ଲାଗି ରହିଥିଲା ।
ଉଦ୍ଧାର ହେଲେ ନାଗ ନାଗୁଣୀ:
ଏନେଇ ସକାଳୁ ମଧ୍ୟ ସମାନ ଦୃଶ୍ୟ ଦେଖି ବିଜୟ ବାଧ୍ୟ ହୋଇ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଉଭୟ ସାପଙ୍କୁ କିଛି କ୍ଷଣ ନିରୀକ୍ଷଣ କରିବା ପରେ ସାପ ଦୁଇଟି ମାଈ ଏବଂ ଅଣ୍ଡିରା ହେବା ସହିତ ମିଳନ ପାଇଁ ଉଦ୍ୟମ କରୁଥିବା ଜାଣିବାକୁ ପାଇଥିଲେ । ସୁଶାନ୍ତ ଦୁଇ ସାପଙ୍କ ଗତିବିଧିର କିଛି ଫୋଟୋ ଏବଂ ଭିଡ଼ିଓ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇଥିଲେ । ଶୁଭେନ୍ଦୁ ମଲ୍ଲିକ ସାପ ଦୁଇଟି ଉଦ୍ଧାର କରିବା ପରେ ଯଥାଶୀଘ୍ର ଗୋଟିଏ ସ୍ଥାନରେ ଛାଡ଼ିବା ପାଇଁ ସୁଶାନ୍ତଙ୍କୁ ପରାମର୍ଶ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ... ନିଜ ଛୁଆ ଭଳି ନାଗ ସାପକୁ ଗାଧେଇ ଦେଲେ ମହିଳା, ଭିଡ଼ିଓ ଭାଇରାଲ.. Cobra Inside Sofa; ସୋଫା ଭିତରୁ ଶୁଭିଲା ସଂ ସଂ ଶଦ୍ଦ, ବାହାରିଲା 3 ଫୁଟିଆ ନାଗ ! - cobra found inside sofa |
ସୁଶାନ୍ତ ପ୍ରଥମେ ବନ୍ଧନ ହୋଇ ନ ଥିବା ଅଣ୍ଡିରା ନାଗ ସାପଟିକୁ ଉଦ୍ଧାର କରିଥିଲେ । ପରେ ଜାଲକୁ କାଟି ମାଈ ସାପଟିକୁ ବନ୍ଧନ ମୁକ୍ତ କରିଥିଲେ । ମାଈ ସାପ ଦେହରେ କୌଣସି କ୍ଷତ ଦେଖିବାକୁ ପାଇନଥିଲେ ସୁଶାନ୍ତ । ତେଣୁ, ଗାଁ ଠାରୁ କିଛି ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଗୋଟିଏ ଯାଗାରେ ସାପ ଦୁଇଟିକୁ ଛାଡି ଦେଇଥିଲେ ସୁଶାନ୍ତ । ଅନେଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, "ନାଗ ସାପମାନଙ୍କ ଏବେ ମିଳନ ଋତୁ ଚାଲିଛି । ତେଣୁ, ଏହି ସମୟରେ ଗୋଟିଏ ସ୍ଥାନରେ ଦୁଇଟି ବା ୨ରୁ ଅଧିକ ନାଗ ସାପ ଦେଖାଯିବା ଏକ ସାଧାରଣ ଘଟଣା । ମାର୍ଚ୍ଚରୁ ଏପ୍ରିଲ ଭିତରେ ନାଗୁଣୀ ଅଣ୍ଡା ଦେଇଥାଏ । ଅଣ୍ଡା ଦେବାର ପ୍ରାୟ ୬୦ ଦିନ ଭିତରେ ଅଣ୍ଡା ଗୁଡ଼ିକ ଛୁଆ ଫୁଟିଥାଏ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟରାମପୁର ଗ୍ରାମରୁ ୨ଟି ନାଗ ସାପଙ୍କୁ ଉଦ୍ଧାର କରାଯାଇଛି ।"
ଇଟିଭି ଭାରତ, ଭୁବନେଶ୍ବର