ହାଇଦ୍ରାବାଦ: "ଆମେ ଓଡ଼ିଆ, ଭାରି ବଢ଼ିଆ । ଆମ ସସ୍କୃତି, ଆମ ପରମ୍ପରା ଓ ଆମ ଐତିହ୍ୟକୁ ନେଇ ଆମେ ଗର୍ବିତ । ଯେତେ ଦୂରେ ଥିଲେ ମଧ୍ୟ ଆମ ମନ ଓଡ଼ିଆ, ଆମ ପ୍ରାଣ ଓଡ଼ିଆ । ଯୁଆଡେ ଗଲେ ବି ଯୋଉଁଠି ଥିଲେ ବି ଓଡିଶା ମାଟି ପାଣି ପବନର ବାସ୍ନାକୁ କେବେ ଭୁଲି ପାରନି ଜଣେ ଖାଣ୍ଟି ଓଡ଼ିଆ । ସୁଦୂରରେ ଥିଲେ ମଧ୍ୟ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଛାପ ସମସ୍ତଙ୍କ ମଧ୍ୟରେ ବାରି ହୋଇପଡେ । ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ," ବୋଲି ଓଡ଼ିଆ ଭାଷା ପରମ୍ପରାକୁ ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ (SOWW) ପକ୍ଷରୁ ପାଳନ ହୋଇଥିବା "ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା"ରେ ସାମିଲ ହୋଇ ଏପରି ମତ ଦେଇଥିଲେ ଅତିଥି ବୃନ୍ଦ ।
ପ୍ରତିବର୍ଷ ଭଳି ଏବର୍ଷ ତିନି ଦିନ ଧରି ହାଇଦ୍ରାବାଦରେ "ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା" ଉଜ୍ଜ୍ୱଳ ଉତ୍ସବ ପାଳିତ ହେଇଯାଇଛି । ଏହି ଅନନ୍ୟ କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ସଂସ୍କୃତି, ବିଭିନ୍ନ ପ୍ରକାରର ଵ୍ୟଞ୍ଜନ, ଉତ୍କୃଷ୍ଟ କଳାକୃତି ଏବଂ କାରିଗରୀ ସମସ୍ତ ଓଡ଼ିଆଙ୍କୁ ଆକୃଷ୍ଟ କରିଥିଲା । ତା ସହିତ, ଓଡ଼ିଶାର ବିବିଧ କଳା ପରମ୍ପରାକୁ ପ୍ରତିଫଳିତ କରୁଥିବା ଓଡ଼ିଶୀ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ପାଇକ ନୃତ୍ୟ, ସାମରିକ କଳା ନୃତ୍ୟ, ମୟୂରଭଞ୍ଜର ଆଦିବାସୀ ନୃତ୍ୟ, ସମ୍ବଲପୁରୀ ଲୋକ ପ୍ରଦର୍ଶନ ଏବଂ ପଶ୍ଚିମ ଓଡ଼ିଶାର ସ୍ପନ୍ଦନଶୀଳ ସାଂସ୍କୃତିକ ପ୍ରଦର୍ଶନ ଗୁଡିକ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସାଶ୍ୱତ ଯୋଶୀଙ୍କ ଉଚ୍ଚକୋଟିର ନୃତ୍ୟ ପରିବେଷଣ ।
ସ୍ୱାଭିମାନୀ ଓଡ଼ିଆ ପରିବାର ହାଇଦ୍ରାବାଦ ତରଫରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାଭିମାନୀ ଓଡ଼ିଆ ପରିବାର ପ୍ରବାସୀ ଓଡ଼ିଆ ସଂଗଠନ, ଓଡ଼ିଆ ସଂସୃତି ଓ ପରମ୍ପରା, ଓଡିଶା ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାରେ ସବୁବେଳେ ଆଗଭର ।