କୋଲକାତା: ବଡଧରଣର ସଡକ ଦୁର୍ଘଟଣାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତି ଯାଇଛନ୍ତି । ହେଲେ ସେ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ ତାଙ୍କୁ ଚିକିତ୍ସା କରିଛନ୍ତି । ମମତା ବର୍ଦ୍ଧମାନରୁ କୋଲକାତା ଆସୁଥବା ବେଳେ ତାଙ୍କ କାର ସମ୍ମୁଖରେ ଏକ ସ୍ପିଡ କାର ଆସିଯାଇଥିଲା । ଡ୍ରାଇଭର ହଠାତ ବ୍ରେକ ଲଗାଇଥିଲେ । ଡ୍ରାଇଭରଙ୍କ ପାଖ ସିଟରେ ବସିଥିବା ମମତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ଏହା ପରେ ମମତାଙ୍କୁ ମୁଣ୍ଡରେ ପ୍ୟାଚ ପଡିଥିବା ଅବସ୍ଥାରେ ଦେଖିବାକୁ ମିଳିଛି । କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସା ପରେ ମମତା ବାହାରକୁ ଆସିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
ମମତା କହିଛନ୍ତି, ‘‘ମୁଁ ଜ୍ବର ହେବା ପରି ଅନୁଭବ କରୁଛି । ହଠାତ୍ ଏକ ଗାଡି ମୋ କାର ସାମ୍ନାକୁ ଆସିଯାଇଥିଲା । ଏହା ଏକ ସ୍ପିଡିଂ କାର ଥିଲା । ଡ୍ରାଇଭର ହ୍ୟାଣ୍ଡବ୍ରେକ୍ ବ୍ୟବହାର କରିବା ଫଳରେ ମୁଁ ବଞ୍ଚିଥିଲି । ମୁଁ ଆହତ ମଧ୍ୟ ହୋଇଛି । କେବଳ ମୁଣ୍ଡରେ ଆଘତ ଲାଗିଛି । ଲୋକଙ୍କ ଶ୍ରଦ୍ଧା ଓ ଭଲପାଇବା ପାଇଁ ମୁଁ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ।’’ ତେବେ ଆହତ ହେବା ପରେ ମଧ୍ୟ ଦିଦି ସଂଧ୍ୟାରେ ରାଜଭବନରେ ପହଞ୍ଚିଥିଲେ । ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ସହ ମମତାଙ୍କର ଆଲୋଚନା ହୋଇଛି । ଏହା ପରେ ମୁଣ୍ଡରେ ପଟି ପଡିଥିବା ଅବସ୍ଥାରେ ମମତା ଲୋକଙ୍କୁ ସମ୍ବୋଧିତ କରିଥିଲେ ।